ନୂଆଦିଲ୍ଲୀ:ଜୁଲାଇ ୨୭ରୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ ଆରମ୍ଭ ହେବ। ଏହା ପରେ ପରେ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜ ଆରମ୍ଭ ହେବ। ଏହି ସିରିଜରେ ଷ୍ଟାର କ୍ରିକେଟର ରୋହିତ ଶର୍ମା ବିଶ୍ରାମ ନେବେ ଓ କ୍ରିକେଟର କେଏଲ ରାହୁଲ ଦଳର ନେତୃତ୍ବ ନେବେ ବୋଲି କୁହାଯାଉଥିଲା। ହେଲେ ଏବେ କୁହାଯାଉଛି ଯେ, କେଏଲ ରାହୁଲ ଦଳର ନେତୃତ୍ବ ନେବେ ନାହିଁ। ବିସିସିଆଇ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରିବାକୁ ଚିନ୍ତା କରୁଥିବା ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଓଡିଆଇ ସିରିଜରେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ସେ ଦଳର ନେତୃତ୍ୱ ନେବେ। ଏହାପୂର୍ବରୁ କୁହାଯାଉଥିଲା ଯେ ରୋହିତ, ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରା ଶ୍ରୀଲଙ୍କା ବିପକ୍ଷ ଓଡିଆଇରେ ବିଶ୍ରାମ ନେବେ ଏବଂ କେଏଲ ରାହୁଲ ଓଡିଆଇର ଅଧିନାୟକ ହେବେ। ହେଲେ ଏବେ ସାମ୍ନାକୁ ଆସିଛି ଯେ, ରୋହିତ ଛୁଟି ବାତିଲ କରି ପଡ଼ିଆକୁ ଫେରିବେ ଏବଂ ବିରାଟ ଓ ବୁମରା ନିଜର ଛୁଟି ଉପଭୋଗ କରିବେ। ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତ ମାତ୍ର ୬ଟି ଓଡିଆଇ ଖେଳିବ ଏବଂ ମୁଖ୍ୟ ପ୍ରଶିକ୍ଷକ ଭାବରେ ଗୌତମ ଗମ୍ଭୀର ନିଜର କାର୍ଯ୍ୟ ଆରମ୍ଭ କରିବେ।
ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜର ଅଧିନାୟକ କିଏ ହେବ ସେ ନେଇ ଆଲୋଚନା ଚାଲିଛି। ଦୌଡ଼ରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ।