ପାଲେକେଲ୍: ଶନିବାର ଏସିଆ କପ୍ର ଭାରତ-ପାକିସ୍ତାନ ମୁକାବିଲା ପୂର୍ବରୁ ଦୁଇ ଦଳ ନିଜ ନିଜ ରଣକୌଶଳରେ ବ୍ୟସ୍ତ ରହିଛନ୍ତି। ପାକିସ୍ତାନର ପେସ୍ ତ୍ରିମୂର୍ତିକୁ କିଭଳି ମୁକାବିଲା କରାଯିବ ବୋଲି ପ୍ରଶ୍ନ ହେବାରୁ ରୋହିତ ଶର୍ମା ଏହାକୁ ଖୋଲା ଖୋଲି କହିନଥିଲେ। କିନ୍ତୁ ପରୋକ୍ଷରେ ପ୍ରକାଶ କରିଥିଲେ ପାକିସ୍ତାନର ପରାକ୍ରମୀ ପେସ୍ ବୋଲିଂକୁ ଆମ ବ୍ୟାଟର୍ ସେମାନଙ୍କ ଅଭିଜ୍ଞତା ବଳରେ ମୁକାବିଲା କରିବେ। ଆମ ଦଳରେ ସାହିନ୍ ସାହା ଆଫ୍ରିଦୀ, ନସିମ୍ ସାହା, ହାରିସ ରୌଫ ନାହାନ୍ତି, କିନ୍ତୁ ଆମେ ଆମ ବୋଲରଙ୍କ ସହ ଅଭ୍ୟାସ କରିଛୁ। ଆମେ ସେମାନଙ୍କୁ ଠିକଣା ମୁକାବିଲା କରିପାରିବୁ।
ପାକିସ୍ତାନ ବିପକ୍ଷ ମୁକାବିଲା ସମ୍ପର୍କରେ ରୋହିତ କହିଥିଲେ ପ୍ରତିଦ୍ବନ୍ଦ୍ବିତା କଥା ଲୋକଙ୍କ ଆଲୋଚନାରେ ସୀମିତ ଥାଏ। ଗୋଟିଏ ଦଳ ଭାବେ ଆମ ଆଗରେ ଆସନ୍ତାକାଲି ଆଉ ଗୋଟିଏ ଦଳ ରହିଛି। ପଡ଼ିଆରେ ଠିକ୍ କରାଯିବା ସମ୍ପର୍କରେ ସମସ୍ତେ ଅବଗତ। ପ୍ରତିଯୋଗିତାରେ ମୋଟ ୬ ଦଳ ରହିଛନ୍ତି ଏବଂ ପ୍ରତି ଦଳ ପରସ୍ପରକୁ କୌଣସି ଦିନ ହରାଇବାର କ୍ଷମତା ରଖନ୍ତି। ବହୁ ପରିଶ୍ରମ କରି ଭଲ ଖେଳିଥିବା ପାକିସ୍ତାନ ଏବେ ବିଶ୍ବର ଏକ ନମ୍ବର ଦଳ ହୋଇପାରିଛି। ଏହି ଦଳ ସହ ପୁଣି ଥରେ ଫାଇନାଲ୍ ଖେଳିବା ସମ୍ଭାବନାକୁ ମଧ୍ୟ ରୋହିତ ଏଡ଼ାଇ ଦେଇନଥିଲେ। ଭାରତୀୟ ଦଳରେ କୌଣସି ଆହତ ସମସ୍ୟା ନଥିବାରୁ ଚୂଡାନ୍ତ ଦଳ ଚୟନକୁ ନେଇ କିଛି ଦ୍ବିବିଧା ନାହିଁ। ଏହା ଆଉ ଟ୍ବେଣ୍ଟି-୨୦ ମୁକାବିଲା ହୋଇନଥିବାରୁ ପ୍ରତି ଖେଳାଳି ନିଜ ସ୍ବାଭାବିକ ଖେଳ ଖେଳିପାରିବେ। ଦଳୀୟ ଯୋଜନା ମଧ୍ୟ ସେମାନଙ୍କୁ ଜଣା ଅଛି ଏବଂ ପରିସ୍ଥିତି ଅନୁସାରେ ଖେଳିବାରେ ଖେଳିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ରୋହିତ ପ୍ରକାଶ କରିଥିଲେ।