ଅଭ୍ୟାସରେ ରୋହିତଙ୍କ ବିଶାଳ ଛକା: ଚଳନ୍ତା ବସ୍‌ରେ ବାଜିଲା ବଲ୍‌

ଆବୁଧାବି: ଆବୁଧାବି ବେଳାଭୂମିରେ କିଛି ଦିନ ଧରି ମଜାମସ୍ତି ସମୟ କଟାଇବା ପରେ ମୁମ୍ବାଇ ଇଣ୍ଡିଆନ୍‌ସ ଦଳ ଅଭ୍ୟାସକୁ ଫେରିଛି। ବୁଧବାର ଏକ ଅଭ୍ୟାସ ସେସନ୍‌ରେ ଏହାର ଅଧିନାୟକ ରୋହିତ ଶର୍ମା ପୂରା ଦମ୍‌ରେ ବ୍ୟାଟିଂ କରିଥିଲେ। ଫ୍ଲଡ୍‌ ଲାଇଟ୍‌ ତଳେ ଅଭ୍ୟାସ କରୁଥିବାର ଏକ ନୂଆ ଭିଡିଓ ମୁମ୍ବାଇ ଇଣ୍ଡିଆନ୍‌ସ ପୋଷ୍ଟ୍‌ କରିଛି। ସେହି ଭିଡିଓରେ ‘ହିଟ୍‌ମ୍ୟାନ୍‌’ ଭାବେ ପରିଚିତ ରୋହିତ ଜଣେ ସ୍ପିନରଙ୍କୁ ଆଗକୁ ଆସି ପ୍ରହାର କରିଥିଲେ। ତାଙ୍କ ପ୍ରହାରରେ ସେ ଏକ ବିଶାଳ ଛକା ମାରିଥିଲେ। ଛକା ମାଡ଼ରେ ବଲ୍‌ଟି ଅଭ୍ୟାସ ଅଞ୍ଚଳ ଟପି ବାହାରେ ଏକ ଚଳନ୍ତା ବସ୍‌ରେ ମାଡ଼ ହୋଇଥିଲା। ଭିଡିଓ କ୍ଲିପ୍‌ରୁ ଆସିଥିବା ଏକ ଅଡ଼ିଓରେ କେହି ଜଣେ ରୋହିତ ‘ବସ୍‌ର କାଚ ଭାଙ୍ଗିଲେ ନା ନାହିଁ’ ବୋଲି ପଚାରୁଥିବା ଶୁଣିବାକୁ ମିଳିଛି। ଭିଡିଓରୁ ରୋହିତ ମାରିଥିବା ଛକା ବସ୍‌ରେ ବାଜିବା ପୂର୍ବରୁ ପ୍ରାୟ ୯୫ ମିଟର ଦୂର ଯାଇଥିଲା। ଏହି ଛକା ମାରିବା ସାଙ୍ଗେ ସାଙ୍ଗେ ରୋହିତ ଶୂନ୍ୟରେ ନିଜର ମୁଠାରେ ଉତ୍ସବ ମନାଉଥିବା ଦେଖାଯାଇଥିଲା। ”ବ୍ୟାଟ୍ସମ୍ୟାନ୍‌ ଛକା ମାରିଲେ, କିଂବଦନ୍ତି ଷ୍ଟାଡିୟମ୍‌ ବାହାରକୁ ବଲ୍‌ ପଠାଇଦେଲେ, ହିଟ୍‌ମ୍ୟାନ୍‌ ଏକ ଛକା ମାରିଲେ+ଷ୍ଟାଡିୟମ୍‌ ବାହାରକୁ ପଠାଇଦେଲେ+ଚକିତ କରିଦେଲେ” ବୋଲି ମୁମ୍ବାଇ ଇଣ୍ଡିଆନ୍‌ସ ଭିଡିଓ ସହ ଲେଖିଛି।

ଏଠାରେ ସୂଚନାଯୋଗ୍ୟ, ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଭେଟିବ। ଚେନ୍ନାଇ ଦଳର ନେତୃତ୍ବ ନେଉଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଅଭ୍ୟାସକୁ ଓହ୍ଲାଇଛନ୍ତି। ହେଲେ ୨ ଜଣ ଖେଳାଳିଙ୍କ ସମେତ ମୋଟ ୧୩ ଜଣ କରୋନା ପଜିଟିଭ୍‌ ବାହାରିଥିବାରୁ ଦଳକୁ କିଛିଟା ଝଟ୍‌କା ଲାଗିଛି। ପୁଣି ଦୁଇ ପୁରୁଖା ସଦସ୍ୟ ସୁରେଶ ରାଇନା ଓ ହରଭଜନ ସିଂହ ଓହରିଯାଇଥିବାରୁ ଦଳର ସନ୍ତୁଳନ କିଛିଟା ବିଗିଡ଼ିଯାଇଛି। ଅବଶ୍ୟ ବିଳମ୍ବରେ ରାଇନା ଦଳ ସହ ଯୋଗଦେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସିଂହଳୀ ଦ୍ରୁତ ବୋଲର ତଥା ଆଇପିଏଲ୍‌ରେ ସର୍ବାଧିକ ୱିକେଟ୍‌ ଦଖଲକାରୀ ଲସିଥ୍‌ ମାଲିଙ୍ଗା ମଧ୍ୟ ଓହରିଯିବାରୁ ମୁମ୍ବାଇ ଇଣ୍ଡିଆନ୍‌ସକୁ ଝଟ୍‌କା ପହଞ୍ଚିଛି। ଏହାସତ୍ତ୍ବେ ଚେନ୍ନାଇ ବିପକ୍ଷରେ ମୁମ୍ବାଇର ରେକର୍ଡ ଉନ୍ନତ ରହିଛି। କେତେକ ପ୍ରମୁଖ ମୁକାବିଲାରେ ଚେନ୍ନାଇକୁ ପରାସ୍ତ କରିଛି ମୁମ୍ବାଇ। ଫଳରେ ଚଳିତ ସଂସ୍କରଣର ଉଦ୍‌ଘାଟନୀ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର