ସଚିନ୍‌-ସୌରଭଙ୍କ କ୍ଲବ୍‌ରେ ରୋହିତ-ଶିଖର: ପ୍ରାରମ୍ଭିକ ଯୋଡ଼ି ଭାବେ ୫୦୦୦ ରନ୍‌

କେନିଙ୍ଗଟନ୍‌ ଓଭାଲ (ଲଣ୍ଡନ): ସୀମିତ ଓଭର କ୍ରିକେଟ୍‌ରେ ଭାରତର ସର୍ବାଧିକ ସଫଳ ପ୍ରାରମ୍ଭିକ ଯୋଡ଼ି ତାଲିକାରେ ରୋହିତ ଶର୍ମା ଓ ଶିଖର ଧାୱନ୍‌ ଯୋଡ଼ି ହୋଇଯାଇଛନ୍ତି। ମଙ୍ଗଳବାର ସେମାନେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ବିଶେଷକରି ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ସ୍କୋର୍‌ କରିବା କ୍ଷେତ୍ରରେ ଏହି ଯୋଡ଼ି ପୂର୍ବତନ ଯୋଡ଼ି ସଚିନ୍‌ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ସଚିନ୍‌-ସୌରଭ ଭାରତର ସର୍ବାଧିକ ସଫଳ ପ୍ରାରମ୍ଭିକ ଯୋଡ଼ି ଭାବେ ୬୬୦୯ ରନ୍‌ କରିଥିଲେ। ଦୁହେଁ ୧୩୬ ପାଳିରୁ ଏହି ସ୍କୋର୍‌ ସଂଗ୍ରହ କରି ଭାରତୀୟ କୀର୍ତ୍ତିମାନ ସେମାନଙ୍କ ନାମରେ ରଖିଛନ୍ତି। ହେଲେ ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୬ ରନ୍ ଯୋଡ଼ିବା ପରେ ରୋହିତ-ଶିଖର ୫୦୦୦ ରନ୍‌ ପୂରଣ କରିଥିଲେ। ୧୧୨ ପାଳିରୁ ୫୦୦୦ ରନ୍‌ ପୂରଣ କରି ସେମାନେ ସର୍ବାଧିକ ସ୍କୋର୍‌ କରିବାରେ ଦ୍ବିତୀୟ ଭାରତୀୟ ଯୋଡ଼ି ହୋଇଛନ୍ତି। ଏଥିସହିତ ରୋହିତ-ଶିଖର ମଧ୍ୟ ବିଶ୍ବର ଚତୁର୍ଥ ଯୋଡ଼ି ଭାବେ ୫୦୦୦ ରନ୍‌ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। କିଂବଦନ୍ତି ୱେଷ୍ଟ୍‌ଇଣ୍ଡିଜ୍‌ ପ୍ରାରମ୍ଭିକ ଯୋଡ଼ି ଗର୍ଡନ ଗ୍ରିନିଜ୍‌-ଡେସ୍‌ମଣ୍ଡ୍‌ ହେନ୍‌ସ (୫୧୫୦ ରନ୍‌, ୧୦୨ ପାଳି) ଏବଂ ଅଷ୍ଟ୍ରେଲୀୟ ଯୋଡ଼ି ଆଡାମ ଗିଲ୍‌କ୍ରିଷ୍ଟ-ମାଥ୍ୟୁ ହେଡେନ୍‌ (୫୪୭୨ ରନ୍‌, ୧୧୪ ପାଳି) ଏହି କ୍ଲବ୍‌ର ସଦସ୍ୟ ରହିଛନ୍ତି। କିନ୍ତୁ ଗାଙ୍ଗୁଲି-ସଚିନ୍‌ ଏକମାତ୍ର ଯୋଡ଼ି ଭାବେ ସର୍ବାଧିକ ଶତକୀୟ ଭାଗୀଦାରି (୨୧)ର କୀର୍ତ୍ତି ବହନ କରିଛନ୍ତି। ଏକ୍ଷେତ୍ରରେ ରୋହିତ-ଶିଖର (୧୮) ପଛରେ ପଡ଼ିଯାଇଛନ୍ତି।

ଦର୍ଶକଙ୍କୁ ଘାଇଲା କଲା ରୋହିତଙ୍କ ଛକା

ଲଣ୍ଡନ: ମଙ୍ଗଳବାର ଭାରତୀୟ ଓପନର ତଥା ଅଧିନାୟକ ରୋହିତ ଶର୍ମାଙ୍କ ଏକ ଛକା ଜଣେ ମହିଳା ଦର୍ଶକଙ୍କୁ ଘାଇଲା କରିଥିଲା। ଏହି ଘଟଣା ଭାରତୀୟ ପାଳିର ପଞ୍ଚମ ଓଭରରେ ଘଟିଥିଲା। ଡେଭିଡ୍ ୱିଲିଙ୍କୁ ରୋହିତ ପୁଲ୍ ସଟ୍ ଖେଳି ସୀମା ରେଖା ପାର କରାଇଲା ବେଳେ ବଲ୍ ସିଧା ଯାଇ ଏହି ମହିଳା ଦର୍ଶକଙ୍କ ପିଠିରେ ବାଜିଥିଲା। ସଂପୃକ୍ତ ଦର୍ଶକଙ୍କ ଉପରେ କ୍ୟାମେରା ପଡ଼ିଲା ବେଳେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ସାନ୍ତ୍ବନା ଦେଉଥିବା ଦେଖିବାକୁ ମିଳିଥିଲା। ଏଥିଲାଗି କିଛି ସମୟ ପାଇଁ ଖେଳ ମଧ୍ୟ ବନ୍ଦ ରହିଥିଲା। ବଲ୍ ସେହି ମହିଳା ଦର୍ଶକଙ୍କ ଦେହରେ ବାଜିଥିବା ଭାଷ୍ୟକାର ରବି ଶାସ୍ତ୍ରୀ ଓ ମାଇକ ଆଥରଟନ୍ ମଧ୍ୟ ସେମାନଙ୍କ ଧାରା ବିବରଣୀରେ ସ୍ପଷ୍ଟ କରିଥିଲେ।

ଦେଢ଼ ଶହ ୱିକେଟ୍ ନେବାରେ ସାମି ଦ୍ରୁତତମ ଭାରତୀୟ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଏକ ନୂଆ କୀର୍ତ୍ତିମାନ କରିଛନ୍ତି। ଏକଦିବସୀୟ ଅନ୍ତର୍ଜାତୀୟ କ୍ରି‌କେଟ୍‌ରେ ୧୫୦ ୱିକେଟ୍ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଛନ୍ତି ସେ। ସାମି ଏହି କ୍ରମରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକରଙ୍କୁ ଟପିଛନ୍ତି। ଅଗରକର ୯୭ ଦିନିକିଆ ମ୍ୟାଚ୍‌ରେ ଦେଢ଼ ଶହ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ସାମି ମାତ୍ର ୮୦ ଦିନିକିଆରେ ଏହାକୁ ଛୁଇଁଛନ୍ତି। ମଙ୍ଗଳବାର ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲରଙ୍କୁ ଆଉଟ୍ କରି ସାମି ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଆଫଗାନିସ୍ତାନ ସ୍ପିନର୍‌ ରସିଦ ଖାନଙ୍କ ସହ ୩୧ ବର୍ଷୀୟ ସାମି କିନ୍ତୁ ଦେଢ଼ ଶହ ୱିକେଟ୍ ନେବାରେ ଯୁଗ୍ମ ତୃତୀୟ ଦ୍ରୁତତମ ବୋଲର ହୋଇଛନ୍ତି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ (୭୭ ମ୍ୟାଚ୍) ଓ ପାକିସ୍ତାନର ସାକଲିନ୍ ମୁସ୍ତାକ (୭୮ ମ୍ୟାଚ୍) ଦ୍ରୁତତମ ୧୫୦ ୱିକେଟ୍ ନେବାର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର