ମୁମ୍ବାଇ : ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ରବିବାର (ଏପ୍ରିଲ ୩୦) ୩୬ ବର୍ଷ ପୂରିଛି। ହିଟ୍‌ ମ୍ୟାନ୍‌ ଭାବେ ପରିଚିତ ଏହି ଓପନିଂ ବ୍ୟାଟର୍‌ଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି। ଅନ୍ୟପକ୍ଷରେ ସେ ମଧ୍ୟ ଚଳିତ ମାସ ୨୪ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେବାରେ ୧୦ ବର୍ଷ ପୂର୍ତ୍ତି ପାଳନ କରିଥିଲେ। ଏହି ଦୁଇଟି ଉତ୍ସବକୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କ ଜନ୍ମ ଦିନରେ ଧୁମ୍‌ଧାମ୍‌ରେ ପାଳନ କରିଛି। ରୋହିତ ଏପ୍ରିଲ ୨୪ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ଭାର ନେଇଥିଲେ। ସେହିବର୍ଷ ଦଳକୁ ପ୍ରଥମ ଥର ଆଇପିଏଲ୍‌ ବିଜେତା କରାଇଥିଲେ। ଏହା ପରେ ତାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ବିଜେତା ହୋଇଥିଲା। ଆଇପିଏଲ୍‌ ଇତିହାସରେ ସେ ଏକମାତ୍ର ଅଧିନାୟକ ଯିଏ ୫ ଥର ଟ୍ରଫି ଜିତିଛନ୍ତି। ଏହି ଓପନର୍‌ ଭାରତ ପକ୍ଷରୁ ୪୯ ଟେଷ୍ଟ, ୨୪୩ ଦିନିକିଆ ଓ ୧୪୮ ଟ୍ବେଣ୍ଟି-୨୦ ଖେଳି ଯଥାକ୍ରମେ ୩୩୭୯, ୯୮୨୫ ଓ ୩୮୫୩ ରନ୍‌ କରିଛନ୍ତି। ଏଥିରେ ୪୨ ଶତକ ଓ ୯୧ ଅର୍ଦ୍ଧଶତକ ରହିଛି। ସେ ଏକମାତ୍ର ବ୍ୟାଟର୍‌ ଭାବେ ଦିନିକିଆରେ ୩ଟି ଦ୍ବିଶତକ ଅର୍ଜନ କରିଛନ୍ତି।

Advertisment

ରବିବାର ରାତିରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ଆଇପିଏଲ୍‌ ମ୍ୟାଚ୍‌ ପୂର୍ବରୁ ଖେଳାଳି ଓ ପ୍ରଶିକ୍ଷକମାନେ ଅଧିନାୟକ ଭାବେ ରୋହିତଙ୍କ ୧୦ ବର୍ଷର କାର୍ଯ୍ୟକାଳ ଉପରେ କହିଛନ୍ତି। ଦଳର ବ୍ୟାଟିଂ ପ୍ରଶିକ୍ଷକ କିରଣ ପୋଲାର୍ଡ କହିଛନ୍ତି ଯେ ରୋହିତ ‌ନେତା ଭାବେ ବଢ଼ୁଛନ୍ତି, ମୋ କହିବାର କଥା ତାଙ୍କ ନେତୃତ୍ବ ଦକ୍ଷତା ମଧ୍ୟ ବଢ଼ିଛି। ୨୦୧୩‌ରେ ଯେତେ‌ବେଳେ ଦଳର ନେତୃତ୍ବ ନେ‌ଲେ ସେତେବେଳେ ସେ ଯୁବକ ଥିଲେ। ସେ ଯେତିକି କରିଛନ୍ତି ତାହାର ମହତ୍ବ ରହିଛି। ତାଙ୍କ ନେତୃ୍ତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳି ଭାଗ୍ୟବାନ। ତାଙ୍କ ନିକଟରେ ଅନେକ ଅଭିଜ୍ଞତା ରହିଛି। ‘‘ଆମେ ତାଙ୍କର ୧୦ ବର୍ଷର ନେତୃତ୍ବକୁ ପାଳନ କରୁଛୁ। ଗୋଟିଏ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୦ ବର୍ଷର ନେତୃତ୍ବ ନେବା କଠିନ କାର୍ଯ୍ୟ। ମୁଁ ଭାବୁଛି ଏହା ଏକ ବଡ଼ ସଫଳତା। ସେ ନିଜେ ଏକ କାହାଣୀ। ସେ ଏହି ଫ୍ରାଞ୍ଚାଇଜ୍‌ ପାଇଁ ଅନେକ ଗୌରବ ଆଣିଛନ୍ତି। ତାଙ୍କ ନେତୃତ୍ବରେ ଦଳ ୫ ଥର ବିଜେତା ହୋଇଛି’’ ବୋଲି ମୁମ୍ବାଇ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ କହିଛନ୍ତି। ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର କାମେରନ ଗ୍ରିନ୍‌, ଫିଲ୍ଡିଂ ପ୍ରଶିକ୍ଷକ ଜେମ୍ସ ପାମେଣ୍ଟ ମଧ୍ୟ ରୋହିତଙ୍କ ପ୍ରଶଂସା କରି ନିଜ ନିଜର ମତ ରଖିଛନ୍ତି।

ବିସିସିଆଇ ତାଙ୍କ ଜନ୍ମ ଦିନରେ ଅଭିନନ୍ଦନ ଜଣାଇ ଟ୍ବିଟ୍‌ କରିଛି ଯେ ୪୪୦ ଅନ୍ତର୍ଜାତୀୟ ମ୍ୟାଚ୍‌, ୧୭୦୫୭ ରନ୍‌, ୪୩ ଅନ୍ତର୍ଜାତୀୟ ଶତକ, ଏକମାତ୍ର କ୍ରିକେଟର୍‌ ଯିଏ ୩ ଦ୍ବିଶତକ ମାରିଛନ୍ତି। ଟିମ୍‌ ଇଣ୍ଡିଆ ଅଧିନାୟକଙ୍କୁ ଜନ୍ମଦିନ‌ର ଅନେକ ଅନେକ ଶୁଭେଚ୍ଛା। ‘‘ମୁମ୍ବାଇ ରାଜା, ଆମ ଅଧିନାୟକ, ଆପ୍‌ଲା ଆର୍‌ଓ, ସମସ୍ତଙ୍କ ହିଟ୍‌ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା’’ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଟ୍ବିଟର୍‌ରେ ଲେଖିଛି। ମହମ୍ମଦ କୈଫ, ଝୁଲଣ ଗୋସ୍ବାମୀ, ହରଭଜନ ସିଂହ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗା‌ଲୋର, ପଞ୍ଜାବ କିଙ୍ଗ୍ସ ଏବଂ ଅନେକ କ୍ରିକେଟର୍‌, କ୍ରୀଡ଼ାବିତ, କ୍ରୀଡ଼ା ସଂଗଠନଗୁଡ଼ିକ ରୋହିତଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।