ରୋହିତ, ୱାର୍ନର ବିଶ୍ବର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ: ଟମ୍‌ ମୁଡି

‘ଗିଲ୍‌ ଶ୍ରେଷ୍ଠ ଯୁବ ପ୍ରତିଭା’

ନୂଆଦିଲ୍ଲୀ: ଭାରତର ରୋହିତ ଶର୍ମା ଓ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ନର ଟ୍ବେଣ୍ଟି-୨୦ କ୍ରିକେଟରେ ବିଶ୍ବର ଶ୍ରେଷ୍ଠ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟମ୍‌ ମୁଡି ବର୍ଣ୍ଣନା କରିଛନ୍ତି। ଜଣେ ପ୍ରଶିକ୍ଷକ ଓ ଭାଷ୍ୟକାର ଭାବେ ବେଶ୍‌ ଜଣାଶୁଣା ମୁଡି ଟ୍ବିଟରରେ ହୋଇଥିବା ଏକ ପ୍ରଶ୍ନୋତ୍ତର ବେଳେ ଏହି ଜବାବ ରଖିଛନ୍ତି। ଏପରିକି ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କ ପାଇଁ ଶ୍ରେଷ୍ଠ ଦଳ ଓ ମହେନ୍ଦ୍ର ସିଂହ ଧୋନି ପସନ୍ଦିତା ଅଧିନାୟକ ବୋଲି ସେ ଉଲ୍ଲେଖ କରିଛନ୍ତି। ଭାରତରେ ପ୍ରତିଭାବାନ ଖେଳାଳିଙ୍କ ଅଭାବ ନାହିଁ। କିନ୍ତୁ ଏହି ଉଦୀୟମାନ ଖେଳାଳିଙ୍କ ମଧ୍ୟରୁ ମୁଡ଼ି କେବଳ ଶୁଭମନ୍‌ ଗିଲ୍‌ଙ୍କୁ ଚୟନ କରିଛନ୍ତି। ଗିଲ୍‌ ଭାରତ ପାଇଁ ଦୁଇଟି ଆନ୍ତର୍ଜାତିକ ଦିନିକିଆରେ ଖେଳିଥିଲା ବେଳେ ଟେଷ୍ଟ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍‌ରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନାହିଁ। ଏକାଧିକ ଆଇପିଏଲ୍‌ ଦଳରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିବା ମୁଡ଼ିଙ୍କ ମତରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କୁ ଶ୍ରେଷ୍ଠ କ୍ରିକେଟ ପଣ୍ଡିତ ଓ ରବୀନ୍ଦ୍ର ଜାଦେଜାଙ୍କୁ ତାଙ୍କର ଶ୍ରେଷ୍ଠ ଭାରତୀୟ କ୍ଷେତ୍ରରକ୍ଷକ ଭାବେ ଦର୍ଶାଇଛନ୍ତି। ତେବେ ଭାରତୀୟ କ୍ରିକେଟରଙ୍କ ମଧ୍ୟରୁ ତାଙ୍କର ପସନ୍ଦିତା ଖେଳାଳି ଭାବେ ସେ ଅଧିନାୟକ ବିରାଟ କୋହଲିଙ୍କୁ ବାଛିଥିବା ଟ୍ବିଟରରେ ଜଣାଇଛନ୍ତି।

ପୂର୍ବତନ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ ଟିମ୍ ମୁଡିଙ୍କ ମତରେ ବର୍ତମାନ ଭାରତର ଶ୍ରେଷ୍ଠ ଯୁବ ପ୍ରତିଭା ହେଉଛନ୍ତି ଶୁଭମନ ଗିଲ୍‌। ଟ୍ବିଟର୍‌ରେ ‘ଆସ୍କଟମ୍’ କାର୍ଯ୍ୟକ୍ରମ ଅବସରରେ ମୁଡି ଲେଖିଥିଲେ ଭାରତରେ ବହୁ ଯୁବ ପ୍ରତିଭା ରହିଛନ୍ତି, କିନ୍ତୁ ଶୁଭମନ ଗିଲ୍‌ ସବୁଠାରୁ ଉଲ୍ଲେଖନୀୟ। ସମ୍ପ୍ରତି ଭଲ ଫର୍ମରେ ଥିବା ଶୁଭମନ୍‌ଙ୍କୁ ବିଗତ ୨ ବର୍ଷ ହେବ ଭାରତୀୟ ଦଳରେ ଖେଳିବାର ସୁଯୋଗ ମିଳୁଛି। ଭାରତୀୟ ‘ଏ’ ଦଳର ନିୟମିତ ସଦସ୍ୟ ପାଲଟିଥିବା ବେଳେ ବରିଷ୍ଠ ଦଳର ଗତ ନ୍ୟୁଜିଲାଣ୍ଡ୍ ଗସ୍ତରେ ୱେଲିଂଟନ୍‌ ଟେଷ୍ଟ୍‌ ଲାଗି ସ୍ଥାନ ପାଇଥିଲେ। ଅବଶ୍ୟ ତାଙ୍କୁ ଖେଳିବା ସ‌ୁଯୋଗ ମିଳିନଥିଲା। ‘ସେ ଖେଳନ୍ତୁ ନ ଖେଳନ୍ତୁ, ସେ ଆସିଛନ୍ତି ଓ ରହିବେ’ ବୋଲି ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏକ ସାକ୍ଷାତକାର ବେଳେ ପ୍ରକାଶ କରିଥିଲେ। ନିଜ‌େ ଗିଲ୍‌ ମଧ୍ୟ ଆତ୍ମବିଶ୍ବାସରେ ରହିଛନ୍ତି। ‘ମୋର ନିଜସ୍ବ ଆଦର୍ଶ ଖେଳାଳି ରହିଛନ୍ତି, ମୁଁ ବିରାଟ ଭାୟାଙ୍କ (କୋହଲି) କର୍ମସଂସ୍କୃତିରେ ବିଶ୍ବାସ କରେ। ମୁଁ ଜାଣିଛି ସବୁ ଖେଳାଳି ଭିନ୍ନ, ତୁମେ କାହାକୁ କପି କରିପାରିବ ନାହିଁ। ମୁଁ ପ୍ରଥମ ବଲରୁ ହିଟ୍‌ କରିବା ଜାଣିଥିଲେ ବି କିଭଳି ଲମ୍ବା ପାଳି ଖେଳିବାକୁ ହୁଏ ଜାଣିଛି। ଆଜିକାଲି କିନ୍ତୁ ତୁମକୁ ପ୍ରଥମ ବଲ୍‌ରୁ ନିଜ ଫର୍ମକୁ ଦର୍ଶାଇବାର ଅଛି’ ବୋଲି ଗିଲ୍‌ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅଧିନାୟକ ବିରାଟ କୋହଲି ମଧ୍ୟ ଶୁଭମନ ଗିଲ୍‌ ଓ ପୃଥ୍ବୀ ସ’ଙ୍କୁ ଉଲ୍ଲେଖନୀୟ ଯୁବ ପ୍ରତିଭା କହି ଆସିଛନ୍ତି। ‘ଏବେ ଯେଭଳି ଯୁବ ଖେଳାଳିମାନେ ଆସୁଛନ୍ତି ତାହା ସବୁଠାରୁ ଉଲ୍ଲେଖନୀୟ। ପୃଥ୍ବୀ ସ’ ନିଜ ସୁଯୋଗକୁ ଦୁଇ ହାତରେ ଜାବୁଡି ଧରିଛନ୍ତି। ଶୁଭମନ ଜଣେ ଚମତ୍କାର ଖେଳାଳି’ ବୋଲି କୋହଲି କିଛି ଦିନ ତଳେ କହିଥିଲେ।

ସମ୍ବନ୍ଧିତ ଖବର