ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍‌ର ଦ୍ବିତୀୟ ଦିନ‌ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ କୀର୍ତ୍ତିମାନର ଦିନ ଥିଲା। ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୋହିତ ଦ୍ବାଦଶ ଟେଷ୍ଟ୍‌ ଶତକ ଅର୍ଜନ କରିଥିଲେ। ୧୬୨ ବଲ୍‌ର ସମ୍ମୁଖୀନ ହୋଇ ୧୩ ଚୌକା ଓ ୩ ଛକା ସହାୟତାରେ ସେ ୧୦୩ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଛନ୍ତି। ଏହାଫଳରେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ରେ ସର୍ବାଧିକ ଶତକ (୪) ମାରିବାରେ ସୁନୀଲ ଗାଭାସ୍କରଙ୍କ ସମକକ୍ଷ ହୋଇଛନ୍ତି। ଏଥିସହିତ ସେ ଦ୍ବିତୀୟ ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍‌ ଭାବେ ଇଂଲଣ୍ଡ ବିପକ୍ଷରେ ୧ହଜାରରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି।

Advertisment

ସେହିପରି ଆନ୍ତର୍ଜାତିକ କ୍ରିକେଟ୍‌ରେ ପ୍ରାରମ୍ଭିକ ବ୍ୟାଟର୍‌ ଭାବେ ଶତକ ଅର୍ଜନ କରିବାରେ ରୋହିତ (୪୩), ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ବ୍ୟାଟର୍‌ କ୍ରିସ୍‌ ଗେଲ୍‌ (୪୨)ଙ୍କୁ ପଛରେ ପକାଇଛନ୍ତି। ଏବେ ସେ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର (୪୯) ଓ ସଚିନ ତେନ୍ଦୁଲକର (୪୫)ଙ୍କ ପଛକୁ ତୃତୀୟରେ ଅଛନ୍ତି। ଭାରତ ପାଇଁ ଗତ ୩ବର୍ଷ ମଧ୍ୟରେ ରୋହିତ ସର୍ବାଧିକ ଶତକ ଅର୍ଜନ କରିଛନ୍ତି। ୨୦୨୧ପରଠୁ ରୋହିତ ୬ ଶତକ ଅର୍ଜନ କରିଥିଲା ବେଳେ ତାଙ୍କ ପଛକୁ ଶୁବମନ ଗିଲ୍‌ (୪) ରହିଛନ୍ତି। ରବୀନ୍ଦ୍ର ଜାଡ଼େଜା, ଯଶସ୍ବୀ ଜୟସ୍ବାଲ୍‌, ଋଷଭ ପନ୍ତ, କେଏଲ୍‌ ରାହୁଲ୍‌ ୩ ଲେଖାଏଁ ଶତକ ସହ ମିଳିତ ତୃତୀୟ ସ୍ଥାନରେ ଅଛନ୍ତି।
କେବଳ ଏତିକି ନୁହେଁ, ମୋଟ୍‌ ଆନ୍ତର୍ଜାତିକ ଶତକରେ ରୋହିତ (୪୮) ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ସମକକ୍ଷ ହୋଇଛନ୍ତି। ଏହି ତାଲିକାରେ ସଚିନ‌ ତେନ୍ଦୁଲକର (୧୦୦) ଆଗରେ ଥିବା ବେଳେ ବିରାଟ କୋହଲି (୮୦) ଦ୍ବିତୀୟ ସ୍ଥାନରେ ଅଛନ୍ତି। ସେହିପରି ୩୦ ବର୍ଷ ବୟସ ପରେ ସବୁଠୁ ଅଧିକ ଶତକ ମାରିବାରେ ରୋହିତ (୩୫), ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। କୁମାର ସାଙ୍ଗାକାରା (୪୩) ଶୀର୍ଷ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ଯୋଡ଼ି ମାଥ୍ୟୁ ହେଡେନ୍‌ ଓ ରିକି ପଣ୍ଟିଂ ୩୬ ଶତକ ସହ ମିଳିତ ଦ୍ବିତୀୟରେ ଅଛନ୍ତି।

ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ଶୁବମନ ଗିଲ (୧୧୦) ଓ ଅଧିନାୟକ ରୋହିତ ଶର୍ମା (୧୦୩)ଙ୍କ ଶତକୀୟ ଭାଗୀଦାରି ଏବଂ ଦୁଇ ଯୁବ ତାରକା ଦେବଦତ୍ତ ପଡ଼ିକଲ୍‌ (୬୫) ଓ ସରଫରାଜ୍‌ ଖାନ୍‌ (୫୬) ଙ୍କ ଅର୍ଦ୍ଧଶତକୀୟ ପାଳି ‌ସହାୟତାରେ ଦ୍ବିତୀୟ ଦିନ ଶେଷ ସୁଦ୍ଧା ୮ ୱିକେଟ୍‌ ହରାଇ ୪୭୩ ରନ୍ ସଂଗ୍ରହ କରି ନେଇଛି। ଏଥି ସହ ଘରୋଇ ଦଳ ୨୫୫ ରନ୍‌ରେ ଆଗୁଆ ହୋଇଛି। କୁଲଦୀପ ଯାଦବ (୨୭*) ଓ ଯଶପ୍ରୀତ୍‌ ବୁମ୍‌ରା (୧୯*) ଅପରାଜିତ ଅଛନ୍ତି। ଶୁକ୍ରବାର ସକାଳେ ୧୩୫/୧ରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଦିନର ପ୍ରଥମାର୍ଦ୍ଧରେ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଉଭୟ‌ ରୋହିତ ଓ ଗିଲ୍‌ ଆକ୍ରମଣାତ୍ମକ ଖେଳି ଦଳକୁ ୨୫୦ ଅତିକ୍ରମ କରାଇଥିଲେ। ମଧ୍ୟାହ୍ନ‌ଭୋଜନ ପୂର୍ବରୁ ରୋହିତ ୧୫୪ ବଲ୍‌ରୁ ଏବଂ ଗିଲ ୧୩୭ ବଲ୍‌ରୁ ଶତକ ଅର୍ଜନ କରିଥିଲେ। କିନ୍ତୁ ବିରତି ପରେ ଉଭୟ ଆଉଟ୍‌ ହୋଇଥିଲେ ମଧ୍ୟ ମହତ୍ବପୂର୍ଣ୍ଣ ୧୭୧ ରନ୍‌ ଭାଗୀଦାରି ଗଢ଼ିଥିଲେ। ଗିଲ୍ ନିଜ ଚତୁର୍ଥ ଶତକ ହାସଲ କରିଥିବାବେଳେ ରୋହିତଙ୍କର ଏହା ଥିଲା ଦ୍ବାଦଶ।

ଏମାନଙ୍କ ପରେ ପ୍ରଥମ ପଦାର୍ପଣ କରିଥିବା ଦେବଦତ୍ତ ପଡ଼ିକଲ୍‌ ଓ ସରଫରାଜ ଖାନ୍‌ ରନ୍‌ ହାର ବଜାୟ ରଖିଥିଲେ। ନୂଆ ବଲ୍‌ ନିଆଯିବା ପରେ ସରଫରାଜ୍‌ ଚା’ପାନ ବିରତି ପୂର୍ବରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଚତୁର୍ଥ ୱିକେଟ୍‌ରେ ୯୭ ରନ୍‌ ଯୋଡ଼ିଥିଲା ବେଳେ ଦଳ ୯୦.୪ ଓଭରରେ ୪୦୦ ରେ ପହଞ୍ଚିଥିଲା। ପଡ଼ିକଲ୍‌ କିନ୍ତୁ ପଦାର୍ପଣ ଅର୍ଦ୍ଧଶତକକୁ ଶତକରେ ପରିଣତ କରିପାରି ନଥିଲେ। ତାଙ୍କ ୱିକେଟ୍‌ ଯିବା ପରେ ଦୁଇ ଓଭର ଭିତରେ ରବୀନ୍ଦ୍ର ଜାଡ଼େଜା (୧୫), ଧ୍ରୁବ ଜୁରେଲ୍‌ (୧୫) ଓ ରବିଚନ୍ଦ୍ରନ ଅଶ୍ବିନ (୦) ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ କୁଲଦୀପ ଯାଦବ ଓ ଯଶପ୍ରୀତ୍‌ ବୁମ୍‌ରା ରକ୍ଷଣାତ୍ମକ ଖେଳି ଅବିଭାଜିତ ନବମ ୱିକେଟ୍‌ରେ ୪୫ ରନ୍‌ ଭାଗୀଦାରି ଗଢ଼ିବା ସହ ଭାରତକୁ ଏକ ବଡ଼ ସ୍କୋର ଅଭିମୁଖେ ନେଇଛନ୍ତି। ଯୁବ ସ୍ପିନର ସୋଏବ ବଶିର ୪, ଟମ୍‌ ହାର୍ଟଲି ୨ ୱିକେଟ୍‌ ନେଇଛନ୍ତି। ଗିଲଙ୍କୁ ବୋଲ୍ଡ କରି ଭେଟେରାନ୍ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ତାଙ୍କ ୬୯୯ତମ ୱିକେଟ୍ ପାଇଛନ୍ତି।