ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ, ରୋହିତ ଖାତା ଖୋଲିପାରିଲେନି

ବିଜୟନଗରମ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେ‌ଷ୍ଟ ଶୃଙ୍ଖଳାରେ ପାଳି ଆରମ୍ଭ କରିବା ପାଇଁ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି। ଏହି ସୁଯୋଗକୁ ପୂର୍ବରୁ ପ୍ରମାଣିତ କରିବା ପାଇଁ ତାଙ୍କୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ବୋର୍ଡ ସଭାପତି ଏକାଦଶ ଦଳର ନେତୃତ୍ବ ମିଳିଥିଲା। ସେହି ଦୃଷ୍ଟିରୁ ରୋହିତ ମଧ୍ୟ ପାଳି ଆରମ୍ଭ କରିଥିଲେ। ହେଲେ ଲମ୍ବା ଫର୍ମାଟ୍‌ରେ ପାଳି ଆରମ୍ଭ କରିବାର ପ୍ରଥମ ପରୀକ୍ଷାରେ ସେ ବିଫଳ ହେଲେ। ଅଭ୍ୟାସ ମ୍ୟାଚ୍‌ରେ ଖାତା ଖୋଲିବାକୁ ସମର୍ଥ ହେଲେନି। ମାତ୍ର ୨ ବଲ୍‌ର ସାମ୍‌ନା କରିଥିବା ରୋହିତ ଖାତା ଖୋଲିବା ପୂର୍ବରୁ ଭେନର୍ନ ଫିଲାଣ୍ଡରଙ୍କ ଶିକାର ହୋଇଗଲେ। ତେବେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ (୩୯ ରନ୍‌, ୯୨ ବଲ୍‌, ୬ ଚୌକା)ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ସାଙ୍ଗକୁ ମଧ୍ୟକ୍ରମରେ ପ୍ରିୟଙ୍କ ପାଞ୍ଚଲ୍‌ (୬୦ ରନ୍‌, ୭୭ ବଲ୍‌, ୧୦ ଚୌକା, ୧ ଛକା), ସିଦେଶ ଲାଡ୍‌ (୫୨* ରନ୍‌, ୮୯ ବଲ୍‌, ୭ ଚୌକା, ୧ ଛକା) ଏବଂ ୱିକେଟ୍‌ରକ୍ଷକ କୋନା ଭରତ (୭୧ ରନ୍‌, ୫୭ ବଲ୍‌, ୭ ଚୌକା, ୫ ଛକା)ଙ୍କ ଧୂଆଁଧାର ଅର୍ଧଶତକ ଯୋଗୁଁ ବୋର୍ଡ ସଭାପତି ଏକାଦଶ ୬୪ ଓଭରରେ ୨୬୫/୮ କରିଥିଲା ବେଳେ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ କରୁଣ ନାୟାର ୧୯ ଓ ଅଭିମନ୍ୟୁ ଈଶ୍ବରନ୍‌ ୧୩ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ୩, ଫିଲାଣ୍ଡର ୨ ଏବଂ କାଗିସୋ ରବାଦା ଓ ଏସ୍‌ ମୁଥୁସ୍ବାମୀ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଏହି ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନ ବର୍ଷାରେ ପୂରା ଧୋଇ ଯାଇଥିଲା ବେଳେ ଦ୍ବିତୀୟ ଦିବସରେ ୫୦ ଓଭର ଖେଳ ହୋଇଥିଲା। ସେଥିରେ ଭ୍ରମଣକାରୀ ଦଳ ୧୯୯/୫ କରିଥିଲା। ଶନିବାର ତୃତୀୟ ତଥା ଶେଷ ଦିନ ଭ୍ରମଣକାରୀ ଦଳ ଆଉ ଗୋଟିଏ ୱିକେଟ୍‌ ହରାଇ ୮୦ ରନ୍‌ ଯୋଡ଼ିଥିଲା ବେଳେ ପାଳି ଘୋଷଣା କରିଥିଲା। ତେମ୍ବା ବଭୁମା ୮୭ ରନ୍‌ରେ ଅପରାଜିତ ରହିଥିଲା ବେଳେ ଫିଲାଣ୍ଡର (୪୮) ଅର୍ଧଶତକଠୁ ୨ ରନ୍‌ ଦୂରରେ ଆଉଟ୍‌ ହୋଇଯାଇଥିଲେ। ଦକ୍ଷିଣ ଆଫ୍ରିକା ୬୪ ଓଭରରେ ୨୭୯/୬ରେ ଘୋଷଣା କରିଥିଲା। ଭାରତ ପକ୍ଷରୁ ଧର୍ମେନ୍ଦ୍ରସିଂହ ଜାଦେଜା ୩, ଉମେଶ ଯାଦବ ଓ ଈଶାନ ପୋରେଲ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ।

ଭିନ୍ନ ସଂଘର୍ଷରେ ରୋହିତ ଓ ରାହାଣେ
ମୁମ୍ବାଇ: ମୁମ୍ବାଇର ଦୁଇ ଉତ୍କୃଷ୍ଟ ବ୍ୟାଟ୍‌ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେ ଏବଂ ରୋହିତ ଶର୍ମା ନିଜ ନିଜକୁ ଭାରତୀୟ ଦଳରେ ପ୍ରତିଷ୍ଠିତ କରିସାରିଛନ୍ତି ଏବଂ ଢେର ସଫଳତା ବି ପାଇଛନ୍ତି। କିନ୍ତୁ ଏହି ଦୁଇ ଡାହାଣହାତୀ ବ୍ୟାଟସମ୍ୟାନ୍‌ ଭିନ୍ନ ଫର୍ମାଟରେ ନିଜକୁ ପ୍ରମାଣିତ କରିବାକୁ ସଂଘର୍ଷ କରୁଛନ୍ତି। ଟେଷ୍ଟ୍ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ସୀମିତ ଓଭର ଦଳକୁ ଫେରିବାକୁ କଡ଼ା ପରୀକ୍ଷାରେ ଅଛନ୍ତି। ଅନ୍ୟପକ୍ଷରେ ଦିନିକିଆ ଏବଂ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସଫଳତମ ତାରକା ରୋହିତ ଶର୍ମା ଟେଷ୍ଟ୍‌ ଦଳକୁ ଫେରିବାକୁ ଯାଉଥିଲେ ମଧ୍ୟ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। ରୋହିତ ୨୭ ଟେଷ୍ଟ୍ ଖେଳିଥିଲେ ମଧ୍ୟ ସେତେଟା ସଫଳ ରହିନାହାନ୍ତି।

ଅଜିଙ୍କ୍ୟ ରାହାଣେ ଦିନିକିଆ ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିଥିଲେ। ପରେ ଦଳ ଏକାଧିକ ଆହତ ସମସ୍ୟାରେ ପଡ଼ିଥିଲେ ମଧ୍ୟ ତାଙ୍କୁ ଡକରା ମିଳିନଥିଲା। ବରଂ ବେଙ୍ଗାଲୁରୁ ଖେଳାଳି ମୟଙ୍କ ଅଗ୍ରୱାଲ ଏବଂ ଦିଲ୍ଲୀ ଯୁବ ତାରକା ଋଷବ ପନ୍ତ୍‌ଙ୍କୁ ତୁରନ୍ତ ଇଂଲଣ୍ଡ ଯିବାକୁ ପଡ଼ିଥିଲା। ଟେଷ୍ଟ୍‌ ଦଳରେ ସଂଘର୍ଷରତ ରାହ‌ାଣେ କିନ୍ତୁ ଗତ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଶତକ ହାସଲ କରି ଚାପମୁକ୍ତ ହୋଇଛନ୍ତି। ଗୁରୁବାର ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ରାହ‌ାଣେ ମଧ୍ୟ ରୋହିତଙ୍କ ପାଇଁ ମନଦୁଃଖ କରିଥିଲେ। ରୋହିତଙ୍କ ଭଳି ସ୍ବତନ୍ତ୍ର ପ୍ରତିଭା ଗତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଚୂଡାନ୍ତ ଏକାଦଶ ବାହାରେ ବସିବା ମୋ ପାଇଁ ଯନ୍ତ୍ରଣାଦାୟକ ଥିଲା ବୋଲି ରାହାଣେ କହିଥିଲେ। ‌ସଚ୍ଚୋଟତାର ସହ କହିଲେ ମୁଁ ଜାଣିନି ରୋହିତ ଟେଷ୍ଟ୍‌ରେ ପାଳି ଆରମ୍ଭ କରିବେ କି ନା, କିନ୍ତୁ ସେ ଏହା କଲେ ମୁଁ ନିଶ୍ଚିତ ଖୁସି ହେବି। ଏକଥା ମଧ୍ୟ ମୁଁ ୱେଷ୍ଟଇଣ୍ଡିଜ୍‌ରେ କହିଥିଲି। ସୂଚନାଯୋଗ୍ୟ, ରୋହିତ ତାଙ୍କ ୪୭ ଟେଷ୍ଟ୍ ପାଳିରେ ମଧ୍ୟକ୍ରମରେ ଖେଳି ୩୯.୬୨ ହାରରେ ୩ ଶତକ ହାସଲ କରିଛନ୍ତି। କିନ୍ତୁ ସୀମିତ ଓଭର ଭଳି ପ୍ରଦର୍ଶନକୁ ସେ ଏହି ଫର୍ମାଟରେ ଦେଖାଇ ପାରିନାହାନ୍ତି। ଟେଷ୍ଟ୍‌ରେ ସେ ଜଲଦି ବଡ଼ ସଟ୍ ଖେଳୁଥିବାରୁ ଅଧିକ ସଫଳ ହୋଇନାହାନ୍ତି ବୋଲି କୁହାଯାଉଛି। ରାହାଣେ କିନ୍ତୁ ବିଶ୍ବାସ କରିଛନ୍ତି ରୋହିତ ଯଦି ପାଳି ଆରମ୍ଭର ସୁଯୋଗ ପାଇବେ ନିଶ୍ଚିତ ଭଲ କରି ଦେଖାଇବେ।

ସମ୍ବନ୍ଧିତ ଖବର