ବୁଧବାରରୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ ଶୃଙ୍ଖଳା, ରୋହିତଙ୍କ ନୂଆ ଜୀବନ

ବିଶାଖାପାଟଣା: ବିଶାଖାପାଟଣାରେ ବୁଧବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବ। ଏହି ପ୍ରତୀକ୍ଷିତ ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ସ୍ଥାନୀୟ ୱାଇ ଏସ୍ ଚନ୍ଦ୍ରଶେଖର ରେଡ୍ଡୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏହି ଟେଷ୍ଟ୍‌ରୁ ନୂଆ ଜୀବନ ଆରମ୍ଭ କରିବେ। ବିଶ୍ବର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଏକଦିବସୀୟ କ୍ରିକେଟ୍‌ରେ ତିନିଟି ଦ୍ବିଶତକ ଅର୍ଜନ କରିଥିବା ରୋହିତ ଟେଷ୍ଟ୍‌ ଓପନର ୍‌ଭାବେ ନୂଆ ଜୀବନ ଆରମ୍ଭ କରିବେ। ୩୨ ବର୍ଷୀୟ ରୋହିତ ଭାରତୀୟ ସୀମିତ ଓଭର ଦଳର ଅଭିନ୍ନ ଅଙ୍ଗ ହୋଇଥିଲେ ମଧ୍ୟ ଟେଷ୍ଟ୍‌ ଦଳରେ ଏ ପର୍ଯ୍ୟନ୍ତ ନିଜ ସ୍ଥାନ ପକ୍କା କରି ପାରି ନାହାନ୍ତି। ତାଙ୍କୁ ମିଳିଥିବା ସୀମିତ ସୁଯୋଗ ଭିତରେ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରି ୨୭ ଟେଷ୍ଟ ଖେଳିଛନ୍ତି। ଏଥର ସେ ଲୋକେଶ ରାହୁଲଙ୍କ ସ୍ଥାନରେ ପାଳି ଆରମ୍ଭ କରିବେ। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ବର୍ଷା ପ୍ରଭାବିତ ଅଭ୍ୟାସ ମ୍ୟାଚ୍‌ରେ ରୋହିତ ଖାତା ଖୋଲି ପାରି ନଥିଲେ। ଦ୍ବିତୀୟ ବଲ୍‌ରେ ହିଁ ସେ ଆଉଟ୍ ହୋଇ ଯାଇଥିଲେ। ଯାହା ତାଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିପାରେ। ସେଥିପାଇଁ ନିଜ ସ୍ବାଭାବିକ ଖେଳ ଖେଳିବାକୁ ପୂର୍ବତନ ନିର୍ଭରଯୋଗ୍ୟ ଟେଷ୍ଟ୍‌ କ୍ରିକେଟର୍‌ ଭିଭିଏସ୍ ଲକ୍ଷ୍ମଣ ରୋହିତଙ୍କୁ ପରାମର୍ଶ ଦେଇଛନ୍ତି।

ଏକାଦଶ ଘରୋଇ ଶୃଙ୍ଖଳା ବିଜୟ ସୁଯୋଗ
ୱେଷ୍ଟଇଣ୍ଡିଜକୁ ଗତବର୍ଷ ୨-୦ରେ ପରାସ୍ତ କରି ଭାରତୀୟ କ୍ରିକେଟ୍ ଦଳ ଘରୋଇ ପରିବେଶରେ ଲଗାତାର ଦଶମ ଶୃଙ୍ଖଳା ବିଜୟ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଜିତିଲେ ବିରାଟ ବାହିନୀ ଲଗାତାର ଏକାଦଶ ଶୃଙ୍ଖଳା ବିଜୟର ସ୍ବାଦ ଚାଖିବ। ଭାରତ ୨୦୧୩ ମସିହାରୁ ହିଁ ଘରୋଇ ପରିବେଶରେ ଗୋଟିଏ ହେଲେ ବି ଶୃଙ୍ଖଳାରେ ପରାଜିତ ହୋଇନାହିଁ। ସେପଟେ ଦକ୍ଷିଣ ଆଫ୍ରିକା ତା’ର ଦୁଇ ପ୍ରମୁଖ ତାରକା ଡେଲ୍ ଷ୍ଟେନ୍ ଏବଂ ହାସିମ ଆମଲା ଗତ ମାସରେ ଅବସର ନେବା ପରେ ପ୍ରଥମ ଶୃଙ୍ଖଳା ଖେଳିବ। ପୂର୍ବତନ ଅଧିନାୟକ ଆମଲା (୯୨୮୨) ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲା ବେଳେ ଷ୍ଟେନ୍ (୪୩୯) ସେହି ଦେଶର ସର୍ବାଧିକ ୱିକେଟ୍ ଦଖଲକାରୀ। ଦକ୍ଷିଣ ଆଫ୍ରିକା ଦଳରେ ଥିବା ଦ୍ରୁତ ବୋଲର ଆନରିଚ୍ ନର୍ତଜେ, ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ରୁଡି ସେକେଣ୍ଡ ଏବଂ ବାମହାତୀ ସ୍ପିନର ସେନୁରନ୍ ମୁଥୁସ୍ବାମୀ ଭାରତରେ ପ୍ରଦାର୍ପଣ କରି ପାରନ୍ତି। ଅଭ୍ୟାସ ମ୍ୟାଚ୍‌ରେ ରୋହିତଙ୍କ ୱିକେଟ୍ ନେଇଥିବା ଭର୍ନାନ ଫିଲାଣ୍ଡର ହିଁ ଭାରତ ପାଇଁ ସବୁଠାରୁ ବଡ଼ ବିପଦ ହେବେ। କାଗିସୋ ରବାଦା ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପରୀକ୍ଷାରେ ପକାଇବେ। ଦକ୍ଷିଣ ଆଫ୍ରିକା ଶେଷ ଥର ପାଇଁ ୨୦୧୫ରେ ଭାରତ ଆସିଥିଲା ବେଳେ ଚାରି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୦-୩ରେ ହାରିଥିଲା। ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଥିଲା।

ଭାରତ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷବ ପନ୍ତ, ଋଦ୍ଧିମାନ ସାହ, ରବିଚନ୍ଦ୍ରନ୍ ଅଶ୍ବିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ଶୁବମନ ଗିଲ୍‌।

ଦକ୍ଷିଣ ଆଫ୍ରିକା: ଫାଫ୍ ଡୁ’ ପ୍ଲେସିସ୍ (ଅଧିନାୟକ), ଟେମ୍ବା ବଭୁମା, ଥିୟୁନିଅସ୍ ଡି’ ବ୍ରୁଇନ, କ୍ବିଣ୍ଟନ୍ ଡି’କକ୍, ଡିନ୍ ଏଲଗାର, ଜୁବାୟାର ହାମଜା, କେଶବ ମହାରାଜ, ଏଦେନ ମର୍କରାମ, ସେନୁରାମ ମୁଥୁସ୍ବାମୀ, ଲୁଙ୍ଗି ଏନଗିଡି, ଆନରିଚ୍ ନର୍ତଜେ, ଭର୍ନାନ ଫିଲାଣ୍ଡର, ଡେନ୍ ପିଡେଟ୍, କାଗିସୋ ରବଦା, ରୁଡି ସେକେଣ୍ଡ।

ସମ୍ବନ୍ଧିତ ଖବର