ରୋହିତଙ୍କ ଦଳ ଦୁବାଇ ଗଲା: ଭାରତ ଓ ଶ୍ରୀଲଙ୍କାର ପ୍ରାଧାନ୍ୟ

ନୂଆଦିଲ୍ଲୀ: ଶନିବାରଠାରୁ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ)ରେ ଏସିଆ କପ୍‌ କ୍ରିକେଟ୍‌ ଆରମ୍ଭ ହେଉଛି। ଏସିଆର ଶ୍ରେଷ୍ଠ କ୍ରିକେଟ୍‌ ରାଷ୍ଟ୍ରର ସମ୍ମାନ ପାଇଁ ୬ ଦେଶ ମଧ୍ୟରେ ହେବ ଲଢ଼େଇ। ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଆଇସିସିର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ସିଧାସଳଖ ଖେଳିବାକୁ ଯାଉଥିବା ବେଳେ ହଂକଂ ଏସୀୟ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଛି। ଅଦ୍ୟାବଧି ସମ୍ପନ୍ନ ୧୩ ସଂସ୍କରଣ ଦେଖିଲେ ଭାରତ ଏସିଆର ସଫଳତମ ଦଳର ମାନ୍ୟତା ପାଇଛି। ୫ ଥର ଦିନିକିଆ ଏବଂ ଥରେ ଟେ୍ଵଣ୍ଟି-୨୦ ଫର୍ମାଟରେ ବିଜେତା ହୋଇଛି। ଗତଥର ଟେ୍ଵଣ୍ଟି-୨୦ ଫର୍ମାଟରେ ପ୍ରଥମ ଥର ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଭାରତ ବିଜେତା ହୋଇଥିଲା। ଶ୍ରୀଲଙ୍କା ୫ ଥର ଏବଂ ପାକିସ୍ତାନ ୨ ଥର ବିଜେତା ହେବାର ଗୌରବ ରଖିଛନ୍ତି। ଏଥର ଦିନିକିଆ ଫର୍ମାଟରେ ଖେଳାଯିବ ଏହି ମହାଦେଶୀୟ ପ୍ରତିଯୋଗିତା। ୩୪ ବର୍ଷର ଏସିଆ କପ୍‌ ଇତିହାସ ଉପରେ ନଜର ପକାଇଲେ ଶ୍ରୀଲଙ୍କାର ବାମହାତୀ ବ୍ୟାଟସମ୍ୟାନ୍‌ ସନଥ ଜୟସୁରିଆ (୧୨୨୦ ଦିନିକିଆ ରନ୍‌) ଏବଂ ମୁଥୟା ମୁରଲୀଧରନ (୩୦ ଦିନିକିଆା ଓ୍ଵିକେଟ୍‌) ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ତାଲିକାରେ ଶୀର୍ଷରେ ରହିଛନ୍ତି।

୨୦୧୯ ବିଶ୍ୱକପ୍‌ ଦଳ ଗଢ଼ିବାକୁ କୋହଲିଙ୍କୁ ଯଥେଷ୍ଟ ସମୟ ଦେବାକୁ ନେତୃତ୍ୱ ଛାଡ଼ିଥିଲି: ଧୋନି

ନୂଆଦିଲ୍ଲୀ: ଦୁଇ ଦୁଇ ଥର ଭାରତକୁ ବିଶ୍ୱକପ୍‌ ବିଜେତା କରାଇଥିବା ମହେନ୍ଦ୍ର ସିଂହ ଧୋନି କାହିଁକି ସୀମିତ ଓଭର ଦଳର ନେତୃତ୍ୱ ଛାଡ଼ିଥିଲେ ଏହାର ଖୋଲାସା କରିଛନ୍ତି। ୨୦୧୯ ମସିହା ବିଶ୍ୱକପ୍‌ ପୂର୍ବରୁ ନୂଆ ଅଧିନାୟକ ବିରାଟ କୋହଲିଙ୍କୁ ତାଙ୍କ ପସନ୍ଦର ଦଳ ଗଢ଼ି ତୋଳିବା ପାଇଁ ଯଥେଷ୍ଟ ସମୟ ଦେବାକୁ ମୁଁ ପଦ ଛାଡ଼ିଥିଲି ବୋଲି ଧୋନି କହିଛନ୍ତି। କୋହଲିଙ୍କୁ ଅନ୍ୟୁନ ୨ ବର୍ଷ ସମୟ ଦେବାକୁ ଲକ୍ଷ୍ୟ ରଖି ମୁଁ ଏଭଳି ନିଷ୍ପତ୍ତି ନେଇଥିଲି। ନୂଆ ଅଧିନାୟକଙ୍କୁ ପର୍ଯ୍ୟାପ୍ତ ସମୟ ନ ମିଳିଲେ ଭଲ ଦଳ ଗଢ଼ିବା ଅସମ୍ଭବ ବୋଲି ମୁଁ ଜାଣିଛି। ମୁଁ ଠିକଣା ସମୟରେ ଏହା କରିଥିଲି ବୋଲି ଧୋନି କହିଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ୨୦୧୧ ମସିହାରେ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା। ଏହା ପୂର୍ବରୁ ମଧ୍ୟ ୨୦୦୭ରେ ଭାରତ ତାଙ୍କ ନେତୃତ୍ୱରେ ପ୍ରଥମ ସଂସ୍କରଣ ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ ହାସଲ କରିଥିଲା। ୨୦୧୪ ମସିହାରେ ଟେଷ୍ଟ୍‍ କ୍ରିକେଟ୍‌ ଛାଡ଼ିବା ପରେ ଧୋନି ସୀମିତ ଓଭର ନେତୃତ୍ୱ ଜାରି ରଖିଥିଲେ। କିନ୍ତୁ ୨୦୧୭ ମସିହାରେ ସେ ମଧ୍ୟ ଏହାକୁ ଛାଡ଼ି କୋହଲିଙ୍କୁ ସମର୍ପିତ କରିଥିଲେ।

ସମ୍ବନ୍ଧିତ ଖବର