ଭାରତୀୟ ଦଳକୁ ଶକ୍ତ ଧକ୍କା, ଆହତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଏକଦିବସୀୟ ସିରିଜରୁ ବାଦ ପଡ଼ିଲେ ରୋହିତ ଶର୍ମା

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି । ଆହତ ଥିବା ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଓପନର ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଏକଦିବସୀୟ ସିରିଜରୁ ବାଦ ପଡ଼ିଛନ୍ତି ।

ରବିବାରଦିନ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ଟି-୨୦ରେ ବ୍ୟାଟିଂ କରୁଥିବାବେଳେ ରୋହିତଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ପାଭିଲିୟନ ଫେରିଥିଲେ । ଏହି ଆଘାତ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି । ଏହା ପରେ ତାଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତଙ୍କ ସ୍ଥାନରେ ନବାଗତ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ଵାଲଙ୍କୁ ନିଆଯାଇଛି ।  ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରାଯାଇନାହିଁ ।

ପୂର୍ବରୁ ଭାରତୀୟ ଦଳର ଅନ୍ୟତମ ଓପନର ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଆହତ କାରଣରୁ ନ୍ୟୁଜିଲାଣ୍ଡ ସିରିଜରୁ ବାଦ ପଡ଼ିଥିଲେ । ଏବେ ରୋହିତ ବାଦ ପଡ଼ିବା ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ନ୍ୟୁଜିଲାଣ୍ଡରେ ଭାରତ ୩ଟି ଏକଦିବସୀୟ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚଟି ଆସନ୍ତା ୫ ତାରିଖ ବୁଧବାରଠାରୁ ଆରମ୍ଭ ହେବ । ଟି-୨୦ ଶୃଙ୍ଖଳାକୁ ୫-୦ରେ ଜିତି ଭାରତୀୟ ଦଳର ମନୋବଳ ଦୃଢ ଥିଲେ ମଧ୍ୟ ଏକଦିବସୀୟ ସିରିଜରେ ନ୍ୟୁଜିଲାଣ୍ଡ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର