ପର୍ଥ: ଭାରତୀୟ ଅଧିନାୟକ ରୋହିତ ଶର୍ମା ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ପରେ ଏକ କୀର୍ତ୍ତିମାନ ରଚିଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସର୍ବାଧିକ ମ୍ୟାଚ୍‌ ଖେଳିବାର କୀର୍ତ୍ତି ନିଜ ନାମକୁ ନେଇଯାଇଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସମସ୍ତ ସଂସ୍କରଣ ଖେଳିଥିବା ରୋହିତଙ୍କ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ୩୬ତମ ଥିଲା। ଏକ୍ଷେତ୍ରରେ ସେ ଶ୍ରୀଲଙ୍କାର ତିଳକରତ୍ନେ ଦିଲ୍‌ସାନ (୩୫)ଙ୍କୁ ପଛରେ ପକାଇ ଦେଇଥିଲେ। ଦିଲ୍‌ସାନ କ୍ରିକେଟ୍‌ରୁ ଅବସର ନେଇଯାଇଥିବାରୁ ଏବେ ସକ୍ରିୟ ଖେଳାଳିଙ୍କ ମଧ୍ୟରେ କେବଳ ବାଂଲାଦେଶ ଅଲ୍‌ରାଉଣ୍ଡର ସାକିବ୍‌ ଅଲ୍‌ ହାସନ୍‌ (୩୪) ତାଙ୍କ ପଛକୁ ରହିଛନ୍ତି। ଦିଲ୍‌ସାନଙ୍କ ପଛକୁ ଅବସରପ୍ରାପ୍ତ ପାକିସ୍ତାନୀ ଅଲ୍‌ରାଉଣ୍ଡର ସାହିଦ ଆଫ୍ରିଦି (୩୪) ଏବଂ ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଡ୍ବାନ୍‌ ବ୍ରାଭୋ (୩୪) ମଧ୍ୟ ସାକିବ୍‌ଙ୍କ ସହ ସମାନ ମ୍ୟାଚ୍‌ ଖେଳିଛନ୍ତି। ଏମାନଙ୍କ ପଛକୁ ଅଷ୍ଟ୍ରେଲିଆର ଡେଭିଡ୍‌ ୱର୍ଣ୍ଣର (୩୨) ରହିଛନ୍ତି।