ରୋହିତଙ୍କ ‘ଆହତ’ ରହସ୍ୟ: ୧୩ ପଏଣ୍ଟ୍‌ର ପ୍ରଶ୍ନ

ରୋହିତଙ୍କ ବିଷୟରେ ଶାସ୍ତ୍ରୀ ଜାଣିନଥିବା ବିଶ୍ବାସଯୋଗ୍ୟ ନୁହେଁ: ସେହବାଗ

ନୂଆଦିଲ୍ଲୀ: ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳର ଉପଅଧିନାୟକ ତଥା ତାରକା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଆଘାତ ଜନିତ ସମସ୍ୟା ଏବେ କ୍ରିକେଟ୍ ଜଗତର ଅନ୍ୟତମ ଗହନ ଓ ଗୋପନ ରହସ୍ୟ ଭାବେ ଉଭା ହୋଇଛି। ରୋହିତ ଗୁରୁତର ଆହତ ଥିବା ଦର୍ଶାଇ ଚୟନକର୍ତ୍ତା ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌ ଦେଇଥିଲେ। ଏହାର ମାତ୍ର କିଛି ଦିନ ପରେ ରୋହିତ ଆଶ୍ଚର୍ଯ୍ୟଜନକ ଭାବେ ମୁମ୍ବାଇ ଇଣ୍ଡିଆନ୍ସର ଶେଷ ଆଇପିଏଲ୍ ଲିଗ୍ ମ୍ୟାଚ୍‌ରେ ଖେଳିଥିଲେ। ଏଣୁ ସେ ପ୍ରକୃତରେ ଆହତ ଅଛନ୍ତି କି ନାହିଁ? ସେ ନେଇ ଏବେ ତର୍କ ବିତର୍କ ଜୋର ଧରିଛି। ‌ରୋହିତଙ୍କ ଫିଟ୍‌ନେସ୍ ବିଷୟରେ ବିଶେଷ କରି ଜାଣି ନଥିବା ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ମନ୍ତବ୍ୟ ସ୍ଥିତିକୁ ଆହୁରି ଗୋଳମାଳିଆ କରିଛି। ଏପରିକି ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ୍ ପଡ଼ିବା ପଛର ଅସଲ କାରଣ ପ୍ରକାଶ କରିବାକୁ କିଂବଦନ୍ତି କ୍ରିକେଟର ସୁନିଲ ଗାଭାସ୍କର ବିସିସିଆଇକୁ ଆହ୍ବାନ କରିଛନ୍ତି। ରୋହିତଙ୍କୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଓ ସଂଶୟକୁ ୧୩ ପଏଣ୍ଟର ପ୍ରଶ୍ନରେ ଏମିତି ବ୍ୟାଖ୍ୟା କରାଯାଇପାରେ।

।ଚଳିତ ଆଇପିଏଲ୍‌ର ଅକ୍ଟୋବର ୧୮ରେ ଖେଳା ଯାଇଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଦ୍ବିତୀୟ ଲିଗ୍ ମ୍ୟାଚ୍‌ରେ ରୋହିତଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ବାମ ଗୋଡ଼ ମାଂସପେଶୀରେ ସେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୁହାଯାଇଥିଲା। ଫଳରେ ରୋହିତ ମୁମ୍ବାଇର ପରବର୍ତ୍ତୀ ୪ ମ୍ୟାଚ୍ ଖେଳିପାରିନଥିଲେ।

।ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୨୫ ତାରିଖରେ ବିସିସିଆଇ ଡାକ୍ତର ନିତିନ ପଟେଲ ରୋହିତଙ୍କ ଆହତ ସ୍ଥିତି ନେଇ ରିପୋର୍ଟ ପ୍ରଦାନ କଲେ।

।ସ୍କାନ୍ ପରେ ରୋହିତଙ୍କ ଆଣ୍ଠୁ ଖଞ୍ଜା ଫାଟି ଯାଇଥିବା ଜଣାପଡ଼ିଥିଲା। ନିତିନ ତିନି ଜଣ ଡାକ୍ତରଙ୍କ ସହ ଏନେଇ ପରାମର୍ଶ କରିବା ପରେ ୨ରୁ ୩ ସପ୍ତାହ ବିଶ୍ରାମ ନେବା ଲାଗି ରୋହିତଙ୍କୁ କହିଥିଲେ। ବିଶ୍ରାମ ନନେଲେ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିପାରେ ବୋଲି ମଧ୍ୟ ଜଣେ ଡାକ୍ତର କହିଥିଲେ।

।ରୋହିତ ଆହତ ହେବାର ଗୋଟିଏ ସପ୍ତାହ ପରେ ଅର୍ଥାତ୍ ଅକ୍ଟୋବର ୨୬ରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇ ଦଳ ଘୋଷଣା କଲା। ତିନିଟି ଯାକ (ଦିନିକିଆ, ଟ୍ବେଣ୍ଟି-୨୦, ଟେଷ୍ଟ୍) ଦଳରୁ ରୋହିତ ବାଦ୍ ପଡ଼ିଲେ।

।ରୋହିତଙ୍କ ଅନୁପସ୍ଥିତିରେ ଚୟନକର୍ତ୍ତା କେଏଲ୍ ରାହୁଲଙ୍କୁ ଭାରତୀୟ ସୀମିତ ଓଭର ଦଳର ଉପଅଧିନାୟକ ନିଯୁକ୍ତ କଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହେଲା। ରୋହିତ ଯଦି ଫିଟ୍ ହୋଇ ଦଳକୁ ଫେରନ୍ତି, ତାହାଲେ ସେ ଉପଅଧିନାୟକ ରହିବେ କି ନାହିଁ? ବୋଲି ପୂର୍ବତନ କ୍ରିକେଟର୍‌ମାନେ ପ୍ରଶ୍ନ କଲେ।

।ଭାରତୀୟ ଦଳ ଘୋଷଣା ହେବା ପରେ ପରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ନେଟ୍‌ରେ ଅଭ୍ୟାସ କରୁଥିବାର ଭିଡିଓ ପ୍ରକାଶ କଲା। ଫଳରେ ରୋହିତ ଗୁରୁତର ଆହତ ହୋଇଛନ୍ତି ନା ଏହାକୁ ବଢ଼ାଇ ଚଢ଼ାଇ ପ୍ରକାଶ କରାଯାଉଛି, ସେ ପ୍ରଶ୍ନ ସମର୍ଥକଙ୍କ ମନରେ ଉଙ୍କି ମାରିଲା।

।ରୋହିତଙ୍କ ଆହତ ହେବା ଘଟଣାରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ବିସିସିଆଇକୁ ମହାନ କ୍ରିକେଟର ସୁନିଲ ଗାଭାସ୍କର ଆହ୍ବାନ କଲେ।

।ନଭେମ୍ବର ୩ ତାରିଖରେ ଦେଇଥିବା ସାକ୍ଷାତକାରରେ ରୋହିତ ଆହତ ଥିବା ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସ୍ପଷ୍ଟ କଲେ। ରୋହିତ କେବେ ଫେରିବେ ସେ କଥା କହିପାରିବେନାହିଁ ବୋଲି ମଧ୍ୟ ଗାଙ୍ଗୁଲି କହିଲେ।

।ରୋହିତ ନେଟ୍ସରେ ଅଭ୍ୟାସ କରୁଥିବା ଭିଡିଓ ବିଷୟରେ ପଚରାଯିବାରୁ ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ଗାଙ୍ଗୁଲି କହିଲେ। ଆହତ ପରିଚାଳନା ନେଇ ଅଧିକ ଯତ୍ନବାନ ହେବାକୁ ମଧ୍ୟ ରୋହିତଙ୍କୁ ପରାମର୍ଶ ଦେଲେ।

।ଗାଙ୍ଗୁଲି ସାକ୍ଷାତକାର ଦେବା ଦିନ ହିଁ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ଖେଳିବାକୁ ରୋହିତ ପଡ଼ିଆକୁ ଓହ୍ଲାଇଥିଲେ। ଟସ୍ ପରେ ଦେଇଥିବା ସାକ୍ଷାତକାରରେ ସେ ଫିଟ୍ ଓ ସୁସ୍ଥ ଥିବା ବି କହିଥିଲେ। ଅବଶ୍ୟ ୭ ବଲ୍ ଖେଳି ସେ ମାତ୍ର ୪ ରନ୍ରେ ପାଭିଲିୟନ୍‌ ଫେରିଥିଲେ। ତେବେ ସେ ପଡ଼ିଆକୁ ଓହ୍ଲାଇବା ପରିସ୍ଥିତିକୁ ଆହୁରି ରହସ୍ୟମୟ କରି ଦେଇଥିଲା।

।ମ୍ୟାଚ୍ ପରେ ମଧ୍ୟ ରୋହିତ ନିଜ ମନ୍ତବ୍ୟକୁ ପୁନର୍ବାର ଦୋହରାଇଥିଲେ। ଏପରିକି ସେ ପ୍ଲେ ଅଫ୍ ଖେଳିବେ ବୋଲି ସଙ୍କେତ ଦେଇଥିଲେ। ଯାହା ପୂର୍ବରୁ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବକୁ ଆହୁରି ପ୍ରଗାଢ଼ କରିଥିଲା।

।ଭାରତୀୟ ଦଳ ସହ ରୋହିତ ନଭେମ୍ବର ୧୨ ତାରିଖରେ ଅଷ୍ଟ୍ରେଲିଆ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଅନ୍ୟ ଖେଳାଳିଙ୍କ ଭଳି ସେ ମଧ୍ୟ ସଙ୍ଗରୋଧରେ ରହିବେ। ଅଭ୍ୟାସ ବି କରିବେ। ପୂରା ଫିଟ୍ ଥିଲେ ମ୍ୟାଚ୍ ମଧ୍ୟ ଖେଳିବେ।

।ଆଣ୍ଠୁ ଖଞ୍ଜା ଫାଟି ଯାଇଥିବା‌ ବିସିସିଆଇ ସ୍ପଷ୍ଟ ଭାବେ କହିବା ପରେ ମଧ୍ୟ ରୋହିତ ମୁମ୍ବ‌ାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ତାଙ୍କ ଆଘାତ ଯଦି ଆହୁରି ଗୁରୁତର ହୁଏ, ତାହାଲେ ଏହାର ଦାୟିତ୍ବ ନେବ କିଏ? କାରଣ ଭାରତୀୟ ଦଳର ସେ ଜଣେ ମହତ୍ବପୂର୍ଣ୍ଣ ସଦସ୍ୟ ଏବଂ ତାରକା ଖେଳାଳି।

ରୋହିତଙ୍କ ବିଷୟରେ ଶାସ୍ତ୍ରୀ ଜାଣିନଥିବା ବିଶ୍ବାସଯୋଗ୍ୟ ନୁହେଁ: ସେହବାଗ
ଦୁବାଇ: ରୋହିତ ଶର୍ମାଙ୍କ ଆହତ ସ୍ଥିତି ନେଇ କିଛି ଜାଣି ନଥିବା ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସୋମବାର ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଥିଲେ। ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ କିନ୍ତୁ ଏହାକୁ ବିଶ୍ବାସ କରିନାହାନ୍ତି। ପ୍ରଶିକ୍ଷକ ଦଳର ଜଣେ ମହତ୍ବପୂର୍ଣ୍ଣ ଖେଳାଳିଙ୍କ ଫିଟ୍‌ନେସ୍ ବିଷୟରେ କିଛି ଜାଣି ନଥିବା ଅବିଶ୍ବସନୀୟ ବୋଲି ନଜଫ ଗଡ଼ର ନବାବ ଭାବେ ପରିଚିତ ସେହବାଗ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ କହିଛନ୍ତି, ‘‘ରୋହିତଙ୍କ ଆହତ ନେଇ ଶାସ୍ତ୍ରୀ କିଛି ଜାଣି ନଥିବା କଥା ବିଶ୍ବାସଯୋଗ୍ୟ ନୁହେଁ। ଚୟନସମିତିର ସଦସ୍ୟ ହୋଇ ନଥିଲେ ମଧ୍ୟ ଚୟନକର୍ତ୍ତା ଦଳ ଘୋଷଣା କରିବାର ଦିନେ ଦୁଇ ଦିନ ପୂର୍ବରୁ ନିଶ୍ଚିତ ଭାବେ ତାଙ୍କ ସହ କଥା ହୋଇଥିବେ। ତାଙ୍କ ପରାମର୍ଶ ଓ ମତାମତ ମଧ୍ୟ ଲୋଡ଼ିଥିବେ।

ଶାସ୍ତ୍ରୀ କହିଥିବା କଥା ସହ ମୁଁ ଆଦୌ ଏକମତ ନୁହେଁ। ଅଧିନାୟକ ଓ ପ୍ରଶିକ୍ଷକ ଦଳ ଗଠନ ନେଇ ନିଶ୍ଚିତ ଭାବେ ଚୟନକର୍ତ୍ତାଙ୍କ ସହ ଅନୌପଚାରିକ ଆଲୋଚନା କରିଥିବେ। ମୁଁ ଆଶ୍ଚର୍ଯ୍ୟଚକିତ ଯେ ନିଜ ଫ୍ରାଞ୍ଚାଇଜ ପାଇଁ ଖେଳିବାକୁ ପ୍ରସ୍ତୁତ ଥିବା ଜଣେ ଖେଳାଳି ଦେଶ ପାଇଁ ଖେଳିବାକୁ ବଛା ହେଲେନି। ଏହା ଚକିତ କଲା ଭଳି କଥା ଏବଂ ବିସିସିଆଇ କୁପରିଚାଳନାର ପରିଣାମ। ସେମାନେ ସବୁ ସୂଚନା ସଂଗ୍ରହ କଲା ପରେ ଭାରତୀୟ ଦଳ ଘୋଷଣା କରିବା କଥା। ଯଦି ସେ ଆହତ ଅଛନ୍ତି, ତାଙ୍କ ବଦଳ ଖେଳାଳି ନିଆଯାଇ ପାରିଥା’ନ୍ତା। ହେଲେ ସେ କାହିଁକି ଭାରତୀୟ ଦଳରେ ସ୍ଥାନ ପାଇଲେନି, ସେ କଥା ମୁଁ ବୁଝିପାରୁନି। ସେ ନିଜେ କହୁଛନ୍ତି ଯେ ମୁଁ ପୂରା ଫିଟ୍ ଅଛି, ଏଭଳି ସ୍ଥିତିରେ ଆପଣ ତାଙ୍କୁ ଦଳରୁ ବାଦ୍ ଦେବେ କେମିତି? ବିସିସିଆଇ ‌ଯେଭଳି ଭାବେ ପରିଚାଳିତ ହେଉଛି, ସେଥିନେଇ ମୁଁ ପୂରା ନିରାଶ ବୋଲି କହିଛନ୍ତି ସେହବାଗ୍‌।

ସମ୍ବନ୍ଧିତ ଖବର