ଦିନିକିଆରେ ସର୍ବାଧିକ ଶତକ ଭାଗୀଦାରି, ଶୀର୍ଷ ୫ରେ ରୋହିତଙ୍କ ଯୁଗଳ

ପୁଣେ: ରବିବାର ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭ୍ରମଣକାରୀ ଇଂଲଣ୍ଡକୁ ଉତ୍କଣ୍ଠାପୂର୍ଣ୍ଣ ଭ‌ାବେ ୭ ରନ୍‌ରେ ପରାସ୍ତ କରି ଭାରତ ଲଗାତାର (ଟେଷ୍ଟ୍‌ ଓ ଟି-୨୦ ପରେ) ତୃତୀୟ ଶୃଙ୍ଖଳା ଜିତି ନେଇଥିଲା। ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୩୨୯ ରନ୍‌ କରିଥିଲା ବେଳେ ଇଂଲଣ୍ଡ ପାଳିକୁ ୩୨୨/୯ରେ ରୋକି ଦେଇଥିଲା। ଭାରତର ବଡ଼ ସ୍କୋର୍‌ରେ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ୍‌ ୧୦୩ ରନ୍ ଯୋଡ଼ିଥିଲେ। ଏଥି ସହିତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ-ଶିଖର ଯୋଡ଼ି ୧୭ ଥର ଶତକୀୟ ଭାଗୀଦାରି ଗଢ଼ିଥିଲେ। ଯାହାକି ଏହି ଫର୍ମାଟ୍‌ରେ ପ୍ରାରମ୍ଭିକ ଯୋଡ଼ି ଭାବେ ଦ୍ବିତୀୟ ସର୍ବୋଚ୍ଚ ଭାଗୀଦାରି ଥିଲା। ପୁଣି ଏହି ଫର୍ମାଟ୍‌ରେ ମଧ୍ୟ ଯେକୌଣସି ଯୋଡ଼ି ପାଇଁ ଶତକୀୟ ଭାଗୀଦାରିରେ ଚତୁର୍ଥ। ରୋହିତ ଓ ଶିଖର ୧୪ତମ ଓଭର ବେଳକୁ ଶତକୀୟ ଭାଗୀଦାରି ଗଢ଼ି ଦ୍ରୁତତମ ସାବ୍ୟସ୍ତ ମଧ୍ୟ ହୋଇଥିଲେ। ତେବେ ଦିନିକିଆ ଆନ୍ତର୍ଜାତିକରେ ଶତକୀୟ ଭାଗିଦାରୀ ଗଢ଼ିବା‌ରେ ରୋହିତ ଶୀର୍ଷ-୫ ତାଲିକାରେ ଦୁଇଥର ନିଜ ନାମକୁ ଯୋଡ଼ିଥିଲେ। ଏହା ପୂର୍ବରୁ ବିରାଟ କୋହଲିଙ୍କ ସହ ରୋହିତ ୧୮ ଥର ଶତକୀୟ ଭାଗୀଦାରି କରିଥିଲେ। ଏହି ତାଲିକାରେ ସର୍ବାଧିକ ଶତକୀୟ ଭାଗୀଦାରିର କୀର୍ତ୍ତିମାନ ଭାରତୀୟ ଯୋଡ଼ି ସୌରଭ ଗାଙ୍ଗୁଲି-ସଚିନ୍‌ ତେନ୍ଦୁଲକର (୨୬ ଥର)ଙ୍କ ନାମରେ ରହିଛି। ଏମାନଙ୍କ ପଛକୁ ଶ୍ରୀଲଙ୍କାର ତିଳକରତ୍ନେ ଦିଲ୍‌ସାନ-କୁମାର ସାଙ୍ଗାକାରା (୨୦) ଏବଂ ଅଷ୍ଟ୍ରେଲିଆର ଆଦାମ୍‌ ଗିଲ୍‌କ୍ରିଷ୍ଟ-ମାଥ୍ୟୁ ହେଡେନ୍‌ (୧୬) ଯଥାକ୍ରମେ ଦ୍ବିତୀୟ ଓ ପଞ୍ଚମରେ ରହିଛନ୍ତି।

୭୦ ଛକାର କୀର୍ତ୍ତିମାନ
ଚଳିତ ଭାରତ ଓ ଇଂଲଣ୍ଡ ଶୃଙ୍ଖଳାରେ ଦୁଇ ଦଳ ମୋଟ ୭୦ ଛକା ମାରିଥିଲେ। ଯାହାକି ୫ ବା ତା’ଠୁ ଅଧିକ ମ୍ୟାଚ୍‌ ବିଶିଷ୍ଟ କୌଣସି ଶୃଙ୍ଖଳା ବା ପ୍ରତିଯୋଗିତାରେ ସର୍ବାଧିକ। ଏହା ପୂର୍ବରୁ ସର୍ବାଧିକ ୫୭ ଛକା ନ୍ୟୁଜିଲାଣ୍ଡ୍‌-ଶ୍ରୀଲଙ୍କା (୨୦୧୮-୧୯) ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଦେଖିବାକୁ ମିଳିଥିଲା।
ଦ୍ରୁତ ବୋଲରଙ୍କ ସର୍ବାଧିକ ବଲ୍‌ ବୋଲିଂ
ଇଂଲଣ୍ଡ ବିପକ୍ଷ ରବିବାର ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲରମାନେ ୨୭୬ ବଲ୍‌ ବୋଲିଂ କରିଥିଲେ। ଯାହାକି ଘରୋଇ ମାଟିରେ କୌଣସି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ଯୁଗ୍ମ ସର୍ବାଧିକ କୀର୍ତ୍ତିମାନ ଥିଲା। ଏହା ପୂର୍ବରୁ ଭାରତୀୟ ଦ୍ରୁତ ବୋଲରମାନେ ମଧ୍ୟ ୧୯୮୩ ଶୃଙ୍ଖଳାରେ ପାକିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍‌ରେ ୨୭୬ ବଲ୍‌ ବୋଲିଂ କରିଥିଲେ। ୧୯୮୪ ମସିହା ପରେ ଭାରତୀୟ ଦ୍ରୁତ ବୋଲରଙ୍କ ଦ୍ବାରା ୨୭୬ ବଲ୍‌ ବୋଲିଂ ମଧ୍ୟ ଦ୍ବିତୀୟ ସର୍ବାଧିକ ଥିଲା।
୧୦ ଥର ଟସ୍‌ ଜିତିଲା ଇଂଲଣ୍ଡ
ଭାରତ ଗସ୍ତରେ ଇଂଲଣ୍ଡ ଦଳ ୧୦ ଥର ଟସ୍‌ ଜିତି ଏକ କୀର୍ତ୍ତିମାନ ରଚିଛି। ଯାହାକି କୌଣସି ଆନ୍ତର୍ଜାତିକ ଗସ୍ତରେ ଘରୋଇ ଦଳ ବିପକ୍ଷରେ ଇଂଲଣ୍ଡର ଯୁଗ୍ମ ସର୍ବାଧିକ ଥର ରହିଛି। ଭ୍ରମଣକାରୀ ଦଳ ମୋଟ (୪ ଟେଷ୍ଟ୍‌, ୫ ଟି-୨୦ ଏବଂ ୩ ଦିନିକିଆ ମ୍ୟାଚ୍‌) ୧୨ ମ୍ୟାଚ୍‌ ଖେଳିଥିଲା। ଏହା ପୂର୍ବରୁ ୧୯୯୮-୯୯ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଅଷ୍ଟ୍ରେଲିଆ ୧୦ ଥର ଟସ୍‌ ଜିତିଥିଲା। ସେହି ଗସ୍ତରେ ଅଷ୍ଟ୍ରେଲିଆ ୪ ଟେଷ୍ଟ୍‌ ଓ ୭ ଦିନିକିଆ ମ୍ୟାଚ୍‌ ଖେଳିଥିଲା।

ଇଂଲଣ୍ଡର ଶୃଙ୍ଖଳା ପରାଜୟ ଧାରା ଜାରି
ଭାରତ ବିପକ୍ଷରେ ଇଂଲଣ୍ଡର ଶୃଙ୍ଖଳା ପରାଜୟ ଧାରା ଜାରି ରହିଲା। ଦଳ ଖେଳିଥିବା ୧୦ ଶୃଙ୍ଖଳାରୁ ଇଂଲଣ୍ଡ ମାତ୍ର ଥରେ ବିଜୟୀ ହୋଇଛି। ଏକମାତ୍ର ୧୯୮୪-୮୫ରେ ଦିନିକିଆ ଶୃଙ୍ଖଳାକୁ ୪-୧ରେ ଜିତିଥିବା ଇଂଲଣ୍ଡ ଏହାରଠାରୁ ଆଉ ଜିତିପାରିନି। ଭାରତରେ ୮ ଦିନିକିଆ ଶୃଙ୍ଖଳା ଖେଳିଥିବା ଇଂଲଣ୍ଡ ସଫଳତା ପାଇନଥିଲା ବେଳେ ଗତ ୧୫ ବର୍ଷ ମଧ୍ୟରେ ସମସ୍ତ ୬ ଶୃଙ୍ଖଳା ହାରିଯାଇଛି।
ଭାରତର କ୍ରମାଗତ ୬ ଥର ୩୦୦+ ସ୍କୋର୍‌
ଦିନିକିଆ ଆନ୍ତର୍ଜାତିକରେ ଭାରତୀୟ ଦଳ କ୍ରମାଗତ ଭାବେ ୬ ଥର ୩୦୦+ ସ୍କୋର୍‌ କରିଛି। ଯାହାକି ଭାରତ ପାଇଁ ଏକ ମାଇଲଖୁଣ୍ଟ। ଏହା ପୂର୍ବରୁ ୨୦୧୭ରେ କ୍ରମାଗତ ଭାବେ ୫ ଥର ୩୦୦+ ସ୍କୋର୍‌ କରିଥିଲା। କେବଳ ଇଂଲଣ୍ଡ ନାମରେ ସର୍ବାଧିକ (୭ ଥର, ୨୦୧୯) ଥର ୩୦୦+ ସ୍କୋର୍‌ କୀର୍ତ୍ତିମାନ ରହିଛି। ଅଷ୍ଟ୍ରେଲିଆ ମଧ୍ୟ ୬ ଥର (୨୦୧୭) ଏଭଳି ସଫଳତା ନିଜ ନାମରେ ରଖିଛି।

ସମ୍ବନ୍ଧିତ ଖବର