ଆଇପିଏଲ୍‌ରେ ରୋହିତଙ୍କ ୫୦୦୦ ରନ୍

ଆବୁଧାବି: ଆଇପିଏଲ୍‌ରେ ୫,୦୦୦ ରନ୍ ପୂରଣ କରିବାରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଗୁରୁବାର ତୃତୀୟ ଖେଳାଳି ହୋଇଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସର ବାମହାତୀ ବ୍ୟାଟର୍‌ ସୁରେଶ ରାଇନା ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ପରେ ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ରୋହିତ ମଧ୍ୟ ଆଇପିଏଲ୍‌ର ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଗୁରୁବାରର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍ ଖେଳିବାକୁ ଯିବା ପୂର୍ବରୁ ସେ ୪୯୯୮ ରନ୍‌ରେ ଥିଲେ। ମହମ୍ମଦ ସାମିଙ୍କୁ ଚୌକା ମାରି ୧୯୨ ପାଳିରୁ ହିଁ କୋହଲି ଓ ରାଇନାଙ୍କ କ୍ଲବରେ ସାମିଲ ହୋଇଥିଲେ ରୋହିତ। ଏହି ମ୍ୟାଚ୍‌ରେ ୭୦ ରନ୍ କରିବା ପରେ ସଂପ୍ରତି ୫୦୬୮ ରନ୍‌ରେ ରହିଛନ୍ତି ସେ। ଆଇପିଏଲ୍‌ରେ କୋହଲି ୧୮୦ ପାଳିରୁ ସର୍ବାଧିକ ୫୪୩୦ ରନ୍ କରିଥିଲା ବେଳେ ରାଇନା ୧୯୩ ପାଳିରୁ ୫୩୬୮ ରନ୍ କରିଛନ୍ତି। ରୋହିତ ଗୁରୁବାର ୩୮ତମ ଅର୍ଧଶତକ ହାସଲ କରି ରାଇନାଙ୍କ ସମକକ୍ଷ ହୋଇଥିଲେ। ଆଇପିଏଲ୍‌ରେ ସର୍ବାଧିକ ଅର୍ଧଶତକ ଡେଭିଡ୍ ୱାର୍ନର (୪୪) ଅର୍ଜନ କରିଥିଲା ବେଳେ ରୋହିତ ଓ ରାଇନା ଏବେ ଯୁଗ୍ମ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର