କୋହଲିଙ୍କ ଫର୍ମକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ବିଗିଡ଼ିଗଲେ ରୋହିତ
କହିଲେ ତାଙ୍କ ଉପରେ ପୂରା ଭରସା ଅଛି, ତାଙ୍କୁ ଆଶ୍ବାସନା ଦେବା ଦରକାର ନାହିଁ
ଲର୍ଡସ (ଲଣ୍ଡନ): ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ପୂରା ନିରବି ଯାଇଛି। ପ୍ରାୟ ଦୁଇ ବର୍ଷ ହେଲା ତାଙ୍କ ବ୍ୟାଟ୍ରୁ ଶତକଟିଏ ଦେଖିବାକୁ ମିଳିନି। ସେ ମଧ୍ୟ ଫର୍ମ ସହ ସଂଘର୍ଷ କରୁଛନ୍ତି। ଏପରିକି ପାଉଥିବା ସୁଯୋଗରେ ବିଫଳ ମଧ୍ୟ ହେଉଛନ୍ତି। ଫଳରେ ଭାରତୀୟ ଦଳରେ ତାଙ୍କ ସ୍ଥାନ ନେଇ ଚାରିଆଡୁ ସମାଲୋଚନା ହେଉଛି। ଏପରିକି ଅଧିକାଂଶ ପୂର୍ବ ଖେଳାଳି ତାଙ୍କୁ ଦଳରୁ ବାଦ୍ ଦେବା ନେଇ ମନ୍ତବ୍ୟ ରଖୁଛନ୍ତି। ଏହାସତ୍ତ୍ବେ କୋହଲିଙ୍କୁ ସମର୍ଥନ ଯୋଗାଇ ଆସୁଛନ୍ତି ଏବର ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଗୁରୁବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ରେ କୋହଲି ୨୫ ବଲ୍ରୁ ମାତ୍ର ୧୬ ରନ୍ କରିଥିଲେ। ଭାରତ ମଧ୍ୟ ଏହି ମ୍ୟାଚ୍କୁ ୧୦୦ ରନ୍ରେ ହାରିଯାଇଥିଲା। କୋହଲି ଯଦିଓ ଭଲ ଭାବେ ବଲ୍ ସହ ବ୍ୟାଟ୍ର ସଂଯୋଗ କରି ପାଳି ଆରମ୍ଭ କରିଥିଲେ, ଏବଂ ୩ଟି ଚୌକା ମାରିଥିଲେ ତଥାପି ଅଫ୍ଷ୍ଟମ୍ପ୍ ବାହାର ବଲ୍ରେ ପରାସ୍ତ ହୋଇ ୱିକେଟ୍ରକ୍ଷକଙ୍କୁ କ୍ୟାଚ୍ ଦେଇ ପାଭିଲିୟନ୍ ଫେରି ଯାଇଥିଲେ। ତେଣୁ ପୁଣି ଏକ କମ୍ ସ୍କୋର୍ରେ ଆଉଟ୍ ହେବାରୁ ତାଙ୍କ ଫର୍ମକୁ ନେଇ ମ୍ୟାଚ୍ ପର ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିଲେ ଗଣମାଧ୍ୟମ ପ୍ରତିନିଧି।
ଜଣେ ସାମ୍ବାଦିକ କୋହଲିଙ୍କ ଫର୍ମ ଏବଂ ଜାତୀୟ ଦଳରେ ସ୍ଥାନ ପାଇବା ଉଚିତ ନା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ରୋହିତଙ୍କୁ ପ୍ରଶ୍ନ କରିଥିଲେ। ତେବେ ତାଙ୍କ ପ୍ରଶ୍ନ ପୂରା ହେବା ପୂର୍ବରୁ ରୋହିତ ବିଗିଡ଼ି ଯାଇଥିଲେ। ରୋହିତ ତାଙ୍କୁ ପ୍ରଶ୍ନ ପଚାରିବା ଅଧାରୁ ରୋକିଥିଲେ ଏବଂ ନିଜ ଉପରୁ ନିୟଂତ୍ରଣ ହରାଇବା ଭଳି ଜଣାପଡ଼ିଥିଲେ। ‘‘ବିରାଟ କୋହଲିଙ୍କ ସଂପର୍କରେ ବହୁତ ଚର୍ଚ୍ଚା ହୋଇଆସୁଛି। ଏହା କାହିଁକି ହେଉଛି? ମୋତେ ତ ବୁଝାପଡୁନି ଭାଈ। କାହିଁକି ଏପରି ଉତ୍ତେଜିତ ପ୍ରଶ୍ନ ବାରମ୍ବାର ପଚାରୁଛ? ମୁଁ ବୁଝିପାରୁନି। ଠିକ୍ ଅଛି ପଚାରିଚାଲ’’ ବୋଲି ରୋହିତ ବିରକ୍ତି ଭାବରେ କହିଥିଲେ। ପରେ ସାମ୍ବାଦିକ ଜଣକ ପଚାରିଥିଲେ, କୋହଲିଙ୍କ ଭଳି ଜଣେ ଦକ୍ଷ ଖେଳାଳି ବହୁତ ଖରାପ ସମୟ ଦେଇ ଗତି କରୁଥିବାରୁ ତାଙ୍କୁ ପ୍ରଶିକ୍ଷକ, ଅଧିନାୟକ ଏବଂ ଅବଶିଷ୍ଟ ସପୋର୍ଟ ଷ୍ଟାଫ୍ଙ୍କଠୁ ଆଶ୍ବାସନାର ଆବଶ୍ୟକତା ରହିଛି। ନଚେତ ତାଙ୍କୁ ଏକୁଟିଆ ଛାଡ଼ି ଦିଆଯିବା ଉଚିତ’’। ଏହି ପ୍ରଶ୍ନ ପୂରା ହେବା ପରେ ରୋହିତ ପୂର୍ବର ସାମ୍ବାଦିକ ସମ୍ମିଳନୀ ଅବସରରେ ଯାହା କହିଥିଲେ ତାକୁ ଦୋହରାଇଥିଲେ। ରୋହିତ ସ୍ପଷ୍ଟ ଭାବେ କହିଥିଲେ ଯେ କୋହଲିଙ୍କ ଉପରେ ଦଳ ଏବଂ ମ୍ୟାନେଜମେଣ୍ଟର ପୂରା ଭରସା ରହିଛି। କୋହଲି ଏହାକୁ ନେଇ ଆଦୌ ବିଚଳିତ କିମ୍ବା ଭୟଭୀତ ନାହାନ୍ତି ବୋଲି ରୋହିତ କହିଥିଲେ। ତାଙ୍କଠୁ ପୂର୍ବ ଭଳି ପ୍ରଦର୍ଶନ ଦେଖିବାକୁ ପାଇବ। ସେଥିପାଇଁ ଧୈର୍ଯ୍ୟ ଧରିବାକୁ ସାମ୍ବାଦିକମାନଙ୍କୁ କହିଥିଲେ ରୋହିତ।
‘‘କୋହଲି ବହୁ ବର୍ଷ ଧରି ବହୁ ମ୍ୟାଚ୍ ଖେଳିସାରିଛନ୍ତି। ସେ ଏଭଳି କଣେ ମହାନ୍ ବ୍ୟାଟର୍ ତାଙ୍କୁ କୌଣସି ଅଶ୍ବାସନାର ଆବଶ୍ୟକତା ଦରକାର ପଡେନି। ମୁଁ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କହିଥିଲି କୌଣସି ଖେଳାଳିଙ୍କ କ୍ଷେତ୍ରରେ ଫର୍ମ ଉତ୍ଥାନ ଓ ପତନ ଦେଇ ଗତି କରିଥାଏ। ଏହା ହିଁ ସମସ୍ତ ଖେଳାଳିଙ୍କ କ୍ୟାରିୟରରେ ଏକ ଅଂଶବିଶେଷ। ପ୍ରତ୍ୟେକଙ୍କ କ୍ଷେତ୍ରରେ ଏଭଳି ଘଟିଥାଏ। ଏମିତି କେହି ଜଣେ ହେଲେ ଖେଳାଳି ନାହାନ୍ତି, ଯିଏକି ଖେଳିଥିବା ପ୍ରତ୍ୟେକ ମ୍ୟାଚ୍ରେ ଭଲ ପ୍ରଦର୍ଶନ ଦେଇଆସିଛନ୍ତି। ତୁମେ ଆନ୍ତର୍ଜାତିକ ଦିନିକିଆରେ କୋହଲିଙ୍କ ରନ୍ ଏବଂ ହାରହାରି ଉପରେ ନଜର ପକାଅ। ସବୁକିଛି ଜାଣି ପାରିବ। ତେଣୁ ଜଣେ ଖେଳାଳି ଯିଏକି ସଂଖ୍ୟାଧିକ ମ୍ୟାଚ୍ ଜିତିସାରିଛନ୍ତି ତାଙ୍କୁ କେବଳ ଗୋଟିଏ ଦୁଇଟି ଭଲ ପାଳିର ଆବଶ୍ୟକତା ରହିବ। ତେଣୁ କୋହଲି ଯେ ଖୁବ୍ଶୀଘ୍ର ଫର୍ମ ଫେରିପାଇବେ ସେ ବିଶ୍ବାସ ମୋର ରହିଛି’’। ବୋଲି ରୋହିତ କହିଥିଲେ। ତେବେ ଉତ୍ତର ଦେବା ବେଳେ ରୋହିତ ନିଜ ଉପରୁ ନିୟଂତ୍ରଣ ହରାଇଥିବାର ଭିଡିଓ ଭାଇରାଲ ହେବା ପରେ ସବୁ ଆଡେ ଚର୍ଚ୍ଚା ବଢ଼ିଯାଇଛି।