ଅତୀତରେ ମୁଁ ଯେଉଁ ଭୁଲ କରିଛି ରୋହିତ ଶର୍ମା ସେଭଳି ନ କରନ୍ତୁ: ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟେଷ୍ଟ ଶୃଙ୍ଖଳାରେ ରୋହିତ ଶର୍ମାଙ୍କୁ ନିଜସ୍ୱ ଶୈଳୀରେ କ୍ରିକେଟ୍‌ ଖେଳିବାର ଅଛି। କାରଣ ରୋହିତ ଶର୍ମା ଏହି ଶୃଙ୍ଖଳା ମାଧ୍ୟମରେ ପ୍ରଥମ ଥର ପାଇଁ ଇନିଂ ଆରମ୍ଭ କରିବେ। ଯଦି ଏହି ସମୟରେ ସେ ନିଜର ବ୍ୟାଟିଂ ଶୈଳୀ ପରିବର୍ତ୍ତନ କରନ୍ତି, ତା’ହେଲେ ତାଙ୍କର ପ୍ରଦର୍ଶନରେ ନକରାତ୍ମକ ପ୍ରଭାବ ପଡ଼ିପାରେ। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଏଭଳି ଚିନ୍ତା କରିଛନ୍ତି। ପୂର୍ବତନ ଭାରତୀୟ ଅଭିଜ୍ଞ ଖେଳାଳି ଲକ୍ଷ୍ମଣ କହିଛନ୍ତି, ଅତୀତରେ ମୁଁ ଯେଉଁ ଭୁଲ କରିଛି, ରୋହିତ ଶର୍ମା ତାହା ନ କରନ୍ତୁ।

ଲକ୍ଷ୍ମଣ ମଧ୍ୟକ୍ରମର ବିଶେଷଜ୍ଞ ବ୍ୟାଟସ୍‌ମ୍ୟାନ ଥିଲେ। ତାଙ୍କୁ ୧୯୯୬-୯୮ରେ ଇନିଂ ଆରମ୍ଭ କରିବାକୁ କୁହାଯାଇଥିଲା। ମାତ୍ର ସେ କେବେ ବି ଏହି ସ୍ଥାନରେ ବ୍ୟାଟିଂ କରିବାକୁ ସହଜ ଭାବି ନ ଥିଲେ। ଲକ୍ଷ୍ମଣ ପୂର୍ବତନ ଭାରତୀୟ କ୍ରିକେଟର୍‌ ଦୀପ ଦାସଗୁପ୍ତାଙ୍କ ୟୁଟ୍ୟୁବ ଚ୍ୟାନେଲ ‘ଦୀପ ପଏଣ୍ଟ’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ସବୁଠାରୁ ବଡ଼ କଥା ହେଲା ଯେ, ରୋହିତ ଶର୍ମା ଜଣେ ଅଭିଜ୍ଞସଂପନ୍ନ ଖେଳାଳି, ଯାହାକି ସେହି ସମୟରେ ମୋର ନ ଥିଲା।

ଲକ୍ଷ୍ମଣ କହିଛନ୍ତି, ମୁଁ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ଇନିଂସ ଆରମ୍ଭ କରିଥିଲି କିନ୍ତୁ ରୋହିତ ଶର୍ମା ୧୨ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ଖେଳି ସାରିଛନ୍ତି। ସେଥିପାଇଁ ତାଙ୍କୁ ଇନିଂସ ଆରମ୍ଭ କରିବାରେ କୌଣସି ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ରୋହିତ ଏବେ ଭଲ ଫର୍ମରେ ଅଛନ୍ତି।

ସମ୍ବନ୍ଧିତ ଖବର