ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ପଡ଼ିଆ ଭିତରେ ପସିଲେ ପ୍ରଶଂସକ, ଭାରସାମ୍ୟ ହରାଇ ତଲେ ପଡ଼ିଗଲେ ରୋହିତ

ପୁନେରେ ଦକ୍ଷିଣ ଆଫ୍ରିକା ପାଳିର ୪୫ତମ ଓଭରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ହଠାତ୍ ଜଣେ ପ୍ରଶଂସକ ପଡ଼ିଆ ଭିତରେ ପ୍ରବେଶ କରିଥିଲେ। ଏହି ପ୍ରଶଂସକଜଣକ ସିଧା ଯାଇ ସ୍ଲିପ୍‌ରେ କ୍ଷେତ୍ରରକ୍ଷଣ କରୁଥିବା ରୋହିତ ଶର୍ମାଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ। ରୋହିତ ହଠାତ୍ କିଛି ବୁଝି ପାରି ନଥିଲେ। ଫଳରେ ସନ୍ତୁଳନ ହରାଇ ସଂପୃକ୍ତ ପ୍ରଶଂସକଙ୍କ ଉପରେ ହିଁ ହାମୁଡ଼ି ପଡ଼ିଯାଇଥିଲେ। ପରେ ସୁରକ୍ଷାକର୍ମୀ ପ୍ରଶଂସକଜଣଙ୍କୁ ଧରି ପଡ଼ିଆ ବାହାରକୁ ନେଇଥିଲେ। ତେବେ ରୋହିତ ଆହତ ହେବାରୁ ଅଳ୍ପକେ ବର୍ତି ଯାଇଥିଲେ। ଏହି ଘଟଣାକୁ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ତୀବ୍ର ସମାଲୋଚନା କରିଥିଲେ। ଭାଷ୍ୟକାର ଦାୟିତ୍ବ ତୁଲାଉଥିବା ଗାଭାସ୍କର ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଥିଲେ। ସୁରକ୍ଷାକର୍ମୀ ଦର୍ଶକଙ୍କୁ ଜଗିବା ପରିବର୍ତେ ମ୍ୟାଚ୍ ଦେଖିବାରୁ ମଗ୍ନ ରହୁଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ସେ ମତ ରଖିଥି‌ଲେ। ଏଣୁ ସୁରକ୍ଷାକର୍ମୀଙ୍କ ଉପରେ କ୍ୟାମେରାରେ ନଜର ରଖିବାକୁ ସେ ଆୟୋଜକଙ୍କୁ ଆହ୍ବାନ କରିଥିଲେ। ଏଭଳି ବିପଜ୍ଜନକ ଘଟଣା ଯେଭଳି ଆଗକୁ ନ ଘଟେ ସେ ଦିଗରେ ଅଧିକ ଧ୍ୟାନ ଦେବାକୁ ସେ ମଧ୍ୟ ବିସିସିଆଇକୁ ଆହ୍ବାନ କରିଥିଲେ। ଚଳିତ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ କିନ୍ତୁ ତୃତୀୟ ଥର ପାଇଁ ଏଭଳି ଘଟଣା ଘଟିଥିଲା। ବିଶାଖାପାଟଣା ଟେଷ୍ଟରେ ଜଣେ ପ୍ରଶଂସକ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ହାତ ହଲାଇବା ସହ ପଡ଼ିଆ ଭିତରେ ଥିବା ଖେଳାଳିଙ୍କ ସହ ସେଲଫି ନେବାକୁ ଚେଷ୍ଟା କରିଥିଲା। ମୋହାଲିରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଟ୍ବେଣ୍ଟି-୨୦ରେ ପ୍ରଶଂସକମାନେ ପଡ଼ିଆ ଭିତରେ ପ୍ରବେଶ କରିବାରୁ ଦୁଇ ଥର ଖେଳ ବନ୍ଦ ହୋଇଥିଲା।

ସମ୍ବନ୍ଧିତ ଖବର