ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ରୋହିତ ଶର୍ମା କହିଲେ, ଆମେ ଅନେକ ଥର ବଡ଼ ଲକ୍ଷ୍ୟ ହାସଲ କରିଛୁ କିନ୍ତୁ ଏଥର ଫେଲ୍‌ ହେଲୁ

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ ହାତରେ ବୁଧବାର ଭାରତ ପ୍ରଥମ ଟି-୨୦ରେ ପରାସ୍ତ ହେବା ପରେ ଟିମ୍‌ ଇଣ୍ଡିଆର ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ରୋହିତ କହିଛନ୍ତି, ଲକ୍ଷ୍ୟ ପଛରେ ଗୋଡେଇ ଆମେ ଅନେକ ଥର ସଫଳ ହୋଇଛୁ କିନ୍ତୁ ଏଥର ଫେଲ୍‌ ହୋଇଗଲୁ। ଉଭୟ ବ୍ୟାଟସ୍‌ମ୍ୟାଙ୍କ ମଧ୍ୟରେ ଭଲ ଭାଗିଦାରୀ ନହେବା ହେଉଛି ମ୍ୟାଚରେ ହାରିବାର କାରଣ ବୋଲି ରୋହିତ କହିଛନ୍ତି। ନ୍ୟୁଜିଲାଣ୍ଡ ୱେଷ୍ଟପାକ୍‌ ଷ୍ଟାଡିୟମରେ ୮୦ ରନ୍‌ରେ ପରାସ୍ତ କରିଛି। ଏହା ଲକ୍ଷ୍ୟ ପଛରେ ଗୋଡେଇ ଭାରତର ଟି-୨୦ରେ ଏଯାଏଁ ସବୁଠାରୁ ବଡ଼ ପରାଜୟ।

ରୋହିତ କହିଛନ୍ତି, ଏହା ଏକ ଅଡୁଆ ମ୍ୟାଚ ଥିଲା। ଆମେ ତିନି ବିଭାଗରେ ତାଙ୍କ ତୁଳନାରେ ଦୁର୍ବଳ ପ୍ରମାଣିତ ହୋଇଛୁ। ଆମେ ଜାଣିଥିଲୁ ଯେ, ୨୦୦ ରୁ ଅଧିକ ଲକ୍ଷ୍ୟ ଆମ ପାଇଁ ସହଜ ହେବ ନାହିଁ। ଆମର କ୍ରମାଗତ ଓ୍ଵିକେଟ ପତ୍ତନ ଘଟିଥିଲା। ଆମର ବ୍ୟାଟସ୍‌ମ୍ୟାନ ଧିରେ ଧିରେ କ୍ରିଜ୍‌ରୁ ବାହାରୁ ଆସୁଥିଲେ। ରୋହିତ କହିଛନ୍ତି, ଆମେ ପୂର୍ବରୁ ୨୦୦ରୁ ଅଧିକ ରନ୍‌ ହାସଲ କରିଛୁ କିନ୍ତୁ ଏଥର ଫେଲ୍‌ ହୋଇଯାଇଛୁ।

ନ୍ୟୁଜିଲାଣ୍ଡ ପକ୍ଷରୁ ୨୨୦ ରନ୍‌ ଟାର୍ଗେଟ ମିଳିବା ପରେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିଲା। ଭାରତ ୧୯.୨ ଓଭରରେ ୧୩୯ ରନ ସଂଗ୍ରହ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୩୯ ରନ୍‌, ଶିଖର ଧାଓ୍ଵନ ୨୯ ରନ୍‌, ବିଜୟ ଶଙ୍କର ୨୭ ରନ୍‌ କରିଥିବା ବେଳେ ଅନ୍ୟ ଖେଳାଳିମାନେ ୨ ଅଙ୍କ ବିଶିଷ୍ଟ ରନ୍‌ କରିବାକୁ ଅସମର୍ଥ ହୋଇଥିଲେ। ନ୍ୟୁଜିଲାଣ୍ଡର ବୋଲର ଟିମ୍‌ ସାଉଦୀ ୩ ଓ୍ଵିକେଟ, ଲକି ଫରଗୁସନ୍‌, ମିଚେଲ ସଣ୍ଟନର ଓ ଇସ୍‌ ସୋଧୀ ୨-୨ ଓ୍ଵିକେଟ ନେଇଥିବା ବେଳେ ଡାରଏଲ ମିଚେଲଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର