ହିଟ୍‌ମ୍ୟାନ୍‌ଙ୍କୁ ବିସିସିଆଇର ସଲାମ, ଖେଳରତ୍ନ ପାଇବାରେ ଚତୁର୍ଥ କ୍ରିକେଟର୍‌

ମୁମ୍ବାଇ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଭ କରିବା ପରେ ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ବିସିସିଆଇ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛି। ‘ହିଟ୍ ମ୍ୟାନ୍ ତୁମ ପାଇଁ ଆମେ ଗର୍ବିତ’ ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛି। ତା’ ସହ ରୋହିତଙ୍କ ଖେଳ ଜୀବନର ମାଇଲଖୁଣ୍ଟ ସଫଳତାର ଏକ ତାଲିକା ମଧ୍ୟ ଦେଇଛି। ରୋହିତ ଚତୁର୍ଥ କ୍ରିକେଟର ଭାବେ ଖେଳରତ୍ନ ପାଇଥିବା ମଧ୍ୟ ଏଥିରେ ବିସିସିଆଇ ସୂଚନା ଦେଇଛି। ରୋହିତଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ନିକଟରେ ଅବସର ଘୋଷଣା କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଏବେକାର ଅଧିନାୟକ ବିରାଟ କୋହଲି ହିଁ କେବଳ ଖେଳରତ୍ନ ପାଇଛନ୍ତି। ରୋହିତଙ୍କ ଛଡ଼ା‌ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍‌, ଟେବୁଲ ଟେନିସ୍ ତାରକା ମନିକା ବାତ୍ରା, ମହିଳା ହକି ତାରକା ରାଣୀ ରାମପାଲ ଓ ପାରା ଆଥଲେଟ୍ ମାରିଆପନ୍ ଥଙ୍ଗଭେଲୁ ମଧ୍ୟ ଚଳିତବର୍ଷ ଖେଳରତ୍ନ ପାଇଁ ମନୋନୀତ ହୋଇଛନ୍ତି।

ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭାରତୀୟ ସୀମିତ ଓଭର ଦଳର ଅଧିନାୟକ ରୋହିତ ଶର୍ମା ଏବଂ ଅର୍ଜୁନ ପୁରସ୍କାର ପାଇଁ ବଛା ଯାଇଥିବା ଦ୍ରୁତ ବୋଲର ଈଶାନ୍ତ ଶର୍ମା ଓ ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଅଧିନାୟକ ବିରାଟ କୋହଲି। ଈଶାନ୍ତ, ଦୀପ୍ତି ଓ ରୋହିତ ଆପଣମାନଙ୍କୁ ମୋର ଅଭିନନ୍ଦନ। ପ୍ରତ୍ୟେକ କ୍ରୀଡ଼ାବିତ୍‌ ପାଇଁ ସ୍ମରଣୀୟ ଓ ଗର୍ବର ମହୁର୍ତ ବୋଲି କୋହଲି ଟ୍ବିଟ୍ କରିଛନ୍ତି। ସୂଚନାଯୋଗ୍ୟ ଯେ ନିଜେ କୋହଲି ୨୦୧୩ରେ ଅର୍ଜୁନ ପୁରସ୍କାର ପାଇବା ସହ ୨୦୧୮ରେ ‌ଖେଳ ରତ୍ନ ପୁରସ୍କାର ଲାଭ କରିଥିଲେ। ରୋହିତ ୨୦୧୫ରେ ଅର୍ଜୁନ ପୁରସ୍କାର ଜିତିବା ପରେ ୨୦୨୦ରେ ଦେଶ ସର୍ବୋଚ୍ଚ ଖେଳ ପୁରସ୍କାର ଲାଭ କରିଛନ୍ତି। ସେପଟେ ଦୀପ୍ତି ଓ ଈଶାନ୍ତଙ୍କ ସହ ମୋଟ ୨୭ ଜଣ ଖେଳାଳି ଚଳିତବର୍ଷ ଅର୍ଜୁନ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି।

ପ୍ରଶଂସକଙ୍କୁ ରୋହିତଙ୍କ ଧନ୍ୟବାଦ
‘ଆପଣମାନଙ୍କ ସମର୍ଥନ ବିନା ସମ୍ଭବ ହୋଇନଥାଆନ୍ତା’
ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ ହେବା ପରେ ଦେଇଥିବା ପ୍ରଥମ ପ୍ରତିକ୍ରିୟାରେ ଭରତୀୟ କ୍ରିକେଟର ରୋହିତ ଶର୍ମା ପ୍ରଶଂସକଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ପ୍ରଶଂସକଙ୍କ ସମର୍ଥନ ବିନା ଏସବୁ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି। ଆଇପିଏଲ୍ ଖେଳିବା ପାଇଁ ସଂପ୍ରତି ପରିବାର ସହ ୟୁଏଇରେ ଥିବା ରୋହିତ ଟ୍ବିଟ୍ କରିଛନ୍ତି ଯେ ‘‘ମୋ ପାଇଁ ଏହା ଏକ ଚମତ୍କାର ଯାତ୍ରା ଏବଂ ଏଭଳି ଏକ ପୁରସ୍କାର ପାଇବା ଗର୍ବ ଓ ଗୌରବର ବିଷୟ। ଏଥିନେଇ ମୁଁ ବହୁତ ଖୁସୀ ଅଛି। ଆପଣମାନଙ୍କ (ପ୍ରଶଂସକ)ଙ୍କ ନିକଟରେ ମୁଁ ଚିର ଋଣୀ ଓ କୃତଜ୍ଞ। ଆପଣମାନଙ୍କ ବିନା ସମର୍ଥନରେ ଏସବୁ ସମ୍ଭବ ହୋଇ ପାରିନଥାଆନ୍ତା। ଆପଣ ଏହି ଭଳି ଭାବେ ମୋତେ ସମର୍ଥନ କରିବା ଜାରି ରଖନ୍ତି। ମୁଁ ପ୍ରତିଶ୍ରୁତି ଦେଉଛି ଦେଶ ପାଇଁ ଆହୁରି ଅନେକ ସଫଳତା ଅର୍ଜନ କରିବି। ଆମେ ସମସ୍ତେ ଏବେ ସାମାଜିକ ଦୂରତା ନିୟମ ପାଳନ କରୁଥିବାରୁ ଆପଣମାନଙ୍କୁ ମୁଁ ଅନଲାଇନ୍‌ରେ କୋଳାଗ୍ରତ କରୁଛି।

ସମ୍ବନ୍ଧିତ ଖବର