ରୋହିତଙ୍କ ୫ ‘ମୁମ୍ବାଇ ଇଣ୍ଡିଆନ୍ସ’ କୀର୍ତ୍ତିମାନ : ସଫଳତମ ଅଧିନାୟକ, ସର୍ବାଧିକ ଥର ୪୦୦ରୁ ଅଧିକ ରନ୍

ମୁମ୍ବାଇ: ଆଇପିଏଲ୍ ଆରମ୍ଭ ହେବାଠାରୁ ରୋହିତ ଶର୍ମା ଏହି ଲୋକପ୍ରିୟ ଲିଗ୍ ଖେଳି ଆସୁଛନ୍ତି। ହେଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ନିଯୁକ୍ତ ହେବା ପରେ ହିଁ ସେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ। ୨୦୧୩ ଋତୁ ମଝିରୁ ମୁମ୍ବାଇ ଅଧିନାୟକ ନିଯୁକ୍ତ ହୋଇଥିବା ରୋହିତ କେବଳ ସେହିବର୍ଷ ଏହି ଦଳକୁ ବିଜେତା କରିନଥିଲେ ବରଂ ଆଉ ତିନିଟି ଟ୍ରଫି ବିଜୟୀ ମଧ୍ୟ କରାଇଥିଲେ। ରୋହିତଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩ ସହ ୨୦୧୫, ୨୦୧୭ ଓ ୨୦୧୯ରେ ମଧ୍ୟ ବିଜେତା ଆଖ୍ୟା ଅର୍ଜନ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ କରିଥିବା ୫ କୀର୍ତ୍ତିମାନ ଉପରେ ଆସନ୍ତୁ ନଜର ପକାଇବା।

ରୋହିତ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ସଫଳତମ ଅଧିନାୟକ। ସେ ମଧ୍ୟ ଆଇପିଏଲ୍ ଇତିହାସର ସଫଳତମ ଅଧିନାୟକ। ତାଙ୍କ ଅଧିନାୟକତ୍ବରେ ମୁମ୍ବାଇ ଚାରି ଥର ବିଜେତା ହୋଇଛି। ଏଥର ମୁମ୍ବାଇକୁ ଲଗାତାର ଟ୍ରଫି ବିଜୟ ଉପହାର ଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି। କାରଣ ପୂର୍ବରୁ ରୋହିତ ସବୁବେଳେ ପ୍ରତି ଦୁଇ ବର୍ଷରେ ଥରେ ମୁମ୍ବାଇକୁ ବିଜେତା କରିଛନ୍ତି। ୨୦୧୭ ମସିହାକୁ ଛାଡ଼ିଦେଲେ ରୋହିତ ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ଅନ୍ୟସବୁ ବିଜେତା ଋତୁରେ ୪୦୦ରୁ ଅଧିକ ରନ୍ କରିଛନ୍ତି। ୨୦୧୩ରେ ସେ ୫୩୮, ୨୦୧୫ରେ ୪୮୨ ଓ ୨୦୧୯ରେ ୪୦୫ ରନ୍ କରିଥିଲେ। କେବଳ ୨୦୧୭ରେ ୩୩୩ ରନ୍ କରିଥିଲେ।

ସର୍ବାଧିକ ଥର ୪୦୦ରୁ ଅଧିକ ରନ୍
ଗତ ଦୁଇ ଋତୁରେ ସମ୍ଭବତଃ ରୋହିତ ନିଜ ସ୍ତରର ବ୍ୟାଟିଂ କରିପାରିନାହାନ୍ତି। ତେବେ ଆପଣ ଜାଣି ଖୁସି ହେବେ ଯେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ହିଁ ସର୍ବାଧିକ ଥର ୪୦୦ କିମ୍ବା ତା’ଠାରୁ ଅଧିକ ରନ୍ (ଗୋଟିଏ ଋତୁରେ) କରିଛନ୍ତି। ସେ ପାଞ୍ଚ ଥର ୪୦୦ କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି। ମୋଟ ଉପରେ ସେ ୭ ଥର ଆଇପିଏଲ୍‌ର ଗୋଟିଏ ଋତୁରେ ୪୦୦ରୁ ଅଧିକ ରନ୍ କରିଛନ୍ତି। ଏହି କ୍ଷେତ୍ରରେ କେବଳ ସୁରେଶ ରାଇନା (୯ ଥର ୪୦୦ରୁ ଅଧିକ ରନ୍) ତାଙ୍କଠାରୁ ଆଗରେ ରହିଛନ୍ତି।

ସର୍ବାଧିକ ରନ୍
ରୋହିତ ମୁମ୍ବାଇ ପକ୍ଷରୁ ୩୧.୮୬ ହାରରେ ସର୍ବାଧିକ ୩୭୨୮ ରନ୍ (୧୪୩ ମ୍ୟାଚ୍) କରିଛନ୍ତି। ସେଥିମଧ୍ୟରେ ୨୮ ଅର୍ଧଶତକ ଓ ଗୋଟିଏ ଶତକ ରହିଛି। କିରଣ ପୋଲାର୍ଡ (୨୭୫୫ ରନ୍) ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଅଛନ୍ତି। ତେବେ ସେ ରୋହିତଙ୍କଠାରୁ ପାଖାପାଖି ୧,୦୦୦ ରନ୍ ପଛରେ ରହିଛନ୍ତି। ରୋହିତ ଏହି କ୍ରମରେ ଅମ୍ବାତି ରାୟୁଡୁ, ଲେଣ୍ଡଲ ସିମନ୍ସ ଓ ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି।

ସର୍ବାଧିକ ସଂଖ୍ୟକ ଅର୍ଧଶତକ
ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସର୍ବାଧିକ ୨୮ ଅର୍ଧଶତକ ହାସଲ କରିଛନ୍ତି। ୨୦୧୬ରେ ସେ ୫ ଏବଂ ୨୦୧୩ରେ ୪ ଅର୍ଧଶତକ ହାସଲ କରିଥିଲେ। ମୋଟ ଉପରେ ଆଇପିଏଲ୍‌ରେ ରୋହିତ ୩୬ ଅର୍ଧଶତକ ଅର୍ଜନ କରିଛନ୍ତି। ଆଇପିଏଲ୍ ହେଉକି ଅନ୍ତର୍ଜାତୀୟ କ୍ରିକେଟ୍ ରୋହିତ ସବୁବେଳେ ନିଜକୁ ଜଣେ ବିପଜ୍ଜନକ ବ୍ୟାଟର ଭାବେ ପ୍ରମାଣିତ କରିଆସିଛନ୍ତି।

ଗୋଟିଏ ପାଳିରେ ସର୍ବାଧିକ କ୍ୟାଚ୍
ରୋହିତ କେବଳ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍ ନୁହନ୍ତି, ସେ ଜଣେ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ମଧ୍ୟ। ମୁମ୍ବାଇ ପକ୍ଷରୁ ସେ ମୋଟ ୫୯ କ୍ୟାଚ୍ ନେଇଛନ୍ତି। ଯାହା କେବଳ କିରଣ ପୋଲାର୍ଡ (୮୯)ଙ୍କଠାରୁ କମ୍। ୨୦୧୬ରେ ଗୁଜରାଟ ଲାୟନ୍ସ ବିପକ୍ଷ ଏକ ମ୍ୟାଚ୍‌ରେ ରୋହିତ ଚାରିଟି କ୍ୟାଚ୍ ନେଇଥିଲେ। ଯାହା ଗୋଟିଏ ପାଳିରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୌଣସି ଖେଳାଳିଙ୍କର ସର୍ବାଧିକ ସଂଖ୍ୟକ କ୍ୟାଚ୍ ହୋଇରହିଛି।

ସମ୍ବନ୍ଧିତ ଖବର