ଗୌହାଟୀ: ୱେଷ୍ଟଇଣ୍ଡିଜ୍ ଉପରେ ଭାରତର ଆଧିପତ୍ୟ ଅତୁଟ ରହିଛି। ଟେଷ୍ଟ୍ ଭଳି ଦିନିକିଆ ଶୃଙ୍ଖଳାର ପ୍ରଥମ ଲଢ଼େଇରେ ବି ୱେଷ୍ଟଇଣ୍ଡିଜ୍ ହାରି ଯାଇଛି। ରବିବାର ଭାରତ ସୀମିତ ଓଭର ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ୮ ୱିକେଟ୍ରେ ଜିତି ନେଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦େର ଆଗୁଆ ହୋଇଛି। ଦିନିକିଆ ଶୃଙ୍ଖଳାର ପ୍ରଥମ ଲଢ଼େଇରେ ୱେଷ୍ଟଇଣ୍ଡିଜ୍ ଅପେକ୍ଷାକୃତ ଭଲ ବ୍ୟାଟିଂ କଲା। ସିମରନ୍ ହେଟମେୟର (୧୦୬)ଙ୍କ ଶତକ ବଳରେ ଭାରତ ସମ୍ମୁଖରେ ୩୨୩ ରନ୍ର ବିଜୟ ଲକ୍ଷ୍ୟ ଦେଲା। ତେବେ ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ଭାରତ ପାଇଁ ଏହା ଆଦୌ ପର୍ଯ୍ୟାପ୍ତ ହୋଇ ନଥିଲା। ଭାରତ ୭.୫ ଓଭର ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ଏହାକୁ ଅତି ସହଜରେ ହାସଲ କରିନେଲା।
ରବିବାର କିନ୍ତୁ ଶିଖର ଧାୱନ (୪) ଧମାକା କରିବା ପୂବର୍ରୁ ଫୁସ୍କି ଯାଇଥିଲେ। ହେଲେ ଅଧିନାୟକ ବିରାଟ କୋହଲି (୧୪୦ ରନ୍, ୧୦୭ ବଲ୍, ୨୧ ଚୌକା, ୨ ଛକା) ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୧୫୨* ରନ୍, ୧୧୭ ବଲ୍, ୧୫ ଚୌକା, ୮ ଛକା) ଦ୍ବିତୀୟ ୱିକେଟ୍ରେ ୨୪୬ ରନ୍ ଯୋଡ଼ି ଭାରତ ବିଜୟକୁ ସହଜ କରି ଦେଇଥିଲେ। କୋହଲି ତାଙ୍କ ୩୬ତମ ଏବଂ ରୋହିତ ୨୦ତମ ଶତକ ପୂରଣ କରିବା ପରେ ଇଣ୍ଡିଜ୍ ହାତରୁ ମ୍ୟାଚ୍ ଖସି ଯାଇଥିଲା। ବିରାଟ ବଡ଼ ସଟ୍ ଖେଳିବା ପ୍ରୟାସରେ ଷ୍ଟମ୍ପିଂ ହୋଇଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ରୋହିତ ଛକା ମାରି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ସେ ମଧ୍ୟ ବ୍ୟକ୍ତିଗତ ଭାବେ ଦେଢ଼ ଶହ ରନ୍ ପୂରଣ କରି ନେଇଥିଲେ। ଉଭୟ ମିଳିମିଶି ୩୬ ଚୌକା ଓ ୧୦ ଛକା ମାରିଥିଲେ। ସେପଟେ ତୃତୀୟ ଥର ପାଇଁ ଦୁଇ ଜଣ ଭାରତୀୟ ଗୋଟିଏ ମ୍ୟାଚ୍ରେ ୧୪୦ରୁ ଅଧିକ ରନ୍ କରିଥିଲେ। ଚତୁର୍ଥ ସ୍ଥାନରେ ଖେଳିଥିବା ଅମ୍ବାତି ରାୟୁଡୁ ୨୨* ରନ୍ର ଯୋଗଦାନ ଦେଇଥିଲେ।
ଗୌହାଟୀର ବର୍ଷାପାରା ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହୋଇଥିଲା। ପ୍ରଥମ ଲଢ଼େଇରେ ହିଁ ସ୍ଥାନୀୟ ଦର୍ଶକ ଛକା, ଚୌକା ବର୍ଷା ସହ ମୋଟ ୧୦୦ ଓଭର ଖେଳରେ ୬୮୪ ରନ୍ ଦେଖିବାକୁ ପାଇଥିେଲ। କୋହଲି ତାଙ୍କ ଆକର୍ଷଣୀୟ ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦିଲ୍ଲୀର ଯୁବ ତାରକା ଋଷବ ପନ୍ତ ୨୨୪ତମ ଭାରତୀୟ ଦିନିକିଆ ଖେଳାଳି ହୋଇଥିଲେ।
ଭାରତ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଭିଜ୍ଞ ମାର୍ଲନ ସାମୁଏଲ୍ସ (୦) ଏବଂ ଚନ୍ଦ୍ରପଲ୍ ହେମରାଜ (୯) ବିଫଳ ହେବା ସତ୍ତ୍ବେ ୱେଷ୍ଟଇଣ୍ଡିଜ୍ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୨ ରନ୍ କରି ନେଇଥିଲା। ସମଗ୍ର ଟେଷ୍ଟ୍ ଶୃଙ୍ଖଳାରେ ସଂଘର୍ଷ କରିଥିବା ସିମରନ୍ ହେଟମେୟର ହିଁ ଇଣ୍ଡିଜ୍ ପାଳିକୁ ୩୦୦ ରନ୍ ଟପାଇଥିଲେ। ଦିନିକିଆ ଏକ ଭିନ୍ନ ଫର୍ମାଟ ବୋଲି ପ୍ରମାଣ କରି ଦେଇଥିଲେ। ୱିକେଟ୍ ପତନ ଧାରା ଜାରି ରହିଥିଲେ ମଧ୍ୟ ସେ ନିଜ ସାହସିକ ବ୍ୟାଟିଂ କରି ଚାଲିଥିଲେ। ୭୮ ବଲ୍ରୁ ୧୦୬ ରନ୍ ପାଳି ଖେଳିଥିଲେ ହେଟମେୟର। ତାଙ୍କ ସହ କିରଣ ପାୱେଲ (୫୧ ରନ୍, ୩୯ ବଲ୍), ରଭମନ ପାୱେଲ (୨୨), ସାଇ ହୋପ୍ (୩୨) ଓ ଅଧିନାୟକ ଜାସନ ହୋଲ୍ଡର (୩୮) ମଧ୍ୟ ଦ୍ରୁତ ବ୍ୟାଟିଂ କରିଥିଲେ। ୬ଟି ଲେଖାଏଁ ଛକା ଚୌକା ମାରିଥିବା େହଟମେୟରଙ୍କ ବ୍ୟାଟିଂ କିନ୍ତୁ ଇଣ୍ଡିଜ୍ ପାଳିର ମୁଖ୍ୟ ଆକର୍ଷଣ ଥିଲା। ସେ ଆଜି ନିଜ ଖେଳ ଜୀବନର ତୃତୀୟ ଶତକ ପୂରଣ କରି ନେଇଥିଲେ। ତା’ ସହ ଭାରତ ଗସ୍ତରେ ପ୍ରଥମ ଥର ପାଇଁ ସ୍ଥାନୀୟ ଦର୍ଶକଙ୍କୁ କିଛିଟା ମନୋରଞ୍ଜନର ଭେଟି ଦେଇଥିଲେ। ଭାରତର ସଫଳତମ ବୋଲର ଭାବେ ୟୁଜବେନ୍ଦ୍ର ଚହଲ ୪୧ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ। ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ଦୁଇଟି ଲେଖାଏଁ ୱିେକଟ୍ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Rohit-Sharma.jpg)