ଭାରତୀୟ ଟେଷ୍ଟ୍ ଓ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ଐତିହାସିକ ୱାଙ୍ଖଡ଼େ ଷ୍ଟାଡିୟମ୍ର ଏକ ଷ୍ଟାଣ୍ଡ୍ ନାମିତ ହେବ। ମଙ୍ଗଳବାର ମୁମ୍ବାଇ କ୍ରିକେଟ୍ ସଂଘର ବାର୍ଷିକ ସାଧାରଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରୋହିତଙ୍କ ଛଡ଼ା ପୂର୍ବତନ ଭାରତୀୟ ଅଧିନାୟକ ଅଜିତ ୱାଦେକର ଏବଂ ପୂର୍ବତନ ବିସିସିଆଇ ଓ ଏମ୍ସିଏ ସଭାପତି ଶରଦ ପାୱାରଙ୍କ ନାମରେ ମଧ୍ୟ ଏହି ଷ୍ଟାଡିୟମ୍ର ଆଉ ଦୁଇଟି ଷ୍ଟାଣ୍ଡ୍ ନାମିତ ହେବ।
ୱାଙ୍ଖଡ଼େ ଷ୍ଟାଡିୟମ୍ର ଗ୍ରାଣ୍ଡ ଷ୍ଟାଣ୍ଡ୍ର ଲେଭଲ ୩ ଏଣିକି ଶରଦ ପାୱାର ଷ୍ଟାଣ୍ଡ୍, ଗ୍ରାଣ୍ଡ ଷ୍ଟାଣ୍ଡ୍ର ଲେଭଲ ୪ ଅଜିତ ୱାଦେକର ଏବଂ ଦିଭେଚା ପ୍ୟାଭିଲିୟନ ଲେଭଲ ୩ ରୋହିତ ଶର୍ମା ଷ୍ଟାଣ୍ଡ୍ ଭାବେ ପରିଚିତ ହେବ। ଏହି ନିଷ୍ପତ୍ତି ପରେ ରୋହିତ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ଏବଂ ଲିଟିଲ ମାଷ୍ଟର୍ ସୁନୀଲ ଗାଭାସ୍କରଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି। ପୂର୍ବରୁ ୱାଙ୍ଖଡ଼େ ଷ୍ଟାଡିୟମ୍ର ଦୁଇଟି ଷ୍ଟାଣ୍ଡ୍ ତେନ୍ଦୁଲକର ଏବଂ ଗାଭାସ୍କରଙ୍କ ନାମରେ ନାମିତ ହୋଇ ସାରିଛି।