ନୂଆଦିଲ୍ଲୀ: ଫ୍ରାନ୍ସର ଫୁଟ୍ବଲ୍ କିଂବଦନ୍ତି ଜିନେଦିନ୍ ଜିଦାନଙ୍କୁ ଭେଟିବାକୁ ଭାରତୀୟ କ୍ରିକେଟ୍ ଦଳ ଅଧିନାୟକ ରୋହିତ ଶର୍ମା ବ୍ୟାକୁଳ ଅଛନ୍ତି। ଜୀବନରେ ଯଦି କାହାକୁ ମୁଁ ଭେଟିବାକୁ ଚାହୁଁଛି ତେବେ ସେ ହେଉଛନ୍ତି ଜିନେଦିନ୍ ଜିଦାନ। ତାଙ୍କୁ ଅନେକ କିଛି ପଚାରିବାର ଅଛି। ସେ କିଭଳି ପରିସ୍ଥିତିରେ ଫିଫା ବିଶ୍ବକପ୍ରେ ମୁଣ୍ଡଭୂଶା ମାରିଲେ, ଏତେ ଖେଳାଳି ସେମାନଙ୍କ ଖେଳ ଜୀବନର ଶେଷ ଭାଗରେ ଥିଲେ ବି କିଭଳି ରିୟଲ୍ ମାଡ୍ରିଡ୍କୁ ଲଗାତାର ଚାମ୍ପିୟନସିପ୍ ଟାଇଟଲ୍ ବିଜେତା କରାଇଲେ ଆଦି ଅନେକ ପ୍ରଶ୍ନ ତାଙ୍କୁ ପଚାରିବି ବୋଲି ରୋହିତ କହିଛନ୍ତି। ମୁମ୍ବାଇର କେଉଁ ଯାଗାରେ ସମୟ କାଟିବାକୁ ଚାହାନ୍ତି ବୋଲି ପ୍ରଶ୍ନ ହେବାରୁ ରୋହିତ କହିଥିଲେ, ଖାଓଗଳି ଭାବେ ପରିଚିତ ବୋରିଭାଲି।
କ୍ରସ୍ ମଇଦାନ ଓ ଆଜାଦ ମଇଦାନ ମଝିରେ ଥିବା ଏହି ସ୍ଥାନରେ ଭଲ ଷ୍ଟ୍ରିଟ୍ ଫୁଡ୍ ମିଳେ ବୋଲି ସେ ସ୍ପଷ୍ଟ କରିଛନ୍ତି। ପିଲାଦିନେ ମୁଁ ସେଠାରେ ବହୁ ସମୟ କାଟିଛି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ମୁମ୍ବାଇର କ’ଣକୁ ସେ ଭଲ ପାଆନ୍ତି ବୋଲି ପ୍ରଶ୍ନ ହେବାରୁ ରୋହିତ କହିଥିଲେ, ‘ମୁମ୍ବାଇରେ ମୌସୁମୀକୁ ମୁଁ ଅଧିକ ଭଲ ପାଏ। ଏହା ଅତ୍ୟନ୍ତ ସୁନ୍ଦର ପରିବେଶ ଆଣିଦିଏ। ବିଗତ କିଛି ବର୍ଷ ମୁଁ ମୁମ୍ବାଇରେ ଏହି ସମୟରେ ରହିପାରିନଥିବାରୁ ବଞ୍ଚିତ ହେଉଛି। ପିଲାଦିନୁ ମୁଁ ମୌସୁମୀକୁ ଅପେକ୍ଷା କରିଥାଏ ଏବଂ ଭାରି ପସନ୍ଦ ଲାଗେ।