ରୋହିତଙ୍କ ପ୍ରଥମ ବିଦେଶ ଶତକ: ଭାରତ ୧୭୧ ରନ୍‌ରେ ଆଗୁଆ

ଲଣ୍ଡନ ଓଭାଲ ଟେଷ୍ଟ୍‌ରେ ଭାରତର ରନ୍ ଲଢ଼େଇ ଜାରି ରହିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୧୨୭) ମୂଲ୍ୟବାନ ଓ ଲଢ଼ୁଆ ଶତକ ଅର୍ଜନ କରିବା ପରେ ଶନିବାର ଖରାପ ଆଲୋକ ପାଇଁ ଖେଳ ବନ୍ଦ ବେଳକୁ ୩ ୱିକେଟ୍ ବିନିମୟରେ ୨୭୦ ରନ୍ କରିନେଇଛି ଟିମ୍ ଇଣ୍ଡିଆ। ଫଳରେ ପ୍ରଥମ ପାଳିର ୯୯ ରନ୍‌ ନିଅଣ୍ଟକୁ ଭରଣା କରି ୧୭୧ ରନ୍‌ର ଅଗ୍ରଣୀ ଲାଭ କରିଛି। ଶୃଙ୍ଖଳା‌ରେ ସଂଘର୍ଷ କରିଆସିଥିବା ଚେତେଶ୍ବର ପୂଜାରା (୬୧) ଅର୍ଦ୍ଧଶତକୀୟ ପାଳି ଖେଳିବା ଭାରତ ପାଇଁ ଆଉ ଏକ ଭଲ ଖବର ହୋଇଛି। ଶନିବାରର ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଧିନାୟକ ବିରାଟ କୋହଲି ୨୨ ଏବଂ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୯ ରନ୍ କରି ଅପରାଜିତ ରହିଛନ୍ତି। ଶନିବାର ସମ୍ଭବ ‌ହୋଇଥିବା ୭୬ ଓଭର ଖେଳରେ ରୋହିତ ଓ ପୂଜାରାଙ୍କ ମଧ୍ୟରେ ହୋଇଥିବା ୧୫୩ ରନ୍‌ର ଭାଗୀଦାରି ଥିଲା ପ୍ରମୁଖ ଆକର୍ଷଣ। ଅପୂର୍ବ ଏକାଗ୍ରତା ଏବଂ କଠିନ ପରିଶ୍ରମର ପରିଚୟ ଦେଇ ଉଭୟ ଭାରତକୁ ମ୍ୟାଚ୍‌ରେ ଜୀବିତ ରଖିଥିଲେ।

୪୩/୦ର ପୂର୍ବଦିନ ସ୍କୋରରୁ ଶନିବାର ଖେଳ ଆରମ୍ଭ କରିଥିବା ଭାରତୀୟ ଦଳ ୮୩ ରନ୍‌ରେ ପ୍ରଥମ ୱିକେଟ୍ ଭାବେ କେଏଲ୍ ରାହୁଲ (୪୬)ଙ୍କୁ ହରାଇଥିଲା। ଅର୍ଦ୍ଧଶତକର ୪ ରନ୍ ପୂର୍ବରୁ ଇଂଲଣ୍ଡର ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍‌ଙ୍କ ଶିକାର ହୋଇଥିଲେ। ପରବର୍ତ୍ତୀ ୱିକେଟ୍ ପାଇଁ ଇଂଲଣ୍ଡକୁ କିନ୍ତୁ ଆ‌ଉ ୪୫.୫ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ରୋହିତ ତା’ ଭିତରେ ଅଷ୍ଟମ ‌ଟେଷ୍ଟ୍ ଶତକ ହାସଲ କରି ନେଇଥିଲେ। ବିଦେଶ ମାଟିରେ ଏହା ଥିଲା ରୋହିତଙ୍କ ପ୍ରଥମ ଶତକ। ଅନ୍ୟପକ୍ଷରେ ପୂଜାରା ୩୧ତମ ଥର ପାଇଁ ଅର୍ଦ୍ଧଶତକ ଛୁଇଁଥିଲେ। ଭାରତ ଦୃଢ଼ ସ୍ଥିତିରେ ରହି ଦିନ ଶେଷ କରିବା ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଓଲି ରବିନସନ୍‌ଙ୍କ ଯୁଗଳ ଝଟ୍‌କା ଇଂଲଣ୍ଡକୁ ମ୍ୟାଚ୍ ଫେରିବାର ସୁଯୋଗ ଦେଇଥିଲା। ଗୋଟିଏ ଓଭରରେ ଏବଂ ମାତ୍ର ୧ ରନ୍ ଭିତରେ ଉଭୟ ରୋହିତ ଓ ପୂଜାରାଙ୍କୁ ପ୍ୟାଭିଲିୟନ ଫେରାଇ ଭାରତ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ ସେ। ତେବେ କୋହଲି-ଜାଦେଜା ଆଉ କ୍ଷତି ହେବାକୁ ଦେଇ ନଥିଲେ। ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୧୧ ଓଭର ଖେଳି ଧେର୍ଯ୍ୟର ସହ ୩୩ ରନ୍ ଯୋଡ଼ିଥିଲେ ସେମାନେ। ଚମତ୍କାର ବ୍ୟାଟିଂ ପାଇଁ ତୃତୀୟ ଦିନର ସମ୍ମାନ ଆପାତତଃ ଭାରତ ଖାତାକୁ ଯାଇଥିଲା। ସୂଚନାଯୋଗ୍ୟ ଯେ ପ୍ରଥମ ଦିନରେ ୧୩ ୱିକେଟ୍‌ର ପତନ ହୋଇଥିବା ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଭାରତ ୧୯୧ ଏବଂ ଇଂଲଣ୍ଡ ୨୯୦ ରନ୍ କରିଥିଲା।

ସମ୍ବନ୍ଧିତ ଖବର