ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକୀୟ ପାଳି ଖେଳିବା ଅବସରରେ ଅଧିନାୟକ ରୋହିତ ଶର୍ମା ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ଏହି ମ୍ୟାଚ୍‌ରେ ୮୩ ରନ୍‌ କରିଥିବା ରୋହିତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ୯୫୦୦ ରନ୍‌ ପୂରଣ କରିଥିଲେ। ଆଉ ଏହା କରିବାରେ ସେ ଷଷ୍ଠ ଭାରତୀୟ ବ୍ୟାଟର୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ମାଇଲଖୁଣ୍ଟ ଟପି ସାରିଥିବା ୫ ଭାରତୀୟ ସଚିନ୍‌ ତେନ୍ଦୁଲକର (୧୮୪୨୬), ବିରାଟ କୋହଲି (୧୨୫୮୪*), ସୌରଭ ଗାଙ୍ଗୁଲି (୧୧୨୨୧), ରାହୁଲ ଦ୍ରାବିଡ୍‌ (୧୦, ୭୬୮) ଏବଂ ମହେନ୍ଦ୍ର ସିଂହ ଧୋନି (୧୦,୫୯୯) ସମସ୍ତେ ୧୦,୦୦୦ରୁ ଅଧିକ ରନ୍‌ ସ୍କୋର୍‌ କରିଛନ୍ତି। ୧୦,୦୦୦ କ୍ଲବ୍‌ରେ ସାମିଲ ହେବା ପାଇଁ ରୋହିତ (୯୫୩୭)ଙ୍କୁ ଆଉ ୪୬୩ ରନ୍‌ ଆବଶ୍ୟକ ରହିଛି। ଏଠାରେ ସୂଚନାଯୋଗ୍ୟ, ୨୦୧୨ ପରେ ପ୍ରଥମ ଥର ପାଇଁ ରୋହିତ ଗୋଟିଏ ବର୍ଷ (୨୦୨୨)ରେ ଆଦୌ ଆନ୍ତର୍ଜାତିକ ଶତକ ହାସଲ କରିପାରିନାହାନ୍ତି। ମୋଟ ଉପରେ ରୋହିତ ୨୩୬ ମ୍ୟାଚ୍‌ ଏବଂ ୨୨୯ ପାଳିରେ ୪୮.୯୦ ହାରାହାରିରେ ୯୫୩୭ ରନ୍‌ କରିଛନ୍ତି। ସେଥିରେ ୨୯ ଶତକ ଏବଂ ୪୭ ଅର୍ଦ୍ଧଶତକ ସାମିଲ ରହିଛି। ଦିନିକିଆ ଆନ୍ତର୍ଜାତିକରେ ତାଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍‌ ୨୬୪ ରହିଛି।