ମେଲବର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫିରେ ଖରାପ ଲୟ ଦେଇ ଗତି କରୁଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ସେ ଏ ସଂକ୍ରାନ୍ତରେ କିଛିବି ଘୋଷଣା କରିନାହାନ୍ତି, ତଥାପି ତାଙ୍କ ଶାରୀରିକ ଭାଷାକୁ ଲକ୍ଷ୍ୟ କରି ଅଷ୍ଟ୍ରେଲିଆର ପୂର୍ବତନ ପ୍ରଶିକ୍ଷକ ଜଷ୍ଟିନ୍‌ ଲାଙ୍ଗର, ରୋହିତଙ୍କ ଅବସର ବିଷୟରେ ଭବିଷ୍ୟବାଣୀ କରିସାରିଲେଣି। ଲାଙ୍ଗରଙ୍କ କହିବାନୁସାରେ, ଶେଷ ପର୍ଯ୍ୟାୟ ଜଣେ ବ୍ୟାଟର୍ ଓ ଅଧିନାୟକ ଭାବେ ରୋହିତଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବ। ଏପରିକି ବହୁଦିବସୀୟ ଖେଳରେ ତାଙ୍କର ଭବିଷ୍ୟତକୁ ନେଇ ଅନିଶ୍ଚିତତା ରହିଥିବା ଲାଙ୍ଗର କହିଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାନୁଆରି ୩ ତାରିଖରୁ ଆରମ୍ଭ ହେଉଥିବା ସିଡ୍‌ନି ଟେଷ୍ଟ୍‌ ପରେ ‌ରୋହିତ ଶର୍ମା ମନସ୍ଥ କରିଥିବା ବିଶ୍ବାସ କରାଯାଉଛି।

Advertisment

ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଟେଷ୍ଟ୍‌ ଶୃଙ୍ଖଳା ଅମୀମାଂସିତ ରଖିବା ପରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଶତକ ଅର୍ଜନ କରିଥିଲେ ରୋହିତ। ଏଥିସହିତ ଭାରତକୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା କରାଇବା ପରେ ରୋହିତଙ୍କ ଲୟ ଉଚ୍ଚସ୍ତରକୁ ଚାଲିଯାଇଥିଲା। କିନ୍ତୁ ଦିନିକିଆ ଶୃଙ୍ଖଳାରେ ଭାରତର ପରାଜୟ ପରେ ନ୍ୟୁଜିଲାଣ୍ଡଠୁ ୦-୩ରେ ଟେଷ୍ଟ୍‌ ଶୃଙ୍ଖଳା ହାରିଯିବା ପରଠୁ ରୋହିତଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଥିଲା। ଏବେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଖରାପ ପ୍ରଦର୍ଶନ ତାଙ୍କ ପିଛା ଛାଡୁନାହିଁ। ୪ ମ୍ୟାଚ୍‌ ମଧ୍ୟରୁ ମାତ୍ର ଗୋଟିକରେ ଭାରତ ଜିତିଛି। ପର୍ଥରେ ଭାରତ ଏକମାତ୍ର ମ୍ୟାଚ୍‌ ଜିତିଥିବାବେଳେ ରୋହିତ ଦଳରେ ନଥିଲେ। ଲାଙ୍ଗର କହିଛନ୍ତି, ରୋହିତ ଖୁବ୍‌ କ୍ଲାନ୍ତ ହୋଇଯିବା ଭଳି ଦେଖାଯାଉଛନ୍ତି। ଗତକାଲି ମଧ୍ୟ ତାଙ୍କୁ ବହୁତ ଭାବବିହ୍ବଳ ହୋଇପଡ଼ିଥିବା ଦେଖିଥିଲି। ରୋହିତଙ୍କୁ ଏପରି ଦେଖିବା ଅସ୍ବଭାବିକ ଲାଗୁଥିଲା। ବାସ୍ତବରେ ସେ ବହୁତ ଶାନ୍ତ ସ୍ବଭାବରେ ଥାନ୍ତି। କିନ୍ତୁ ସେ ଏବେ କ୍ଲାନ୍ତ ଭଳି ଦେଖାଯାଉଛନ୍ତି। ଜଣେ କ୍ରିକେଟର୍‌ ଭାବେ ଯେତେବେଳେ ତୁମେ ରନ୍‌ ବାହାର କରିପାରି ନଥାଅ, ସେତେବେଳେ ଏଭଳି କଥା ମନକୁ ଆସିଥାଏ। ପୁଣି ଯେତେବେଳେ ଜଣେ ଅଧିନାୟକ ଭାବେ ରନ୍‌ କରିପାରୁନାହଁ କି ଦଳ ଜିତିପାରୁନାହିଁ, ସେତେବେଳେ ମ୍ୟାଚ୍ ସମୟରେ ଚାପ ମାଡିଆସିଯାଏ। ତେଣୁ ସିଡ୍‌ନି ପର୍ଯ୍ୟନ୍ତ ସେ ରହୁଛନ୍ତି କି ନାହିଁ, ତାହା ତାଙ୍କ ଉପରେ ନିର୍ଭର କରୁଛି। ଏହା ନିଶ୍ଚିତ ଭାବେ ତାଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବ ବୋଲି ଲାଙ୍ଗର କହିଛନ୍ତି।