ଭାରତ ବନାମ ଦକ୍ଷିଣ ଆଫ୍ରିକା: ବିଜୟନଗରମ୍‌ରେ ନିଜକୁ ପ୍ରସ୍ତୁତ କରୁଛନ୍ତି ରୋହିତ ଶର୍ମା

ବିଜୟନଗରମ୍‌: ଭାରତୀୟ କ୍ରିକେଟ୍‌ ଟିମ୍‌ ଟି-୨୦ ଶୃଙ୍ଖଳା ଶେଷ ହେବା ପରେ ଟେଷ୍ଟ କ୍ରିକେଟ୍‌ ପାଇଁ ପ୍ରସ୍ତୁତ ହେଉଛି। ରୋହିତ ଶର୍ମା ଟି-୨୦ ଓ ଟେଷ୍ଟ ଶୃଙ୍ଖଳା ମଧ୍ୟରେ ମିଳୁଥିବା ସମୟକୁ ଭିନ୍ନ ଶୈଳୀରେ ବ୍ୟବହାର କରୁଛନ୍ତି, ଯାହାକି ସେ ଆଗରୁ କରି ନ ଥିଲେ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ୩ ଦିନିଆ ଅଭ୍ୟାସ ମ୍ୟାଚ ଖେଳାଯିବ। ବିସିସିଆଇ ଏଥି ପାଇଁ ବୋର୍ଡ ପ୍ରେସିଡେଣ୍ଟ (ବିପି ଏକ୍ସଆଇ) ଟିମ୍‌ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଏହି ଟିମ୍‌ର ଅଧିନାୟକ ପଦରେ ନିଯୁକ୍ତ କରାଯାଇଛି। ଏହି ମ୍ୟାଚଗୁଡ଼ିକ ଗୁରୁବାର ଠାରୁ ବିଜୟନଗରମ୍‌ରେ ଖେଳାଯିବ।

ବୋର୍ଡ ପ୍ରେସିଡେଣ୍ଟ (ବିପିଏକ୍ସଆଇ) ଟିମ୍‌ରେ ୩ ଜଣ ସ୍ପେଶାଲିଷ୍ଟ ଓପନର ରଖାଯାଇଛି। ଏହି ୩ ଜଣ କ୍ରିକେଟର ହେଲେ ମୟଙ୍କ ଅଗ୍ରଓ୍ଵାଲ, ପ୍ରିୟାଙ୍କ ପାଞ୍ଚାଳ ଓ ଏଆଇ ଈଶ୍ୱରନ୍‌। ବୋଲିଂ ଦାୟିତ୍ୱ ଜଳଜ ସାକ୍‌ସେନା, ଧର୍ମେନ୍ଦ୍ର ସିଂହ ଜାଦେଜା, ଆବେଶ ଖାନ୍‌, ଈଶାନ ପୋରେଲ, ଶାର୍ଦ୍ଦୁଲ ଠାକୁର ଓ ଉମେଶ ଯାଦବଙ୍କୁ ମିଳିଛି।

ବୋର୍ଡ ପ୍ରେସିଡେଣ୍ଟ ଇଲେଭେନ୍‌ ଟିମରେ ଯଦିଓ ୩ ଜଣ ସ୍ପେଶାଲିଷ୍ଟ ଓପନର ଅଛନ୍ତି, ତଥାପି ଇନିଂସ ଆରମ୍ଭ ରୋହିତ ଶର୍ମା କରିପାରନ୍ତି। ରୋହିତଙ୍କୁ ଟେଷ୍ଟ ଶୃଙ୍ଖଳା ପାଇଁ ଘୋଷିତ ଟିମ୍‌ରେ ଓପନର ଭାବେ ଚୟନ କରାଯାଇଛି। ସେ ଏଯାଏଁ କ୍ୟାରିୟରରେ ଟେଷ୍ଟ ମ୍ୟାଚରେ କେବେ ବି ଓପନିଙ୍ଗ କରି ନଥିଲେ। ଏଥି ପାଇଁ ସେ ଅଭ୍ୟାସ ମ୍ୟାଚରେ ଇନିଂସ ଆରମ୍ଭ କରିପାରନ୍ତି।

ସମ୍ବନ୍ଧିତ ଖବର