ଭାରତୀୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ମୁମ୍ବାଇସ୍ଥିତ ନିଜ ଗ୍ୟାରେଜ୍ରେ ଆଉ ଏକ ନୂଆ କାର୍ ରଖିଛନ୍ତି। ନାଲି ରଙ୍ଗର ଲାମ୍ବୋର୍ଗିନି ଉରୁସ ଏସ୍ଇ କାର୍ ପଞ୍ଜୀକରଣ ନମ୍ବର ସ୍ବତନ୍ତ୍ର ରହିଛି। ଏହି କାର୍ ନଂ ରହିଛି ୩୦୧୫। ଝିଅ ସମାଇରା ଓ ପୁଅ ଅହାନର ଜନ୍ମ ତାରିଖକୁ ଯୋଡ଼ି ରୋହିତ ଏହି ନମ୍ବର ରଖିଛନ୍ତି। ଝିଅର ଜନ୍ମ ତାରିଖ ଡିସେମ୍ବର ୩୦ ରହିଥିଲା ବେଳେ ପୁଅର ହେଉଛି ନଭେମ୍ବର ୧୫। ୩୦ ଆଉ ୧୫କୁ ମିଶାଇଲେ ହେଉଛି ୪୫। ଯାହା ରୋହିତଙ୍କ କ୍ରିକେଟ୍ର ଜର୍ସି ନମ୍ବର। ରୋହିତ କିଣି ଥିବା ଏହି ନୂଆ କାର୍ର ସୋରୁମ୍ ମୂଲ୍ୟ ରହିଛି ୪.୬୭ କୋଟି ଟଙ୍କା।
ଏହା ପୂର୍ବରୁ ତାଙ୍କର ଏକ କାର୍ ନମ୍ବର ରହିଛି ୨୬୪। ଏହା ତାଙ୍କର ଦିନିକିଆ ରେକର୍ଡ ସ୍କୋର୍। ରୋହିତ ଟ୍ବେଣ୍ଟି-୨୦ ଓ ଟେଷ୍ଟ୍ରୁ ଅବସର ନେଇଥିଲା ବେଳେ ଦିନିକିଆ ଖେଳିବା ଜାରି ରଖିଛନ୍ତି। ତାଙ୍କ ପ୍ରଶଂସକ ଆଇପିଏଲ୍ ପରେ ରୋହିତଙ୍କୁ ଆଉ ପଡ଼ିଆରେ ଦେଖିବାକୁ ପାଇନାହାନ୍ତି। ଅଗଷ୍ଟରେ ହେବାକୁଥିବା ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳା ବାତିଲ ହୋଇଯିବାରୁ ରୋହିତଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଦେଖିବାକୁ ମିଳିବ। ଭାରତ ଅକ୍ଟୋବର ୧୯ରୁ ୨୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଦିନିକିଆ ଶୃଙ୍ଖଳା ଖେଳିବ।