ଶ୍ରୀଲଙ୍କା ଗସ୍ତରେ ବିଶ୍ରାମ ନେବେ କୋହଲି-ଧୋନି, ନେତୃତ୍ୱ ନେବେ ରୋହିତ ଶର୍ମା

ନବାଗତଙ୍କୁ ସୁଯୋଗ, ଖେଳିପାରନ୍ତି ଋଷଭ ପନ୍ଥ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଟିମ୍‌ ଇଣ୍ଡିଆର ପାଞ୍ଚ ଜଣ ବରିଷ୍ଠ ଖେଳାଳି ବିଶ୍ରାମ ନେବେ। ଟିମ୍‌ର ଅଧିନାୟକ ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ରାମ ନେଉଥିବାରୁ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ। ଟ୍ରାଇ-ସିରିଜ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଅଧିନାୟକ ଦାୟିତ୍ୱ ତୁଲାଇବେ।

ଦକ୍ଷିଣ ଆଫ୍ରିକାରେ ଶନିବାର ଟ୍ରାଇ-ସିରିଜ ଶେଷ ହେବାକୁ ଥିବା ବେଳେ, ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବରିଷ୍ଠ ଖେଳାଳିମାନେ ଥକିପଡ଼ିଛନ୍ତି ବୋଲି କୁହାଯାଉଛି। ବିସିସିଆଇ ଓ ଖେଳାଳିମାନଙ୍କ ସହମତିରେ ରୋହିତ ଶର୍ମାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଉଛି। ସେହିଭଳି ଶ୍ରୀଲଙ୍କାରେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବ। ଚୟନକାରୀ ଟିମ୍‌ ରବିବାର ନୂଆ ଖେଳାଳିଙ୍କ ନାମ ଘୋଷଣା କରିପାରନ୍ତି।

ଶ୍ରୀଲଙ୍କା ଗସ୍ତରେ ଦିଲ୍ଲୀ ଓ୍ଵିକେଟ କିପର-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ଥଙ୍କୁ ସ୍ଥାନ ମିଳିପାରେ। ଏ ନେଇ ଋଷଭ ପନ୍ଥଙ୍କ ସହିତ ଚୟନକାରୀ ପ୍ୟାନେଲର ସଦସ୍ୟ ଏମ୍‌ଏସ୍‌କେ ପ୍ରସାଦ ପାଲମ କ୍ରିକେଟ ଗ୍ରାଉଣ୍ଡରେ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ‘ବିଜୟ ହଜାରେ’ର ଏକ ମ୍ୟାଚ୍‌ ପରେ ଆଲୋଚନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର