ନୂଆଦିଲ୍ଲୀ: କୋହଲିଙ୍କ ଅପେକ୍ଷା ରୋହିତ ବହୁତ ଭଲ ବ୍ୟାଟ୍ସମ୍ୟାନ୍। ଏଭଳି କହି ଏବେ ଚର୍ଚ୍ଚାରେ ପାକ୍ ଦ୍ରୁତ ବୋଲର ସୋହେଲ ଖାନ୍। ବର୍ତ୍ତମାନ ବିରାଟ କୋହଲି ଏବଂ ରୋହିତ ଶର୍ମା ଭାରତୀୟ କ୍ରିକେଟର ଆଗ ଧାଡ଼ିର ଖେଳାଳି। ଦୁହେଁ ନିଜ ନିଜର କ୍ରିକେଟ ଖେଳିବାର ଶୈଳୀ ପାଇଁ ଜଣାଶୁଣା। ଭାରତକୁ ଦୁହେଁ ଅନେକ ଥର ଗୌରବାନ୍ବିତ କରାଇଥିବା ବେଳେ ଏବେ ପାକିସ୍ତାନୀ ଦ୍ରୁତ ବୋଲର ସୋହେଲ ଖାନ୍ ଦୁହିଁଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।
ସୋହେଲ ଅଷ୍ଟ୍ରେଲିଆରେ ୨୦୧୫ ହୋଇଥିବା ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିଥିଲେ। ସେ ସମୟର କଥା ମନେ ପକାଇ ‘ନାଦିର ଅଲି ପୋଡକାଷ୍ଟ’ରେ ସୋହେଲ କହିଛନ୍ତି, ରୋହିତଙ୍କ କୌଶଳକୁ ମୁଁ ଖୁବ ପସନ୍ଦ କରେ। ଏହା ସହ କୋହଲିଙ୍କ ପ୍ରତି ମଧ୍ୟ ମୋର ସମ୍ମାନ ରହିଛି। ମୁଁ କୋହଲିଙ୍କୁ ସମ୍ମାନ କରେ କାରଣ ସେ ବହୁତ ବଡ ବ୍ୟାଟ୍ସମ୍ୟାନ୍। କିନ୍ତୁ ଜଣେ ବୋଲର ଭାବରେ ମୁଁ ଅନୁଭବ କରୁଛି ଯେ ରୋହିତ ଶର୍ମା ତାଙ୍କ ଅପେକ୍ଷା ବହୁତ ଭଲ ବ୍ୟାଟ୍ସମ୍ୟାନ୍। ତାଙ୍କର କୌଶଳ ଅତ୍ୟନ୍ତ ଭଲ।