ରୋହିତଙ୍କୁ ଅଧିନାୟକ କରିବାକୁ ଦାବି, ‘କୋହଲି-ଶାସ୍ତ୍ରୀ ବ୍ରାଣ୍ଡ୍‌’ କ୍ରିକେଟ୍‌କୁ ବ‌ିରୋଧ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମେ ଖେଳାଯାଉଥିବା ଦିନିକିଆ ଶୃଙ୍ଖଳାକୁ ଭାରତ ହାରିଯିବା ପରେ ପ୍ରଶଂସକମାନେ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ‘ବ୍ରାଣ୍ଡ୍ ଅଫ୍ କ୍ରିକେଟ୍‌’କୁ ପ୍ରଶଂସକମାନେ ଦୃଢ଼ ବିରୋଧ କରିବା ସହ ରୋହିତ ଶର୍ମାଙ୍କୁ ତୁରନ୍ତ ସୀମିତ ଓଭର ଅଧିନାୟକ କରିବାକୁ ଦାବି ଉଠାଇଛନ୍ତି। ପ୍ରଶଂସକମାନେ ଯୁକ୍ତି ବାଢ଼ିଛନ୍ତି ଏବଂ ବିଶ୍ବାସ କରିଛନ୍ତି ଯେ ବିରାଟ କୋହଲିଙ୍କ ଅଧୀନରେ ଭାରତ ଗୋଟିଏ ବି ଆଇସିସି ଟ୍ରଫି ବିଜୟ ସମ୍ଭବ ହୋଇନାହିଁ। ଏହି ଧାରା ଜାରି ରହିବାର ଆଶଙ୍କା ବି ରହିଛି। ତେଣୁ ରୋହିତ ଶର୍ମାଙ୍କୁ ଧଳାବଲ୍‌ କ୍ରିକେଟ୍‌ରେ ନେତୃତ୍ବ ଅର୍ପଣ କରାଯାଉ। ଟ୍ବିଟର୍ ଆକାଉଣ୍ଟ୍ ଜରିଆରେ ପ୍ରଶଂସକମାନେ ଉଲ୍ଲେଖ କରୁଛନ୍ତି ଯେ କୋହଲି-ଶାସ୍ତ୍ରୀ ଭାରତୀୟ କ୍ରିକେଟ୍‌କୁ ଆନୁଷ୍ଠାନିକଭାବେ ନ‌ଷ୍ଟଭଷ୍ଟ କରିଦେଲେଣି। କୋହଲିଙ୍କ ପାଖରେ ଯଦି ଟିକିଏ ବି ଲଜ୍ଜା ବାକିଥିବ ତେବେ ସେ ‌ତୁରନ୍ତ ଅଧିନାୟକ ପଦ ଛାଡ଼ିଦେବା ଉଚିତ। ସେ କିନ୍ତୁ ଏଭଳି ଜଣେ ଲଜ୍ଜାହୀନ ବ୍ୟକ୍ତି ଯେ ତାହା କରିବେ ନାହିଁ। କୋହଲିଙ୍କ ତୁଳନାରେ ରୋହିତ ୧୦୦ ପ୍ରତିଶତ ଉନ୍ନତ ହୋଇଥି‌ଲେ ବି ଅଧିନାୟକ ହୋଇପାରୁନାହାନ୍ତି’ ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ବିରାଟ କୋହଲିଙ୍କ ଦଳ ମଧ୍ୟ ଗୋଟିଏ ବି ଆଇସିସି ଟ୍ରଫି ଜିତିପାରିନି ବୋଲି ସେମାନେ ତାତ୍ସଲ୍ୟ କରିଛନ୍ତି। କୋହଲି-ଶାସ୍ତ୍ରୀଙ୍କ ବ୍ରାଣ୍ଡ୍ ଅଫ୍ କ୍ରିକେଟ୍ ଜାରି ରହିଲେ ଭାରତକୁ ଆଉ କୌଣସି ଆଇସିସି ଟ୍ରଫି ମିଳିବାର ନାହିଁ ବୋଲି ମଧ୍ୟ ଜଣେ ପ୍ରଶଂସକ ଦାବି କରିଛନ୍ତି। ‌ଚୈତନ୍ୟ ନାମକ ଜଣେ ପ୍ରଶଂସକ ଲେଖିଛନ୍ତି ବିରାଟ କୋହଲିଙ୍କ ସମସ୍ୟା ହେଉଛି ସେ ଦଳ ତୁଳନାରେ ବ୍ୟକ୍ତିଗତ ଖେଳାଳିଙ୍କୁ ଅଗ୍ରାଧିକାର ଦେଉଛନ୍ତି। ଏବେ କୋହଲି-ଶାସ୍ତ୍ରୀଙ୍କୁ ଛାଡ଼ି ଏହାଠୁ ଊର୍ଧ୍ବରେ ଚିନ୍ତା କରାଯିବାର ବେଳ ଆସିଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ୮ ଦିନିକିଆ ଖେଳି ମାତ୍ର ୨ ଜିତିଛି। ରବି ଶାସ୍ତ୍ରୀଙ୍କ ଅଧିନରେ ଭାରତ ୨୦୧୭ରେ ଅଷ୍ଟ୍ରେଲିଆକୁ ୫ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳାରେ ହରାଇଥିଲା। ୨୦୧୯ରେ ମଧ୍ୟ ଫର୍ମକୁ ଜାରି ରଖି ଅଷ୍ଟ୍ରେଲିଆରେ ଐତିହାସିକ ବର୍ଡର-ଗାଭାସ୍କର ଟ୍ରଫି ସହିତ ଦିନିକିଅ ଶୃଙ୍ଖଳା ମଧ୍ୟ ଜିତିଥିଲା। କିଛି ମାସ ପରେ କିନ୍ତୁ ଅଷ୍ଟ୍ରେଲିଆ ଚମତ୍କାର ପ୍ରତ୍ୟାବର୍ତନ କରି ଭାରତରେ ୩-୨ରେ ଦିନିକିଆ ଶୃଙ୍ଖଳା ଜିତି ନେଇଥିଲା। ଚଳିତ ବ‌ର୍ଷ ପ୍ରାରମ୍ଭରେ ମଧ୍ୟ ୩ ମ୍ୟାଚ୍‌ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୨-୧ରେ ଜିତିଥିଲା।

ସମ୍ବନ୍ଧିତ ଖବର