ରୋହିତଙ୍କୁ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା, ଅଶ୍ବିନ୍‌ ତୃତୀୟକୁ ଉଠିଲେ

ଦୁବାଇ : ଭାରତୀୟ ଓପ୍‌ନର ରୋହିତ ଶର୍ମା ଆଇସିସି ଟେଷ୍ଟ୍‌ ମାନ୍ୟତା (ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ)ରେ ୬ ସ୍ଥାନ ଲମ୍ଫ ମାରିଛନ୍ତି। ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷ ଲୋ-ସ୍କୋରିଂ ତୃତୀୟ ଟେ‌ଷ୍ଟ୍‌ରେ ଚମତ୍କାର ପ୍ରଦର୍ଶନ (ପ୍ରଥମ ପାଳିରେ ୬୬ ଏବଂ ଦ୍ବିତୀୟ ପାଳିରେ ଅପରାଜିତ ୨୫ ରନ୍‌) ଯୋଗୁଁ ଆଇସିସି ମାନ୍ୟତାରେ ନିଜର କ୍ୟାରିୟର ଶ୍ରେଷ୍ଠ ଅଷ୍ଟମ ସ୍ଥାନ ଅକ୍ତିଆର କରିଛନ୍ତି। ଏଥି ସହିତ ସେ ସାଥୀ ଚେତେଶ୍ବର ପୂଜାରାଙ୍କ ଉପରକୁ ଉଠିଯାଇଛନ୍ତି। ରୋହିତଙ୍କ ରେଟିଂ ପଏଣ୍ଟ ୭୪୨ ରହିଛି ଯାହାକି ତାଙ୍କ ପୂର୍ବ ଶ୍ରେଷ୍ଠ (୭୨୨, ୨୦୧୯ ଅକ୍ଟୋବର)ଠାରୁ ୨୦ ଅଧିକ। ୨୦୧୯ ଅକ୍ଟୋବରରେ ସେ ମାନ୍ୟତା ଦଶମ ସ୍ଥାନରେ ରହିଥିଲେ।

ଅନ୍ୟପକ୍ଷରେ ବୋଲରଙ୍କ ମାନ୍ୟତାରେ ତୃତୀୟ ଟେଷ୍ଟ୍‌ର ଶ୍ରେଷ୍ଠ ଖେଳାଳି ଅକ୍ଷର ପଟେଲ ଏବଂ ସାଥୀ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମଧ୍ୟ ପଦୋନ୍ନତି ପାଇଯାଇଛନ୍ତି। ୧୧ ୱିକେଟ୍‌ ଅକ୍ତିଆର କରିଥିବା ବାମହାତୀ ସ୍ପିନର ଅକ୍ଷର ୩୦ ସ୍ଥାନ ଲମ୍ଫ ମାରି ୩୮ରେ ପହଞ୍ଚି ଯାଇଥିଲା ବେଳେ ୭ ୱିକେଟ୍‌ ଦଖଲ କରିଥିବା ଅଫ୍‌ ସ୍ପିନର ଅଶ୍ବିନ୍‌ ୪ ସ୍ଥାନ ଲମ୍ଫ ମାରି ତୃତୀୟରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ମାସରୁ ହିଁ ଆଇସିସି ଖେଳାଳି ମାନ୍ୟତା ତାଲିକା ପ୍ରତି ସପ୍ତାହରେ ପ୍ରକାଶ ପାଇବ। ସେହିପରି ମହିଳା ଖେଳାଳିଙ୍କ ମାନ୍ୟତା ପ୍ରତ୍ୟେକ ମଙ୍ଗଳବାର ପ୍ରକାଶ ପାଇବ ବୋଲି ଆଇସିସି ସ୍ଥିର କରିଛି। ଫଳରେ ସାପ୍ତାହିକ ପ୍ରଣାଳିର ପ୍ରଥମ ତାଜା ମାନ୍ୟତା ତାଲିକା ଆସନ୍ତା ୨ ତାରିଖ (ମଙ୍ଗଳବାର) ଦିନ ପ୍ରକାଶିତ ହେବ ଏବଂ ୩ ତାରିଖରେ ପୁରୁଷଙ୍କ ମାନ୍ୟତା ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର