କାନବେରା: ଭାରତ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ହେବାକୁ ଥିବା ଏକମାତ୍ର ଅଭ୍ୟାସ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ କାନବେରାରେ ଥିବା ଅଷ୍ଟ୍ରେଲିଆ ସଂସଦକୁ ନିମନ୍ତ୍ରିତ ହୋଇଥିଲା। ଅଷ୍ଟ୍ରେଲିଆ ସଂସଦରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ବ୍ୟକ୍ତିମାନଙ୍କୁ ଉଦ୍ବୋଧନ ଦେଇ ଦୁଇ ଦେଶ ମଧ୍ୟରେ ଥିବା ମଜବୁତ୍ ସଂପର୍କ ଉପରେ ଗୁରୁତ୍ବାରୋପ କରିଥିଲେ। ବହୁ ପୂର୍ବରୁ ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ହେଉ କିମ୍ବା ବାଣିଜ୍ୟ, ସବୁବେଳେ ଉତ୍ତମ ସଂପର୍କ ରହିଆସିଛି। ଏହି ଦେଶକୁ ଆସି ଅମକୁ ବହୁତ ଭଲ ଲାଗୁଛି। ଏଠାରେ କ୍ରିକେଟ୍ ଖେଳିବା ସହ ଦେଶରେ ଥିବା ବିଭିନ୍ନ ସଂସ୍କୃତିକୁ ମଧ୍ୟ ଆମେ ଉପଭୋଗ କରିପାରୁଛୁ। ନିଶ୍ଚିତଭାବେ ଅଷ୍ଟ୍ରେଲିଆରେ ଅନେକ ଆହ୍ବାନପୂର୍ଣ୍ଣ ଖେଳାଳି ଅଛନ୍ତି। ଏହାର କାରଣ ହେଉଛି, ଲୋକମାନଙ୍କ ମଧ୍ୟରେ କ୍ରୀଡ଼ାକୁ ନେଇ ଭଲପାଇବା ଓ ପ୍ରତିଦ୍ବନ୍ଦ୍ବିତାମୂଳକ ମନୋଭାବ। ଏଥିପାଇଁ ଆମେ ଯେତେବେଳେ ବି ଏଠାକୁ ଖେଳିବା ପାଇଁ ଆସୁ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥାଉ ବୋଲି ରୋହିତ ତାଙ୍କ ଭାଷଣରେ କହିଥିଲେ। ଏହି ଅବସରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିସ୍ଙ୍କ ସହିତ ଭାରତୀୟ ଖେଳାଳିମାନେ ସାକ୍ଷାତ କାରିବା ସହିତ କିଛି ସ୍ମରଣୀୟ ମୁହୂର୍ତ୍ତ ବିତାଇଥିଲେ। ସୂଚନାଯୋଗ୍ୟ, କାନବେରାରେ ଭାରତୀୟ ଦଳ ପହଞ୍ଚିବା ପରେ ଅଭ୍ୟାସ ମ୍ୟାଚ୍ ପୂର୍ବରୁ ନେଟ୍ସ କରିବା ପରିବର୍ତ୍ତେ ବିଶ୍ରାମ ନେବାକୁ ଅଧିକ ପସନ୍ଦ କରିଛନ୍ତି। ଏଥିପୂର୍ବରୁ ପ୍ରଥମ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨୯୫ ରନ୍ର ବଡ଼ ବିଜୟ ପାଇଥିଲା। ଦ୍ବିତୀୟ ଟେଷ୍ଟ୍ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ।
ସାମିଙ୍କ ଆଗରେ ବିସିସିଆଇର ସର୍ତ୍ତ
ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳକୁ ଫେରିବାକୁ ହେଲେ ଦ୍ରୁତ ବୋଲର୍ ମହମ୍ମଦ ସାମିଙ୍କ ପାଖରେ ସପ୍ତାହେରୁ କମ୍ ଦିନ ରହିଛି। ଆହତ ହୋଇ ବହୁ ଦିନ ପର୍ଯ୍ୟନ୍ତ କ୍ରିକେଟ୍ଠୁ ଦୂରରେ ରହିବା ପରେ ରଣଜୀ ଟ୍ରଫିରେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍କୁ ଫେରିଥିଲେ। କିନ୍ତୁ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବା ପରେ ଏବେ ସମୟ ମୁସ୍ତାକ ଅଲୀ ଟ୍ରଫିରେ ସେ ବେଙ୍ଗଲ ତରଫରୁ ଖେଳୁଛନ୍ତି। ତାଙ୍କ ଉପରେ ବିସିସିଆଇ ମେଡିକାଲ୍ ଟିମ୍ ମଧ୍ୟ ତୀକ୍ଷ୍ଣ ନଜର ରଖିଛି। ତେବେ ଭାରତୀୟ ଦଳକୁ ଫେରିବାକୁ ହେଲେ ତାଙ୍କୁ ଓଜନ ହ୍ରାସ କରିବା ପାଇଁ କୁହାଯାଇଥିବାରୁ, ଏହା ଉପରେ ଏବେ ସାମି କାମ କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।
ରଣଜୀ ଟ୍ରଫି ଓ ଏବେ ସୟଦ ମୁସ୍ତକ ଅଲୀ ଟ୍ରଫିରେ ପ୍ରତ୍ୟେକ ସ୍ପେଲ୍ ପରେ ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି। କିନ୍ତୁ ଯେବେ ସେ ଆତ୍ମନିର୍ଭର ହୋଇଯିବେ ସେତେବେଳେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିଚାରକୁ ନିଆଯିବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ତଥାପି ଯେତେ ଅଧିକ ମ୍ୟାଚ୍ ଖେଳିଚାଲିବେ, ସାମିଙ୍କ ଓଜନ ସେତେ ଶୀଘ୍ର ହ୍ରାସ ପାଇବ ବୋଲି ମେଡିକାଲ୍ ଟମ୍ କହିଛି। ସାମିଙ୍କ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ନିଜକୁ ଫିଟ୍ ସାବ୍ୟସ୍ତ କରିବାକୁ ୧୦ ଦିନ ସମୟ ଦିଆଯାଇଥିଲା ଓ ଏହା ଗତ ୨୩ ତାରିଖରୁ ଆରମ୍ଭ ହୋଇସାରିଛି। ତେଣୁ ଆଉ ପାଖାପାଖି ଦୁଇଟି ମ୍ୟାଚ୍ ଭିତରେ ତାଙ୍କୁ ସଂପୂର୍ଣ୍ଣ ଆତ୍ମନିର୍ଭର ବୋଲି ପ୍ରମାଣିତ କରିବାକୁ ହେବ। ଯଦି ସବୁକିଛି ଠିକ୍ଠାକ୍ ଯାଏ ତାହେଲେ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍ ଦଳରେ ସେ ସାମିଲ ହୋଇପାରିବେ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।