ନୂଆଦିଲ୍ଲୀ : ଗତ ବୁଧବାର ତିରୁଅନନ୍ତପୁରମ୍ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍କୁ ଭାରତ ୮ ୱିକେଟ୍ରେ ଜିତିଥିଲା। ଏହି ଅବସରରେ ରୋହିତ ଶର୍ମା ଭାରତୀୟ ଅଧିନାୟକ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଜିତିବାର କୀର୍ତ୍ତିମାନ ରଚିଥିଲେ। ଚଳିତ ୨୦୨୨ରେ ୨୧ ମ୍ୟାଚ୍ରେ ନେତୃତ୍ବ ନେଇଥିବା ରୋହିତ ୧୬ତମ ବିଜୟ ହାସଲ କରିଥିଲେ। ଫଳରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ଥିବା ସର୍ବାଧିକ ୧୫ ବିଜୟ କୀର୍ତ୍ତିମାନକୁ ଟପି ଯାଇଥିଲେ। ଧୋନି ୨୦୧୬ରେ ଏହି ସଫଳତା ହାସଲ କରି ନିଜ ନାମରେ ଏପର୍ଯ୍ୟନ୍ତ କୀର୍ତ୍ତିମାନକୁ ଅତୁଟ ରଖିଥିଲେ। ଏହାକୁ ଟପି ରୋହିତ ଏବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଜିତିବାରେ ସର୍ବାଧିକ ସଫଳ ଭାରତୀୟ ଅଧିନାୟକ ବିବେଚିତ ହୋଇଛନ୍ତି। ରୋହିତ କ୍ରମାଗତ ୮ ବିଜୟ ସହ ଚଳିତ ୨୦୨୨ ଋତୁ ଆରମ୍ଭ କରିଥିଲେ। ସେଥିରୁ ଫେବ୍ରୁଆରିରେ ଉଭୟ ୱେଷ୍ଟ୍ଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ବିପକ୍ଷରେ ୩ ଲେଖାଏଁ ଏବଂ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ୍ ସାମିଲ ଥିଲା। ଏହାପରେ ରୋହିତ କାରବୀୟ ରାଷ୍ଟ୍ରରେ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ୪ ମ୍ୟାଚ୍ରୁ ୩ ବିଜୟ ପାଇଥିଲେ।
ଆଉ ଏକ ସଫଳତା ରୋହିତଙ୍କ ନାମରେ ମଧ୍ୟ ରହିଥିଲା। ଭାରତୀୟ ଅଧିନାୟକ ଭାବେ ସେ ଖେଳିଥିବା ପ୍ରତ୍ୟେକ ଦ୍ବିପାକ୍ଷିକ, ତ୍ରିରାଷ୍ଟ୍ରୀୟ ଏବଂ ବହୁ ଦଳୀୟ ଶୃଙ୍ଖଳା ଜିତିଥିଲେ। ହେଲେ ତାଙ୍କର ଏହି ସଫଳତା ଧାରା ଗତ ଏସିଆ କପ୍ରେ ହିଁ ଅଟକି ଯାଇଥିଲା। ଏସିଆ କପ୍ରେ ଦୁବାଇରେ ରୋହିତ ଦୁଇଟି ଗ୍ରୁପ୍ ମ୍ୟାଚ୍ ଜିତିଥିଲେ ମଧ୍ୟ ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ନିକଟରୁ ପ୍ରଥମ ଦୁଇଟି ମ୍ୟାଚ୍ ହାରି ଯାଇଥିଲେ। ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାରିଯିବା ପରେ ପରବର୍ତୀ ଦୁଇଟି ମ୍ୟାଚ୍ ଜିତି ଶୃଙ୍ଖଳା କବ୍ଜା କରିଥିଲେ।