ରୋହିତଙ୍କ ଅନୁପସ୍ଥିତି ପକାଇପାରେ ପ୍ରଭାବ, ଓପନର ଭାବେ ଶ୍ରେଷ୍ଠ ଦିନିକିଆ ହାରାହାରି

୨୦୧୯ ବିଶ୍ବକପ୍‌ର ଶ୍ରେଷ୍ଠ ପ୍ରଦର୍ଶନକାରୀ, ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ରେକର୍ଡ

ନୂଆଦିଲ୍ଲୀ: ସଂପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ସୀମିତ ଓଭର‌ ଦଳରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ସ୍ଥାନ ପାଇନାହାନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସୀମିତ ଓଭରର ଦୁଇଟି ଶୃଙ୍ଖଳା (ଦିନିକିଆ ଏବଂ ଟ୍ବେଣ୍ଟି-୨୦) ଖେଳାଯିବାକୁ ଥିଲା ବେଳେ ଏହା ଭାରତୀୟ ‌ଦଳ ଉପରେ ପ୍ରଭାବ ପକାଇପାରିବ କି? ଏଭଳି ପ୍ରଶ୍ନ ପ୍ରଶଂସକଙ୍କଠୁ ଆରମ୍ଭ କରି କ୍ରିକେଟ୍‌ ପଣ୍ଡିତଙ୍କ ମନରେ ଏକ ବିରାଟ ପ୍ରଶ୍ନ ଭାବେ ଉଭା ହୋଇଛି। ରୋହିତ ଦିନିକିଆରେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି। ଇଂଲଣ୍ଡରେ ଆୟୋଜିତ ୨୦୧୯ ବିଶ୍ବକପ୍‌ର ଶ୍ରେଷ୍ଠ ପ୍ରଦର୍ଶନକାରୀ ଥିଲେ ସେ । ଏଥିସହ ଅଷ୍ଟ୍ରେଲିଆରେ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ରେକର୍ଡ ବହୁତ ଭଲ ରହିଛି। ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ରୋହିତ ଜଣେ ମ୍ୟାଚ୍‌ ବିଜେତା ମଧ୍ୟ। ସେଥିପାଇଁ ତାଙ୍କ ଅନୁପସ୍ଥିତି ଆଗାମୀ ଶୃଙ୍ଖଳା ବିଶେଷ କରି ସୀମିତ ଓଭର ପର୍ଯ୍ୟାୟରେ ବିରାଟ ବାହିନୀ ଉପରେ ବ୍ୟାପକ ପ୍ରଭାବ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି।

ରୋହିତ ଶର୍ମା ୨୦୧୯ ବିଶ୍ବକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ୯ ପାଳି ଖେଳି ୮୧ ହାରାହାରି ଏବଂ ୯୮.୩୩ ଷ୍ଟ୍ରାଇକ୍‌ରେଟ୍‌ରେ ୬୪୮ ରନ୍‌ କରିଥିଲେ ସେ। କେବଳ ତେନ୍ଦୁଲକର (୨୦୦୩) ଏବଂ ମାଥ୍ୟୁ ହେଡେନ୍‌ (୨୦୦୭) ଗୋଟିଏ ବିଶ୍ବକପ୍‌ରେ ସର୍ବାଧିକ ରନ୍‌ ସଂଗ୍ରହ କରିବାରେ ରୋହିତଙ୍କଠୁ ଆଗରେ ରହିଛନ୍ତି। ଏହି ବିଶ୍ବକପ୍‌ରେ ତାଙ୍କ ୫ ଶତକ କିନ୍ତୁ ଗୋଟିଏ ସଂସ୍କରଣରେ ସର୍ବାଧିକ। ୨୦୧୯ରେ ସେ ୨୭ ଦିନିକିଆ ପାଳିରୁ ୧୪୯୦ ରନ୍‌ ସଂଗ୍ରହ କରି ପ୍ରଥମ ସ୍ଥାନରେ ଥିଲା ବେଳେ ବିରାଟ କୋହଲି (୧୩୭୭) ଦ୍ବିତୀୟରେ ଥିଲେ। ଯଦି ହାରାହାରି (ପାଳି ଅନୁଯାୟୀ ରନ୍‌) ଦେଖିବା (ଅନ୍ୟୁନ ୭୦୦ ରନ୍) ତେବେ କୋହଲି (୫୫.୦୮)ଙ୍କଠୁ ରୋହିତ (୫୫.୧୮) ଟିକିଏ ଆଗରେ ରହିଛନ୍ତି ଏବଂ ଜାସନ ରୟ (୭୦.୪୨) ଓ ସକିବ-ଅଲ୍‌-ହାସନ (୬୭.୮୨)ଙ୍କ ପଛକୁ ତୃତୀୟରେ ରହିଛନ୍ତି। ୨୦୧୯ରେ ରୋହିତ ଏକାକୀ ୭ ଶତକ ଅର୍ଜନ କରିଥିଲେ। କେବଳ ତେନ୍ଦୁଲକର (୯ ଶତକ, ୧୯୯୮)ଙ୍କ ନାମରେ ଏହି ଫର୍ମାଟ୍‌ରେ ଗୋଟିଏ ବର୍ଷରେ ସର୍ବାଧିକ ଶତକ ରହିଛି। ଗତ ବର୍ଷ ରୋହିତ ୧୩ ଥର ୫୦ରୁ ଅଧିକ ରନ୍‌ ସଂଗ୍ରହ କରିଥିଲା ବେଳେ ଭାରତ ୯ଟିରେ ଜିତିଥିଲା। ମୋଟ ଉପରେ ରୋହିତ ଗତ ବର୍ଷ ୪୭ ଅନ୍ତର୍ଜାତୀୟ ପାଳିରୁ ୨୪୪୨ ରନ୍‌ ସଂଗ୍ରହ କରି ଦ୍ବିତୀୟ ସ୍ଥାନରେ ଥିଲା ବେଳେ କୋହଲି (୨୪୫୫) ଶୀର୍ଷ‌ରେ ଥିଲେ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରୋହିତ ୨୦୧୯ରେ ୧୯୨୧ ମ୍ୟାଚ୍‌ ବିଜୟୀ ରନ୍‌ କରିଥିଲେ। ଏହି କ୍ରମରେ କେବଳ ଦୁଇ ଜଣ ବ୍ୟାଟ୍ସମ୍ୟାନ୍‌ (ପଣ୍ଟିଂ ୨୦୦୩, ୨୦୦୫ ଓ ୨୦୦୬ ଏବଂ କୋହଲି ୨୦୧୭ ଓ ୨୦୧୯) ତାଙ୍କଠୁ ଅଧିକ ମ୍ୟାଚ୍‌ ବିଜୟୀ ରନ୍‌ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ରୋହିତଙ୍କ ରେକର୍ଡ ଚମତ୍କାର ରହିଛି। ୪୦ ପାଳି ଖେଳି ସେ ୮ ଶତକ ଓ ୯୩.୮୭ ଷ୍ଟ୍ରାଇକ୍‌ରେଟ୍‌ ସହ ୨୨୦୮ ରନ୍‌ କରିଛନ୍ତି। ତାଙ୍କ ହାରାହାରି ୬୧.୩୩ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଅନ୍ୟ ଯେକୌଣସି ବ୍ୟାଟ୍ସମ୍ୟାନ୍‌ଙ୍କଠାରୁ ଏହା ଅଧିକ। ତାଙ୍କ ପଛକୁ ଏବି ଡି’ଭିଲିୟର୍ସ (୫୯.୫୨), କୋହଲି (୫୪.୫୭), କ୍ଲାଇଭ୍ ଲୟଡ (୫୪.୨୨), ଡୁ’ପ୍ଲେସିସ୍‌ (୫୪) ଏବଂ ଭିଭିଆନ୍ ରିଚାର୍ଡ୍ସ (୫୦.୮୬) ରହିଛନ୍ତି। ଅଷ୍ଟ୍ରେଲିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ତାଙ୍କ ପ୍ରଦର୍ଶନ‌ ଅତ୍ୟନ୍ତ ଭଲ ରହିଛି। ୩୦ ପାଳି ଖେଳି ସେ ୯୦.୫୮ ଷ୍ଟ୍ରାଇକ୍‌ରେଟ୍‌ରେ ୧୩୨୮ ରନ୍‌ କରିଛନ୍ତି। ତାଙ୍କ ହାରାହାରି ୫୩.୧୨ ରହିଥିଲା ବେଳେ ଅଷ୍ଟ୍ରେଲିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ (ଅତିକମ୍‌ ୫୦୦ ରନ୍‌)ଙ୍କ ମଧ୍ୟରେ ଏହା ଶ୍ରେଷ୍ଠ। ତାଙ୍କ ତଳକୁ କୋହଲି (୫୦.୧୭), ଗମ୍ଭୀର (୪୯.୮୬)‌, ଧୋନି (୪୭.୮୬), ଧାୱନ (୩୮.୮୩) ଏବଂ ତେନ୍ଦୁଲକର (୩୪.୬୭) ରହିଛନ୍ତି। ଅଷ୍ଟ୍ରେଲିଆରେ ସେ ମଧ୍ୟ ୫ ଶତକ ହାସଲ କରିଛନ୍ତି। ଏମ୍‌ସିଜିରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ୨୦୧୫ ବିଶ୍ବକପ୍‌ କ୍ବାର୍ଟର ଫାଇନାଲ୍‌ରେ ରୋହିତ (୧୩୭, ୧୨୬ ବଲ୍‌) ଅର୍ଜନ କରିଥିବା ଶତକ ଅନ୍ୟତମ ଶ୍ରେଷ୍ଠ। ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ସେ ଦିନିକିଆରେ ୩ ଦ୍ବିଶତକ ହାସଲ କରିଛନ୍ତି। ରୋହିତ ମଧ୍ୟ ପର୍ଥ (୨୦୧୬)ରେ ଅପରାଜିତ ୧୭୧ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର