ମୁମ୍ବାଇ: ନିକଟରେ ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେଇଥିବା ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ସମ୍ମାନରେ ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ) ଗୁରୁବାର ୱାଙ୍ଖ୍ଡ଼େ ଷ୍ଟାଡିୟମରେ ରୋହିତ ଶର୍ମା ଷ୍ଟାଣ୍ଡ୍କୁ ଉଦ୍ଘାଟନ କରିଛି। ଦିଭେଚା ପାଭିଲିୟନ୍ ଲେଭଲ୍ ୩ ଏବେ ରୋହିତ ଶର୍ମା ଷ୍ଟାଣ୍ଡ୍ ଭାବେ ପରିଚିତ ହୋଇଛି। ଉଦ୍ଘାଟନୀ ସମାରୋହରେ ରୋହିତଙ୍କ ପରିବାର ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ, ଏନ୍ସିପି-ଏସ୍ସିପି ମୁଖ୍ୟ ଶରଦ ପାୱାର ଏବଂ ଏମ୍ସିଏର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରୋହିତ ଶର୍ମା ଷ୍ଟାଣ୍ଡ୍ ସହ ଶରଦ ପାୱାର ଷ୍ଟାଣ୍ଡ, ଅଜିତ ୱାଦେକର ଷ୍ଟାଣ୍ଡ ଉଦ୍ଘାଟନ ହୋଇଥିଲା।
ଏଥିସହ ଏମ୍ସିଏର ପୂର୍ବତନ ସଭାପତି ଅମୋଲ କାଲେଙ୍କ ନାଁରେ ଏମ୍ସିଏ କାର୍ଯ୍ୟାଳୟ ଲାଉଞ୍ଜ ନାମିତ ହୋଇଛି। ପୂର୍ବରୁ ୱାଙ୍ଖ୍ଡ଼େରେ କିଂବଦନ୍ତି ସଚିନ ତେନ୍ଦୁଲକର, ସୁନିଲ ଗାଭାସ୍କର, ଦିଲୀପ ଭେଙ୍ଗସରକାର ଓ ବିଜୟ ମର୍ଚ୍ଚାଣ୍ଟଙ୍କ ନାମରେ ଷ୍ଟାଣ୍ଡ୍ ଥିଲା। ଚଳିତ ମାସ ୨୧ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ଖେଳାଯିବ। ରୋହିତ ଏହି ଦିନ ପ୍ରଥମ ଥର ତାଙ୍କ ନାଁରେ ହୋଇଥିବା ଷ୍ଟାଣ୍ଡ୍ ସମ୍ମୁଖରେ ଖେଳିବେ। ରୋହିତଙ୍କୁ ଅଭିନନ୍ଦନ ଜଣାଇବା ସହ ରିଲାଏନ୍ସ ଫାଉଣ୍ଡେସନ୍ର ମୁଖ୍ୟ ନୀତା ଅମ୍ବାନି କହିଛନ୍ତି ‘ତୁମେ ମୁମ୍ବାଇର ଓ ଦେଶର ଅସଲ କିଂବଦନ୍ତି’।