ଶେଷ ଦୁଇ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଯିବେ ରୋହିତ ଶର୍ମା

ନୂଆଦିଲ୍ଲୀ : ବରିଷ୍ଠ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ ଗତ କିଛି ସପ୍ତାହ ଧରି ଚାଲିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ଶୁକ୍ରବାର ରୋହିତ ପ୍ରତୀକ୍ଷିତ ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ) ତାଙ୍କ ଫିଟ୍‌ନେସ୍‌ ନେଇ ସବୁଜସଂକେତ ଦେଇଛି। ଫଳରେ ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ ନିଶ୍ଚିତ ହୋଇଯାଇଛି। ସମ୍ଭବତଃ ସେ ଆସନ୍ତା ୧୪ ତାରିଖରେ ଅଷ୍ଟ୍ରେଲିଆ ଯିବେ। ଆଇସିସି ମାନ୍ୟତାର ଏକ ନମ୍ବର ଟେଷ୍ଟ୍‌ ଦଳ ବିପକ୍ଷ ଶୃଙ୍ଖଳା ଆରମ୍ଭର ତିନି ଦିନ ପୂର୍ବରୁ ସେ ଅଷ୍ଟ୍ରେଲିଆ ପହଞ୍ଚିଯିବାର ଆଶା କରାଯାଉଛି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ)ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ରୋହିତଙ୍କ ଫିଟ୍‌ନେସ୍‌ ପରୀକ୍ଷା ଏନ୍‌ସିଏ ନିର୍ଦେଶକ ରାହୁଲ ଦ୍ରାବିଡ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା। ଦ୍ରାବିଡ୍‌ ହିଁ ରୋହିତଙ୍କୁ ଫିଟ୍‌ନେସ୍‌ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ତାଙ୍କୁ ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍‌ ଦିଆଯାଇଥିଲେ ମଧ୍ୟ ଏବେ ସେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଶେଷ ଦୁଇ ଟେଷ୍ଟ୍‌ ପାଇଁ ଦଳରେ ସାମିଲ ହୋଇପାରିବେ। ତେବେ ଅଷ୍ଟ୍ରେଲୀୟ ସରକାରଙ୍କ ନିୟମାବଳୀ ଅନୁଯାୟୀ ଏହି ଭାରତୀୟ ତାରକା ବ୍ୟାଟ୍‌ସମ୍ୟାନ୍‌ ଶେଷ ଦୁଇ ଟେ‌ଷ୍ଟ୍‌ (ସିଡ୍‌ନି, ଜାନୁଆରି ୭ରୁ ୧୧ ଏବଂ ବ୍ରିସ୍‌ବନ୍‌, ଜାନୁଆରି ୧୫ରୁ ୧୯) ପାଇଁ ପ୍ରଶିକ୍ଷଣ ନେବା ପୂର୍ବରୁ ବାଧ୍ୟତାମୂଳକ ୧୪ ଦିନିଆ ସଂଗରୋଧରେ ରହିବେ। ତେଣୁ ରୋହିତ ସିଧାସଳଖ ସିଡ୍‌ନିରେ ପହଞ୍ଚିବେ ଏବଂ ସେଠାରେ ଗୋଟିଏ ସପ୍ତାହ ପ୍ରସ୍ତୁତି କରିବେ।

ସମ୍ବନ୍ଧିତ ଖବର