ସିଡ୍‌ନି: ଟେଷ୍ଟ୍ କ୍ରିକେଟ୍‌ରୁ ନିଜ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା, ତର୍କ-ବିତର୍କ ଏବଂ କଳ୍ପନା-ଜଳ୍ପନା ଭିତରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ ସେନା ବାହିନୀର ମନୋବଳ ବଢ଼ାଇବାକୁ ଅହରହ ଚେଷ୍ଟା ଚଳାଇଛନ୍ତି। ଭାରତୀୟ ଖେଳାଳିଙ୍କୁ ବାହାରର ହୋହଲ୍ଲା, ଗୁଜବ ଓ ଗପକୁ ଗୁରୁତ୍ବ ନଦେଇ ବିଜୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଆହ୍ବାନ ଦେଇଛନ୍ତି। ସାଥୀ ଖେଳାଳିଙ୍କ ଆ‌ତ୍ମବିଶ୍ବାସକୁ ଉଚ୍ଚ କରିବାକୁ ଯାଇ ରୋହିତ କିଛି ମଞ୍ଜ କଥା କହିଛନ୍ତି। ସେହିଭଳି ପଡ଼ିଆ ଭିତରେ ନରହି ବାହାରୁ ଭାରତୀୟ ଦଳ ଖେଳୁଥିବାର ଦେଖିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ବୋଲି ଭାବବିହ୍ବଳ ଭରା କଣ୍ଠରେ ସ୍ବୀକାର କରିଛନ୍ତି। କିନ୍ତୁ ଏହା ଅବସର ନେବେ ନାହିଁ ବୋଲି ରୋକ୍‌ଠୋକ୍ ଭାବେ କହିଛନ୍ତି। 

Advertisment

ଗୁଜବକୁ ଅଣଦେଖା କର, ବିଜୟ ଉପରେ ଧ୍ୟାନ ଦିଅ ଭାରତୀୟ ଦଳକୁ ପରାମର୍ଶ ଦେଇ ରୋହିତ କହିଛନ୍ତି, ସବୁକଥାକୁ ଆମେ ନିୟନ୍ତ୍ରଣ କରିପାରିବାନି। ହେଲେ ଏସବୁକୁ ନେଇ ଆମେ ଚିନ୍ତିତ ‌ହେବାନି। ଏମିତି କଥାରେ ମୁଣ୍ଡ ଖେଳାଇ ଆମ ବହୁମୂଲ୍ୟ ସମୟ ନଷ୍ଟ କରିବାନି। ଆମେ କେବଳ ଜିତିବାକୁ ମନ୍ତ୍ର କରିବା। ନିଜ ଖେଳର ସ୍ତର ବଢ଼ାଇବା। ଅତୀତରେ ଯାହା ଆମେ କରିଆସିଛେ, କେବଳ ତାହା ହିଁ କରିବା। ଆମକୁ ଗୁଜବକୁ ବନ୍ଦ କରିବାକୁ ହେବ। ମୋତେ କୁହ, ଅନ୍ୟ‌ କେଉଁ ଦଳ ଅଷ୍ଟ୍ରେଲିଆରେ ଦୁଇଟି ଶୃଙ୍ଖଳା ଜିତିଛି। ଏହା କେବଳ ଆମେ ହିଁ କରି ଦେଖାଇଛେ। ଆମ ପାଖରେ ଶୃଙ୍ଖଳା ଜିତିବାର ସୁଯୋଗ ନାହିଁ ସତ। କିନ୍ତୁ ଆମେ ଏହାକୁ ଅମୀମାଂସିତ ରଖିପାରିବା। ଏହା କରି ଆମେ ବର୍ଡର-ଗାଭାସ୍କର୍ ଟ୍ରଫିକୁ ନିଜ ପାଖରେ ରଖିପାରିବା। ମୁଁ ଏଠାକୁ ଖେଳିବାକୁ ଆସିଥିଲି। ସ୍ବାଭାବିକ ଭାବେ ଡ୍ରେସିଂ ରୁମ୍‌ରେ ବସି ରହିବା ମୋତେ ବହୁତ କଷ୍ଟ ଦେଉଛି। ‌ହେଲେ କେବେ କେବେ ଦଳ କ’ଣ ଚାହୁଛି, ତାକୁ ବୁଝିବାକୁ ହୁଏ, ସମୟର ଆବଶ୍ୟକତାକୁ ହୃଦୟଙ୍ଗମ କରିବାକୁ ପଡ଼େ। ଯଦି ବ୍ୟକ୍ତିଗତ ସ୍ବାର୍ଥ ଦଳର ହିତଠାରୁ ବଡ଼ ହୋଇଯାଏ, ମୋ ପାଇଁ ଏହା ମୂଲ୍ୟହୀନ ପାଲଟେ। ମୁଁ ଜୀବନ ସାରା ଏହି ମନ୍ତ୍ରକୁ ନେଇ କ୍ରିକେଟ୍ ଖେଳି ଆସିଛି। ସାଧାରଣ ଜୀବନରେ ମଧ୍ୟ ଏହି ଚିନ୍ତାଧାରାକୁ ନେଇ ବଞ୍ଚେ। ଏମିତି କହି ମୁଁ ଦେଖେଇ ହେବାକୁ ଚାହୁନି। ଯଦି କେହି ଏହାକୁ ପସନ୍ଦ କରୁନାହାନ୍ତି, ମୋତେ କ୍ଷମା କରି ଦିଅନ୍ତୁ। କାରଣ ମୋତେ ଯାହା ଠିକ୍ ଲାଗେ ମୁଁ ତାହା ହିଁ କରେ। 

ସମାଲୋଚନା ମୋତେ ଦୋହଲାଇ ପାରିବନି ଅଧିନାୟକର କୌଣସି ନିଷ୍ପତ୍ତି ଭୁଲ୍ ପ୍ରମାଣିତ ହେଲେ ସମାଲୋଚନା ମିଳିବା ସାଧାରଣ କଥା। ଏକଥା ରୋହିତ ବୁଝିଛନ୍ତି ଓ ସ୍ବୀକାର ମଧ୍ୟ କରିଛନ୍ତି। ହେଲେ ଏଥିପାଇଁ ନିଜ ନେତୃତ୍ବ ଶୈଳୀ ବଦଳାଇବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ‘‘୫-୬ ମାସ ତଳେ ଯେଉଁ ନୀତି, ଆଦର୍ଶ ଓ ଚିନ୍ତାଧାରାକୁ ନେଇ ମୁଁ ନେତୃତ୍ବ ନେଉଥିଲି ଆଜିବି ତାକୁ ଅନୁସରଣ କରୁଛି। କେବେକେବେ ସବୁକିଛି କରିକି ବି ଆଶାଜନକ ଫଳ ମିଳେନି। ମୁଁ ଭଲଭାବରେ ଜାଣିଛି ଆମ ଉପରେ ୧୪୦ କୋଟି ଭାରତୀୟଙ୍କ ନଜର ରହିଛି। ସେମାନେ ଆମ ପ୍ରଦର୍ଶନର ସମୀକ୍ଷା ଓ ବିଚାର କରିବା ସ୍ବାଭାବିକ। ମୋ ଦକ୍ଷତା ଉପରେ ମୋର କିନ୍ତୁ ତିଳେ ମାତ୍ର ସନ୍ଦେହ ନାହିଁ। ମୋ ନେତୃତ୍ବ ଶୈଳୀକୁ ମୁଁ କୌଣସି ପରିସ୍ଥିତିରେ ପରିବର୍ତ୍ତନ କରିବିନି’’ ବୋଲି କହିଛନ୍ତି ହିଟ୍ ମ୍ୟାନ୍। ଭାରତୀୟ ଦଳର ଭବିଷ୍ୟତ ଅଧିନାୟକ କିଏ ହେବ? ସେ ଭବିଷ୍ୟବାଣୀ କରିବାକୁ ରୋହିତ ମନା କରି ଦେଇଛନ୍ତି। କହିଛନ୍ତି, ଯିଏ ବି ଅଧିନାୟକ ହେବେ, ତାଙ୍କୁ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। କୋହଲି ଏହା କରିଥିଲେ, ଧୋନି ବି କରିଛନ୍ତି, ଆଗାମୀ ସମୟରେ ବୁମ୍‌ରାଙ୍କୁ ମଧ୍ୟ ଏହା କରିବାକୁ ପଡ଼ିବ। ସେ ନିକଟ ଭବିଷ୍ୟତରେ ଅବସର ନେଉ ନାହାନ୍ତି କିମ୍ବା‌ କ୍ରିକେଟ୍ ଛାଡ଼ୁ ନାହାନ୍ତି ବୋଲି ରୋକ୍‌ଠୋକ୍ କହିଛନ୍ତି। ସିଡ୍‌ନି ଟେଷ୍ଟ୍‌ରୁ ଓହରିବାର କାରଣ ଅବସର ଚିନ୍ତା ନୁହେଁ ବରଂ ଶ୍ରେଷ୍ଠ ଏକାଦଶ ଖେଳାଇବା ଥିଲା ବୋଲି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ପ୍ରଶିକ୍ଷକ ଓ ଚୟନକର୍ତ୍ତାଙ୍କ ସହ ହୋଇଥିବା ଚର୍ଚ୍ଚାରେ ମୁଁ କହିଥିଲି, ମୁଁ ରନ୍ କରୁନି, ଏଣୁ ଆମକୁ ଫର୍ମରେ ଥିବା ଖେଳାଳିଙ୍କୁ ଖେଳାଇବାକୁ ପଡ଼ିବ। ଏହା ଏକ ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି ଥିଲା। ଦଳର ହିତ ଦୃଷ୍ଟିରୁ ଏହାକୁ ଶେଷରେ ନେବାକୁ ପଡ଼ିଥିଲା। କେବଳ ଯାହା ଗୋଟିଏ ଟେଷ୍ଟ୍ ଖେଳୁନି। କିଏ ଜାଣିଛି, ମାସେ ଦୁଇ ମାସ ପରେ  ହୁଏତ ମୁଁ ବଡ଼ ପାଳି ଖେଳୁଥିବି। ଏମିତିକା ବହୁଥର ଘଟିଥିବା ମୁଁ ଦେଖିଛି।  ଅବଶ୍ୟ ମୋତେ ସତକୁ ସାମ୍ନା କରିବାକୁ ହେବ। ହେଲେ ଏକଥା ସ୍ଥିର ନିଶ୍ଚିତ ଯେ ମୁଁ ଅବସର ନେଉନି।