ଚେନ୍ନାଇ : ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ଖରାପ ଫର୍ମ ଜାରି ରହିଛି। ଲଗାତାର ମ୍ୟାଚ୍‌ରେ ଶୂନରେ ଆଉଟ୍ ହେବା ସହ ରୋହିତ ଏକ ଅଲୋଡ଼ା ଆଇପିଏଲ୍ କୀର୍ତ୍ତି ବହନ କରିଛନ୍ତି। ଆଇପିଏଲ୍‌ ଇତିହାସରେ ସର୍ବାଧିକ ୧୬ ଥର ଶୂନରେ ଆଉଟ୍ ହୋଇଛନ୍ତି ଏହି ସଫଳତମ ଅଧିନାୟକ। ବୁଧବାର ରାତିରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖାତା ‌ଖୋଲି ପାରିନଥିବା ରୋହିତ ଶନିବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ‘ଡକ୍‌’ରେ ଅଉଟ୍ ହୋଇଥିଲେ। ଆଇପିଏଲ୍‌ର ୧୬ ସଂସ୍କରଣରେ ଏହା ରୋହିତଙ୍କ ୧୬ତମ ଶୂନ ଥିଲା।

Advertisment

ପୂର୍ବରୁ ତିନି ଜଣ ଖେଳାଳି ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ସୁନିଲ ନାରାୟଣ, ଭାରତୀୟ ବ୍ୟାଟର୍ ଦୀନେଶ କାର୍ତିକ ଓ ମନଦୀପ ସିଂହ ମିଳିତ ଭାବେ ୧୫ ଲେଖାଏଁ ଶୂନ ପାଇ ଯୁଗ୍ମ ଦ୍ବିତୀୟରେ ରହିଛନ୍ତି। ଅମ୍ବାତି ରାୟୁଡୁ ୧୪ ଶୂନ ସହ ପରବର୍ତୀ ସ୍ଥାନରେ ରହିଛନ୍ତି। ବିଗତ ୪ ପାଳିରୁ ରୋହିତ ମାତ୍ର ୫ ରନ୍ (୨, ୩, ୦, ୦) କରିଥିବାରୁ ଶନିବାର ମ୍ୟାଚ୍‌ରେ ପାଳି ଆରମ୍ଭ କରିନଥିଲେ। ବିଗତ ୫ ବର୍ଷରେ ରୋହିତ ୬୨ ପାଳି ପରେ ପ୍ରଥମ ଥର ବିନା ଓପନିଂରେ ବ୍ୟାଟିଂ କରିଥିଲେ। ୩ ନମ୍ବର ସ୍ଥାନରେ ଆସିଥିଲେ ମଧ୍ୟ ବିଶେଷ ଫରକ ପକାଇପାରିନଥିଲେ। ଈଶାନ କିଶନ ଓ କାମେରନ୍ ଗ୍ରିନ୍‌ ପାଳି ଆରମ୍ଭ କରିଥିଲେ ମଧ୍ୟ ସେମାନେ ପ୍ରଭାବ ଛାଡ଼ି ପାରିନଥିଲେ। ଚଳିତ ଋତୁରେ ରୋହିତ ୧୦ ମ୍ୟାଚ୍‌ରୁ ୧୮.୪୦ ହାରରେ ମାତ୍ର ୧୮୪ ରନ୍ ସଂଗ୍ରହ କରିଛନ୍ତି। ଏକମାତ୍ର ଅର୍ଦ୍ଧଶତକ (୬୫) ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏପ୍ରିଲ୍ ୧୧ ତାରିଖରେ ହାସଲ କରିଥିଲେ।