ସିଡ୍ନି: ୨୦୨୪ ନଭେମ୍ବର ମାସ ତୃତୀୟ ସପ୍ତାହାନ୍ତରେ ପର୍ଥରେ ଆରମ୍ଭ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ର ପ୍ରଥମ ଦିନରେ ୧୭ ୱିକେଟ୍ ପତନ ପରଠାରୁ ଅନେକ କିଛି ଘଟିଛି। ବ୍ରିସ୍ବେନ୍ରେ ବର୍ଷା ଆସିଛି, ତଥାପି ଖେଳ ରେମାଞ୍ଚକ ମୋଡ଼ ନେଇଛି। ଅଶ୍ବିନଙ୍କ ଅବସର ସହ ଉଚ୍ଚ ମନୋରଂଜନଭରା ଏହି ଶୃଙ୍ଖଳାର ଅନ୍ତିମ ଟେଷ୍ଟ୍ ପରବର୍ତ୍ତୀ ୫ ଦିନ ଭିତରେ ହିଁ ଶେଷ ହୋଇଯିବ। ଶୁକ୍ରବାରଠାରୁ ସିଡ୍ନିରେ ଖେଳାଯିବ ଏହି ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍। ଅଷ୍ଟ୍ରେଲୀୟଙ୍କ ଦୁଇ ହାତରେ ଏବେ ରହିଛି ଦିନିକିଆ ଓ ଟେଷ୍ଟ୍ କ୍ରିକେଟ୍ର ଦୁଇ ବିଶ୍ବ ମୁକୁଟ। କିନ୍ତୁ ଯେଉଁ ଗୋଟିଏ ଟ୍ରଫି କଙ୍ଗାରୁ ବାହିନୀକୁ ଗତ ୧୦ ବର୍ଷ ଧରି ବଞ୍ଚିତ ରଖିଛି ସେଇଟା ହେଉଛି ବିଜିଟି (ବର୍ଡର-ଗାଭାସ୍କର ଟ୍ରଫି)। ଚଳିତ ଶୃଙ୍ଖଳାରେ ୧-୨ରେ ପଛରେ ପଡ଼ିଯାଇଥିବା ଭାରତ ନିକଟରେ ବି ସୁଯୋଗ ରହିଛି ବର୍ଡର-ଗାଭାସ୍କର ଟ୍ରଫିକୁ ବଜାୟ ରଖିବା ପାଇଁ। କେବଳ ସିଡ୍ନିରେ ଦଳକୁ ବିଜୟ ଲୋଡ଼ା ହେଉଛି। ଶୃଙ୍ଖଳାକୁ ୨-୨ରେ ଶେଷ କରିପାରିଲେ ଭାରତ ବିଜିଟି ବଜାୟ ରଖିବ। ଭାରତୀୟ ଦଳ ଏବେ ଅନେକ କାରଣ ପାଇଁ ଚାପରେ ରହିଥିଲେ ମଧ୍ୟ ଏକ ପେସାଦାର ଦଳ ଭାବେ ଆଗକୁ ବଢ଼ିଯିବାର ଦକ୍ଷତା ବି ରଖିଛି।
ଅଧିନାୟକ ରୋହିତ ଶର୍ମା ରନ୍ ପାଇଁ ଏତେ ସଂଘର୍ଷ କରୁଛନ୍ତି ଯେ ଏବେ ଚୂଡ଼ାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳିବା ନେଇ ସନ୍ଦେହ ଦେଖାଦେଇଛି। ଗୁରୁବାର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ବାରମ୍ବାର ପ୍ରଶ୍ନ କରାଯାଇଥିଲା, ରୋହିତ ଖେଳିବେ କି ନାଁ? ସେ କିନ୍ତୁ ହଁ କରି ନଥିଲେ। ଶୁକ୍ରବାର ସକାଳେ ମ୍ୟାଚ୍ ପୂର୍ବରୁ ପିଚ୍ ଦେଖିଲେ ଚୂଡ଼ାନ୍ତ ଏକାଦଶ ଘୋଷଣା ହେବ ବୋଲି କହି ଏଡ଼ାଇ ଯାଇଥିଲେ। ଏହା ଭାରତୀୟ ଦଳ ପାଇଁ ଏକ ଭିନ୍ନ ଅନୁଭବ ଆଣି ଦେଇଛି। ରୋହିତ ଶର୍ମା ନେଟ୍ସରେ ଅଭ୍ୟାସ ନ କରିବା ଆଉ ଏକ ଭିନ୍ନ ବାର୍ତ୍ତା ବି ଦେଉଛି। ସେ ନିଜେ ଏହି ଟେଷ୍ଟ୍ରୁ ଓହରି ଯାଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ମେଲ୍ବର୍ଣ୍ଣରେ ଖେଳି ନଥିବା ଶୁବମନ ଗିଲ୍ ପ୍ରଥମେ ଅଭ୍ୟାସ ଆରମ୍ଭ କରିଥିବା ବେଳେ ଶେଷରେ ନେଟ୍ସ ଛାଡ଼ିଥିଲେ ଧ୍ରୁବ ଜୁରେଲ। ଜୁରେଲ ପର୍ଥ ଟେଷ୍ଟ୍ ପରଠାରୁ ଖେଳିନାହାନ୍ତି। ଏସବୁ ସଙ୍କେତରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ରୋହିତ ଶର୍ମା ବାଦ୍ ପଡ଼ିବା ନିଶ୍ଚିତ। ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ବିଚାରକୁ ନେଲେ ରୋହିତଙ୍କୁ ବିଶ୍ରାମ ଦିଆଯିବା ବିଶ୍ବାସ କ୍ରମେ ବଢ଼ିଚାଲିଛି। ପର୍ଥ ଟେଷ୍ଟ୍ ଭଳି ଯଶପ୍ରୀତ୍ ବୁମରା ପୁଣି ଅଧିନାୟକତ୍ବ କରିବା ସମ୍ଭାବନା ରହିଛି।
ରନ୍ ପାଇଁ ଅଧିକାଂଶ ଭାରତୀୟ ବ୍ୟାଟର୍ ସଂଘର୍ଷ କରୁଥିବା ବେଳେ ପ୍ରଥମ ପାଳି ବିଫଳତା ଜାରି ରହିଛି। ଅଷ୍ଟ୍ରେଲିଆ ସହ ତାଳ ଦେବାକୁ ଯୁଝୁଛି। ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡ୍ (ଏସ୍ସିଜି) ପୂର୍ବଭଳି ବ୍ୟାଟିଂ ଭୂସ୍ବର୍ଗ ହୋଇ ରହି ନାହିଁ। ଭାରତ ଏଠାରେ ୨୦୦୩ରେ ୭୦୫ ରନ୍ କରି ପାଳି ଘୋଷଣା କରିଥିଲା। କିନ୍ତୁ ବିଗତ ୩ ବର୍ଷ ଭିତରେ ଅଷ୍ଟ୍ରେଲିଆର ସମସ୍ତ ଗ୍ରାଉଣ୍ଡ୍ ତୁଳନାରେ ଏଠାରେ ୱିକେଟ୍ ପିଛା ସର୍ବାଧିକ ୩୪.୮୫ ହାରରେ ରନ୍ ସଂଗୃହିତ ହୋଇଛି। ସମ୍ଭବତଃ ଏହି କାରଣରୁ ଅଷ୍ଟ୍ରେଲିଆ ନିଜ ବୋଲିଂକୁ ଅଧିକ ଶକ୍ତିଶାଳୀ କରିବାକୁ ଯୋଜନା କରିଛି। ନଜରରେ ରହିବେ ଏଥର ରୋହିତ ଶର୍ମା। ଯଦି ଖେଳନ୍ତି ସମ୍ଭବତଃ ଏହା ଅଷ୍ଟ୍ରେଲିଆ ମାଟିରେ ଶେଷ ଟେଷ୍ଟ୍ ହେବ। ତାଙ୍କ ଅନୁପସ୍ଥିତିରେ ପର୍ଥ ଟେଷ୍ଟ୍ ଜିତିଥିବା ଭାରତ ପାଇଁ ସେ ତ୍ୟାଗ କରି ପରବର୍ତ୍ତୀ ୨ ଟେଷ୍ଟ୍ରେ ମଧ୍ୟକ୍ରମରେ ଖେଳିଥିଲେ। ମେଲ୍ବର୍ଣ୍ଣରେ ସେ ଓପନିଂ କରିଥିଲେ ମଧ୍ୟ ଏହା କାମ ଦେଲାନି। ବୁମରାଙ୍କୁ ଛାଡ଼ିଦେଲେ ପ୍ୟାଟ୍ କମିନ୍ସ ଶ୍ରେଷ୍ଠ ବୋଲର ଅଛନ୍ତି। ପର୍ଥରେ ଲୟହୀନ ରହିବା ପରେ ସେ ଆଡିଲେଡ୍, ବ୍ରିସ୍ବେନ୍, ମେଲ୍ବର୍ଣ୍ଣରେ ଭାରତୀୟଙ୍କୁ ଅଡ଼ୁଆରେ ପକାଇଛନ୍ତି ଅଧିକ। ମେଲ୍ବର୍ଣ୍ଣରେ ଉଭୟ ପାଳିରେ ୪୦+ ସ୍କୋର୍ ସହ ୬ ୱିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ସମ୍ମାନ ବି ପାଇଛନ୍ତି। ଘରୋଇ ପଡ଼ିଆରେ ବିଜୟ ସହ ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ଯୋଗ୍ୟତା ଅର୍ଜନ କରିବାକୁ କମିନ୍ସଙ୍କ ଦଳ ନିଶ୍ଚିତ ଯୋଜନା ରଖିଛି।
କ୍ରିକେଟ୍ କଥନ
୪୦/୪୫ ଦିନ ତଳେ ଯଦି କେହି କହିଥିବେ, ଆମେ ସିଡ୍ନି ଆସି ଶୃଙ୍ଖଳାକୁ ଡ୍ର’ ରଖିପାରିବୁ ଏହା ନିଶ୍ଚିତ ଭଲ ସ୍ଥିତି ହେବ: ଗୌତମ ଗମ୍ଭୀର
ପ୍ରତି ଟେଷ୍ଟ୍ରେ ଆମେ ପ୍ରୟାସ କରିଛୁ, ଚଳିତ ସପ୍ତାହ ବି କିଛି ଭିନ୍ନ ହେବ ନାହିଁ। ଗତ ୩ ଟେଷ୍ଟ୍ରେ ଆମ ଖେଳାଳି ଭଲ ଖେଳିଛନ୍ତି: ପ୍ୟାଟ୍ କମିନ୍ସ
ରୋହିତ ଶର୍ମା ଅବସର ନେଇଗଲେ ମୁଁ ବିସ୍ମିତ ହେବି ନାହିଁ। କିନ୍ତୁ ସିଡ୍ନିରେ ଖେଳିଲେ ମୁକ୍ତ ଭାବେ ଯାଇ ବିସ୍ଫୋରକ ବ୍ୟାଟିଂ କରିବାକୁ ପରାମର୍ଶ ଦେଉଛି: ରବି ଶାସ୍ତ୍ରୀ
ଗୌତମ ଗମ୍ଭୀରଙ୍କୁ ପ୍ରଶିକ୍ଷଣ କଳା କୌଶଳ ଜଣା ନାହିଁ: ବସିତ୍ ଅଲୀ
ଉଭୟ ଦଳ ଆଘାତଜନିତ କାରଣରୁ ଗୋଟିଏ ଲେଖାଏଁ ପରିବର୍ତ୍ତନ କରିବାକୁ ବାଧ୍ୟ ହେବେ। ମିଚେଲ୍ ମାର୍ସଙ୍କ ବଦଳରେ ବିଉ ୱେବ୍ଷ୍ଟର୍ ପଦାର୍ପଣ କରିବା ନିଶ୍ଚିତ ହୋଇଛି। ସେହିଭଳି ଆକାଶ ଦୀପ୍ ଆହତ ତାଲିକାରେ ରହିବାରୁ ତାଙ୍କ ବଦଳରେ ପ୍ରସିଦ୍ଧ କୃଷ୍ଣ କି ହର୍ଷିତ ରାଣା ଖେଳିବେ ସ୍ପଷ୍ଟ ହୋଇନାହିଁ। ଗିଲ୍ ଓ ଜୁରେଲଙ୍କୁ ଗମ୍ଭୀର ଖେଳାଇବା ବିଶ୍ବାସ କରାଯାଉଛି। କିନ୍ତୁ ଏଥି ପାଇଁ କିଏ ବାହାରକୁ ଯିବେ ସ୍ପଷ୍ଟ ହୋଇନି। ରୋହିତ ଶର୍ମା, ୱାସିଂଟନ୍ ସୁନ୍ଦର, ଋଷଭ ପନ୍ତ୍ଙ୍କ ମଧ୍ୟରୁ ନିଶ୍ଚିତ ଦୁଇ ଜଣ ବାହାରେ ବସିବେ। ଭାରତର ବ୍ୟାଟିଂ ଯୁବ ତାରକା ଯଶସ୍ବୀ ଜୟସ୍ବାଲ, ନୀତୀଶ କୁମାର ରେଡ୍ଡୀଙ୍କ ସହ କେଏଲ୍ ରାହୁଲ, ବିରାଟ କୋହଲିଙ୍କ ଉପରେ ଅଧିକ ନିର୍ଭର କରିବ।
ଭାରତୀୟ ଦଳ (ସମ୍ଭାବ୍ୟ ୧୧): ରୋହିତ ଶର୍ମା (ଅଧିନାୟକ)/ଶୁବମନ ଗିଲ୍, ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ୍, ବିରାଟ କୋହଲି, ଋଷଭ ପନ୍ତ୍, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ, ନୀତୀଶ କୁମାର ରେଡ୍ଡୀ, ପ୍ରସିଦ୍ଧ କୃଷ୍ଣ/ହର୍ଷିତ ରାଣା, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ।
ଅଷ୍ଟ୍ରେଲିଆ ଦଳ:ଉସ୍ମାନ ଖୱାଜା, ସାମ କନ୍ଷ୍ଟାସ୍, ମାର୍ନସ ଲବୁସେନ୍, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ବିଉ ୱେବ୍ଷ୍ଟର୍, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ୍ ଷ୍ଟାର୍କ, ସ୍କଟ୍ ବୋଲାଣ୍ଡ୍, ନାଥନ୍ ଲାୟନ୍।
ପିଚ୍ ଓ ପରିସ୍ଥିତି
ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡ୍ରେ ମ୍ୟାଚ୍ ପୂର୍ବଦିନ ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ଘାସ ଅଛି। ଚଳିତ ଋତୁରେ ଏଠାରେ ଖେଳାଯାଇଥିବା ସେଫିଲ୍ଡ ସିଲ୍ଡ ମ୍ୟାଚ୍ର ରିପୋର୍ଟ ଅନୁସାରେ ଏହାକୁ ‘ଭଲ କ୍ରିକେଟ୍ ୱିକେଟ୍’ ଅଭିହିତ କରାଯାଇଛି। ଗତି ସହିତ ବୋଲରଙ୍କ ପାଇଁ ଯଥେଷ୍ଟ କିଛି ଅଛି। ପାଗ ଓ ପରିବେଶ ଭଲ ଥିଲେ ମଧ୍ୟ ଶେଷ ଦୁଇ ଦିନ ବର୍ଷାର ପୂର୍ବାନୁମାନ ରହିଛି।
ରେକର୍ଡକୁ ଅପେକ୍ଷା
ସିଡ୍ନିରେ ଆଉ ମାତ୍ର ୩୮ ରନ୍ କରିପାରିଲେ ଷ୍ଟିଭେନ୍ ସ୍ମିଥ୍ ୧୦,୦୦୦ ଟେଷ୍ଟ୍ ରନ୍ ପୂର୍ଣ୍ଣ କରିବେ। ଆଲାନ୍ ବର୍ଡର, ଷ୍ଟିଭ୍ ୱ ଏବଂ ରିକି ପଣ୍ଟିଂଙ୍କ ପରେ ସେ ଚତୁର୍ଥ ଅଷ୍ଟ୍ରେଲୀୟ ହେବେ। ସିଡ୍ନିରେ ଏହି ମାଇଲଖୁଣ୍ଟ ସ୍ପର୍ଶ କଲେ ସେ ପଣ୍ଟିଂଙ୍କ ୧୯୬ ପାଳି ପଛକୁ ଦ୍ବିତୀୟ ଦ୍ରୁତତମ ହୋଇପାରିବେ। ମିଚେଲ ଷ୍ଟାର୍କଙ୍କ ପାଇଁ ଏହା ଘରୋଇ ଗ୍ରାଉଣ୍ଡ୍। କିନ୍ତୁ ଏଠାରେ ତାଙ୍କ ପ୍ରଦର୍ଶନ ସେତେ ଭଲ ନାହିଁ। ୯ ଟେଷ୍ଟ୍ ଖେଳି ସେ ଏଠାରୁ ୪୪.୧୬ ହାରରେ ୨୪ ୱିକେଟ୍ ନେଇଛନ୍ତି। ସିଡନିରେ ଭାରତର ସମଗ୍ର ପ୍ରଦର୍ଶନ ଭଲ ନାହିଁ। ଏହି ପଡ଼ିଆରେ ଭାରତ ୧୩ ଟେଷ୍ଟ୍ ଖେଳି ମାତ୍ର ଗୋଟିଏ ଜିତିଛି।