ଢାକା: ଡିସେମ୍ବର ୨୨ ତାରିଖରୁ ଖେଳାଯିବାକୁ ଥିବା ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟରୁ ମଧ୍ୟ ନିୟମିତ ଅଧିନାୟକ ରୋହିତ ଶର୍ମା ବାଦ୍ ପଡ଼ିଛନ୍ତି। ରୋହିତ କ୍ରମେ ଫିଟ୍ ହେଉଥିଲେ ମଧ୍ୟ ଆସନ୍ତା ସପ୍ତାହରେ ଡାକ୍ତରୀ ଦଳ ଏହାର ଆକଳନ କରିବ। ଦିନିକିଆ ଶୃଙ୍ଖଳା ବେଳେ ଆହତ ହୋଇ ରୋହିତ ଚିକିତ୍ସା ଲାଗି ଭାରତ ଫେରିଯାଇଛନ୍ତି। ମୁମ୍ବାଇରେ ସେ ପୁନଃଥଇଥାନ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି। ଦ୍ବିତୀୟ ଦିନିକିଆରେ ସ୍ଲିପ୍ରେ ଫିଲ୍ଡଡିଂ ବେଳେ ତାଙ୍କୁ ବୁଢ଼ା ଆଙ୍ଗୁଠି ହାଡ଼ ଖସି ଯାଇଥିଲା। ସେବେଠାରୁ ରୋହିତ ଜାତୀୟ ଦଳଠାରୁ ଦୂରେଇ ରହିଛନ୍ତି। ଭାରତ ପରବର୍ତୀ ୨ ମାସ ଧରି ବ୍ୟସ୍ତ କାର୍ଯ୍ୟସୂଚୀ ରଖିଥିବାରୁ ରୋହିତ ସମ୍ପୂର୍ଣ୍ଣ ଫିଟ୍ ହେଲେ ହିଁ ଦଳକୁ ଫେରିପାରିବେ। ୨୦୨୩ ଜାନୁଆରିରେ ଭାରତ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ୬ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳିବ।
ଏହା ପରେ ଫେବ୍ରୁଆରି ୯ରୁ ଆରମ୍ଭ କରି ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୪ ମ୍ୟାଚ୍ ଟେଷ୍ଟ ଶୃଙ୍ଖଳା ରହିଛି। ଏହି ତିନି ଦେଶ ବିପକ୍ଷ ସମସ୍ତ ଶୃଙ୍ଖଳା ଘରୋଇ ମାଟିରେ ଖେଳିବ ଭାରତ। ରୋହିତ ଶର୍ମା ଉପଲବ୍ଧ ନ ହେବାରୁ କେଏଲ୍ ରହୁଲ ଭାରତୀୟ ଟେଷ୍ଟ ଦଳର ନେତୃତ୍ବ ଜାରି ରଖିବେ। ରୋହିତଙ୍କ ଅନୁପସ୍ଥିତିରେ ଖେଳିଥିବା ଶୁବମନ ଗିଲ୍ ଗତ ଚଟ୍ଟୋଗ୍ରାମ ଟେଷ୍ଟରେ ପ୍ରଥମ ଶତକ ହାସଲ କରିଥିବାରୁ ମଧ୍ୟ ସ୍ଥାନ ସୁରକ୍ଷିତ ରଖିବା ସମ୍ଭାବନା ରହିଛି। ରୋହିତ ଶର୍ମାଙ୍କ ବଦଳରେ କିନ୍ତୁ ବିସିସିଆଇ ବେଙ୍ଗଲ୍ ଖେଳାଳି ଅଭିମନ୍ୟୁ ଈଶ୍ବରନଙ୍କୁ ଦଳରେ ସଂରକ୍ଷିତ ଓପନର୍ ଭାବେ ସାମିଲ କରିଥିଲା। ଚଟ୍ଟୋଗ୍ରାମ ଟେଷ୍ଟରେ ଭାରତ ୧୮୮ ରନ୍ରେ ବିଜୟ ସହ ୧-୦ରେ ଆଗୁଆ ରହିଛି। ସୋମବାର ମଧ୍ୟ କେଏଲ୍ ରାହୁଲଙ୍କ ଦଳ ଦ୍ବିତୀୟ ଟେଷ୍ଟ ଖେଳିବାକୁ ଢାକା ପହଞ୍ଚିଛି। ଗୁରୁବାରଠାରୁ ସେର୍ ବାଂଲା ଷ୍ଟାଡିୟମ୍ରେ ଦ୍ବିତୀୟ ଟେଷ୍ଟ ଆରମ୍ଭ ହେବ।