ରୋହିତ ରୋମାଞ୍ଚ: ମୁମ୍ବାଇର ପ୍ରଥମ ବିଜୟ

ଆବୁ ଧାବି: ଆଇପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ଗତଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୪୯ ରନ୍‌ରେ ପରାସ୍ତ କରିଛି। ଫଳରେ ଚଳିତ ଆଇପିଏଲ୍‌ରେ ମୁମ୍ବାଇ ନିଜ ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ପାଇଛି। ଅନ୍ୟପକ୍ଷରେ କୋଲକାତା ତା’ର ପ୍ରଥମ ମ୍ୟାଚ୍‌ରେ ହିଁ ବୃହତ୍ ପରାଜୟ ବରଣ କରିଛି। ଚାରି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦୁଇ ଥର ବିଜେତା କେକେଅର୍‌ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍‌‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ କେକେଆର୍‌ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୪୬ ରନ୍ କରି ହାରିଥିଲା। ରୋହିତ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ମେଡେନ୍‌ରୁ ପଶ୍ଚାତଧାବନ ଆରମ୍ଭ କରିଥିବା କୋଲକାତା ମାତ୍ର ୨୫ ରନ୍ ଭିତରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ (୭) ଓ ସୁନିଲ ନରିନ (୯)ଙ୍କୁ ହରାଇଥିଲା। ଏହା ପରେ ବଡ଼ ଭାଗୀଦାରି କରି ନପାରି ୫ ଓଭର ପୂର୍ବରୁ ହିଁ ବିଜୟ ଆଶା ଛାଡ଼ି ଦେଇଥିଲା। ଦଳ ପକ୍ଷରୁ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ସର୍ବାଧିକ ୩୩ ରନ୍ କରିଥିଲେ। ଅଧିନାୟକ ଦୀନେଶ କାର୍ତ୍ତିକ ୩୦ ରନ୍ କରିଥିଲା ବେଳେ ବିସ୍ଫୋରକ ଆନ୍ଦ୍ରେ ରସେଲ (୧୧) ଓ ଇଅନ ମୋର୍ଗାନ (୧୬)ଙ୍କୁ ରୋକିବାକୁ ମୁମ୍ବାଇ ବୋଲର ସକ୍ଷମ ‌ହୋଇଥିଲେ। କୋଲକାତା ବିପକ୍ଷରେ ମୁମ୍ବାଇ ଆଧିପତ୍ୟ ଜାରି ରଖି ୨୬ ମ୍ୟାଚ୍‌ରୁ ୨୦ତମ ବିଜୟ ହାସଲ କରିଥିଲା।

ଆବୁଧାବି ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ‌ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ହେଲେ ଦଳୀୟ ସ୍କୋର ମାତ୍ର ୮ ରନ୍ ଥିଲା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ୍ ଡି’କକ୍‌ (୧)ଙ୍କୁ ହରାଇଥିଲା। ଶିଭମ୍ ମାଭି ତାଙ୍କୁ ଦ୍ବିତୀୟ ଓଭରରେ ହିଁ ଶିକାର କରିନେଇଥିଲେ। ଏହା ପରେ ଅଧିନାୟକ ରୋହିତ ଶର୍ମା (୮୦ ରନ୍, ୫୪ ବଲ୍, ୩ ଚୌକା, ୬ ଛକା) ଓ ସୂର୍ଯ୍ୟକୁମାର ଯାଦବ (୪୭ ରନ୍, ୨୮ ବଲ୍, ୬ ଚୌକା, ୧ ଛକା) ପାଳି ଗଢ଼ିବା ଆରମ୍ଭ କରିଥିଲେ। ଉଭୟ ଏଥି‌‌ରେ କେବଳ ସଫଳ ହୋଇ ନଥିଲେ ବରଂ ଦ୍ବିତୀୟ ୱିକେଟ୍‌ରେ ଦ୍ରୁତ ୯୦ ରନ୍ ଯୋଡ଼ି ମୁମ୍ବାଇ ସ୍ଥିତି ପୂରା ମଜବୁତ କରି ଦେଇଥିଲେ। ସୂର୍ଯ୍ୟ ରନ୍‌ଆଉଟ୍‌ରେ ଅସ୍ତ ହେବା ପରେ ୯୮ ରନ୍‌ର ଦଳୀୟ ସ୍କୋର୍‌ରେ ଯୋଡ଼ି ଭାଙ୍ଗିଥିଲା। ରୋହିତ କିନ୍ତୁ ତାଙ୍କ ରାଜୁତି ଜାରି ରଖି ଚଳିତ ଆଇପିଏଲ୍‌ର ପ୍ରଥମ ଶତକ ହାସଲ ଦିଗରେ ଅଗ୍ରସର ହେଉଥିଲା ବେଳେ ଶିଭଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ସେ (୯୦୪) କିନ୍ତୁ ଡେଭିଡ୍ ୱାର୍ନର (୮୨୯)ଙ୍କୁ ଟପି କେକେଆର୍ ବିପକ୍ଷରେ ସର୍ବାଧିକ ରନ୍ କରିବାର କୀର୍ତ୍ତିମାନ କରି ନେଇଥିଲେ। ଏହା ମଧ୍ୟ କୌଣସି ଦଳ ବିପକ୍ଷରେ ଯେକୌଣସି ବ୍ୟାଟରଙ୍କର ସର୍ବାଧିକ ରନ୍ ଥିଲା। ସେହିଭଳି ଆଇପିଏଲ୍‌ରେ କ୍ରିସ୍ ଗେଲ୍, ଏବି ଡି’ଭିଲିୟର୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭା‌ବେ ୨୦୦ ଛକା ମାରିବାର ମାଇଲଖୁଣ୍ଟ ଛୁଇଁଥିଲେ ରୋହିତ। ସେ ମଧ୍ୟ ଆଜି ନିଜ ୩୭ତମ ଆଇପିଏଲ୍ ଅର୍ଧଶତକ ହାସଲ କରିଥିଲେ। ଏହା ପରେ ମୁମ୍ବାଇ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ‌କିନ୍ତୁ ଦଳର ରନ୍ ହାର କମି ନଥିଲା। ଅନ୍ୟମାନଙ୍କ ମଧ୍ୟରେ ସୌରଭ ତିୱାରୀ ୨୧, ହାର୍ଦିକ ପାଣ୍ଡ୍ୟା ୨୧ ଓ କିରଣ ପୋଲାର୍ଡ ୭ ବଲ୍‌ରୁ ଅପରାଜିତ ୧୩ ରନ୍ କରିଥିଲେ। ୱିକେଟ୍ ପତନ ଧାରା ଜାରି ରହିବାକୁ ଦଳ ୨୦୦ ରନ୍ ଛୁଇଁ ପାରି ନଥିଲା।

ସମ୍ବନ୍ଧିତ ଖବର