ସଚିନ୍‌ ଓ ଆଫ୍ରିଦିଙ୍କ ଏସିଆ କପ୍‌ କୀର୍ତ୍ତିମାନକୁ ଟପିଲେ ରୋହିତ

ଦୁବାଇ: ଚଳିତ ଏସିଆ କପ୍‌ ଅବସରରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏବଂ ପାକିସ୍ତାନର ସାହିଦ୍‌ ଆଫ୍ରିଦିଙ୍କ ନାମରେ ଥିବା ଦୁଇଟି କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ମଙ୍ଗଳବାର ବାଂଲା‌ଦେଶ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ୪୧ ବଲ୍‌ରୁ ୭୨ ରନ୍‌ କରିଥିବା‌ ରୋହିତ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ୫୦+ ସ୍କୋର୍‌ (୩୨)ର ସମକକ୍ଷ ହୋଇଯାଇଥିଲା ବେଳେ ଏସିଆ କପ୍‌ରେ ସର୍ବାଧିକ ଛକା ମାରିବାରେ ଆଫ୍ରିଦିଙ୍କୁ ଏବଂ ଭାରତୀୟ ଭାବେ ସର୍ବାଧିକ ରନ୍‌ କରିବାରେ ସଚିନ୍‌ଙ୍କୁ ଟପି ଯାଇଥିଲେ। ଏସିଆ କପ୍‌ରେ ସର୍ବାଧିକ ୨୬ ଛକା ମାରିବାର କୀର୍ତ୍ତିମାନ ଏପର୍ଯ୍ୟନ୍ତ ଆଫ୍ରିଦିଙ୍କ ନାମରେ ରହିଥିଲା। ହେଲେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ୪ ଛକା ମାରିବା ପରେ ରୋହିତ ତାଙ୍କ ମୋଟ ସଂଖ୍ୟାକୁ ୨୯ରେ ପହଞ୍ଚାଇଥିଲେ। ୩୧ ଏସିଆ କପ୍‌ ମ୍ୟାଚ୍‌ ‌ଖେଳିଥିବା ରୋହିତ ଏକ୍ଷେତ୍ରରେ ଆଫ୍ରିଦିଙ୍କୁ ଟପି ଯାଇଥିଲା ବେଳେ ମଙ୍ଗଳବାର ସମସ୍ତ କ୍ରିକେଟ୍‌ରୁ ଅବସର ଘୋଷଣା କରିଦେଇଥିବା ସୁରେଶ ରାଇନାଙ୍କ ନାମରେ ତୃତୀୟ ସର୍ବାଧିକ ଛକା (୧୮) ରହିଛି।

ଅନ୍ୟପକ୍ଷରେ ଏସିଆ କପ୍‌ରେ ଭାରତୀୟ ବ୍ୟାଟର୍‌ ଭାବେ ସର୍ବାଧିକ ରନ୍‌ (୯୭୧) ସଚିନ୍‌ଙ୍କ ନାମରେ ରହିଥିଲା। ମଙ୍ଗଳବାର ଶ୍ରୀଲଙ୍କା‌ ବିପକ୍ଷ ୭୨ ରନ୍‌ର ପାଳି ଖେଳିବା ଅବସରରେ ରୋହିତଙ୍କ ମୋଟ ରନ୍‌ ୧୦୧୬ (୩୦ ପାଳି)ରେ ପହଞ୍ଚିଥିଲା। ଏଥି ସହିତ ରୋହିତ ମଧ୍ୟ ଏସିଆ କପ୍‌ରେ ୧୦୦୦ ରନ୍‌ ପୂରଣ କରିବାରେ ପ୍ରଥମ ଭାରତୀୟ ବ୍ୟାଟର୍‌ ହୋଇଥିଲେ। ମୋଟ ଉପରେ ରୋହିତ ଏବେ ଶ୍ରୀଲଙ୍କାର ସନତ ଜୟସୂରିଆ (୧୨୨୦) ଏବଂ କୁମାର ସାଙ୍ଗାକାରା (୧୦୭୫)ଙ୍କ ପଛକୁ ତୃତୀୟରେ ରହିଛନ୍ତି। ରୋହିତ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ପାଳି ଅବସରରେ ସଚିନ୍‌ଙ୍କର ଆଉ ଏକ ମାଇଲଖୁଣ୍ଟର ସମକକ୍ଷ ହୋଇଥିଲେ। ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ୭୨ ରନ୍‌ ଏସିଆ କପ୍‌ରେ ରୋହିତଙ୍କ ନବମ ୫୦+ (୧ ଶତକ, ୮ ଅର୍ଦ୍ଧଶତକ) ସ୍କୋର୍‌ ଥିଲା। ଯାହାକି ସଚିନ୍‌ (୨ ଶତକ, ୭ ଅର୍ଦ୍ଧଶତକ) ସହ ସମାନ। ତେଣୁ ଏସିଆ କପ୍‌ ଇତିହାସରେ ସର୍ବାଧିକ ୫୦+ ସ୍କୋର୍‌ କରିଥିବା ସାଙ୍ଗାକାରା (୧୨)ଙ୍କ ପଛକୁ ଉଭୟ ସଚିନ୍‌ ଓ ରୋହିତ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର