ରୋହିତଙ୍କ ସ୍ଥିରତା

ଚଳିତ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ରୋହିତ ଶର୍ମା ଅଦ୍ୟାବଧି ସର୍ବାଧିକ ରନ୍‌ ସଂଗ୍ରହକାରୀ (୩୪୫) ରହିଛନ୍ତି। ଜୋ ରୁଟ୍‌ (୩୩୮) ଏବଂ ଋଷବ ପନ୍ତ୍ (୨୭୦) ପରବର୍ତୀ ୨ ସ୍ଥାନରେ ଅଛନ୍ତି। ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ବିବେଚିତ ହେଉଥିବା ରୋହିତ ଦୀର୍ଘ ୭ ବର୍ଷ ପରେ କିନ୍ତୁ ଟେଷ୍ଟ୍ କ୍ରିକେଟରେ ସ୍ଥିର ପ୍ରଦର୍ଶନ ଦେଇଛନ୍ତି। ୧୩ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ ‌‌‌ଖେଳୁଥିବା ରୋହିତ ଶର୍ମାଙ୍କ ଶୁକ୍ରବାର ପାଳି (୪୯, ୧୪୪ ବଲ୍‌) ବେଶ୍‌ ପ୍ରଶଂସା ସାଉଁଟିଛି। ୬ ବ‌ର୍ଷ ଧରି ସୀମିତ ଓଭର କ୍ରିକେଟ୍‌ ଖେଳିବା ପରେ ରୋହିତ ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍‌ ପଦାର୍ପଣ କରିଥିଲେ। ପ୍ରଥମ ଦୁଇ ଟେଷ୍ଟରେ ଶତକ ମଧ୍ୟ ହାସଲ କରିଥିଲେ। ତାଙ୍କ ଆଗମନ‌ ବେଳକୁ ତାଙ୍କୁ ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ, ରାହୁଲ ଦ୍ରାବିଡ଼ ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି କିଂବଦନ୍ତିଙ୍କ ବଦଳରେ ଖେଳିବାର ଥିଲା। ୨୦୧୭ ପରଠାରୁ କିନ୍ତୁ ତାଙ୍କ ଟେଷ୍ଟ୍ ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା। ୨୦୧୯ ମସିହାର ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ୧୭୬, ୧୨୭ ଓ ୨୧୨ ରନ୍‌ର ତିନିଟି ପାଳି ପରେ ସେ ଆଉ ପଛକୁ ଫେରିନାହାନ୍ତି।

ରାହାଣେଙ୍କ କ୍ୟାଚ୍
ଗୁରୁବାର ପ୍ରଥମ ଦିବସ ଅବସରରେ ଭାରତୀୟ ଦଳ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଟେଷ୍ଟ୍ କ୍ୟାଚ୍‌ ଧରିବାରେ ଭାରତୀୟ ତାଲିକାରେ ଷଷ୍ଠକୁ ଉନ୍ନୀତ ହୋଇଥିଲେ। ଅଶ୍ବିନଙ୍କ ବୋଲିଂରେ ବେନ୍‌ ଫୋକ୍ସଙ୍କ କ୍ୟାଚ୍‌ ନେଇଥିବା ରାହାଣେ (୯୨) ଏ କ୍ଷେତ୍ରରେ ବୀରେନ୍ଦ୍ର ସେହବାଗ (୯୧)ଙ୍କୁ ପଛରେ ପକାଇଥିଲେ। ରାହୁଲ ଦ୍ରାବିଡ଼ (୨୧୦), ଭିଭିଏସ୍ ଲକ୍ଷ୍ମଣ (୧୩୫), ସଚିନ ତେନ୍ଦୁଲକର (୧୧୫), ସୁନିଲ ଗାଭାସ୍କର (୧୦୮), ମହମ୍ମଦ ଆଝାରୁଦ୍ଦିନ୍ (୧୦୫) ଶୀର୍ଷ ୫ ସ୍ଥାନରେ ରହିଛନ୍ତି।

ଆକ୍ରମ, ମ୍ୟାକ୍‌ଗ୍ରାଙ୍କ କ୍ଲବ୍‌ରେ ଆଣ୍ଡରସନ
ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଶୁକ୍ରବାର ଭାରତ ବିପକ୍ଷ ଚତୁର୍ଥ ଟେ‌ଷ୍ଟ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ୱିକେଟ୍‌ ଅକ୍ତିଆର କରି ପାକିସ୍ତାନ ଓ ଅଷ୍ଟ୍ରେଲୀୟ କିଂବଦନ୍ତି ୱାସିମ ଆକ୍ରମ ଓ ଗ୍ଲେନ୍‌ ମ୍ୟାକ୍‌ଗ୍ରାଙ୍କ ୯୦୦ ୱିକେଟ୍‌ କ୍ଲବ୍‌ରେ ଯୋଡ଼ି ହୋଇଛନ୍ତି। ଏହି ଟେଷ୍ଟ୍‌ର ଭାରତ ପ୍ରଥମ ପାଳିରେ ସେ ମୋଟ ୩ ୱିକେଟ୍‌ ନେଇଥିଲା ବେଳେ ଦ୍ବିତୀୟ ୱିକେଟ୍‌ ଦଖଲ କରିବା ପରେ ଅନ୍ତର୍ଜାତୀୟରେ ୯୦୦ ୱିକେଟ୍‌ ମାଇଲଖୁଣ୍ଟ ଛୁଇଁଥିଲେ। ୨୦୦୩ରେ ପଦାର୍ପଣ କରିଥିବା ଆଣ୍ଡରସନ୍‌ଙ୍କ ମୋଟ ୱିକେଟ୍‌ ସଂଖ୍ୟା ୯୦୧ରେ ପହଞ୍ଚିଥିଲା ବେଳେ ସେଥିରେ ୬୧୪ ଟେଷ୍ଟ୍‌, ୨୬୯ ଦିନିକିଆ ଓ ୧୮ ଟ୍ବେଣ୍ଟି-୨୦ ୱିକେଟ୍‌ ରହିଛି। ଆଣ୍ଡରସନ୍‌ ୯୦୦ ୱିକେଟ୍‌ ପୂରଣ କରିବାରେ ଆକ୍ରମ (୯୧୬) ଓ ମ୍ୟାକ୍‌ଗ୍ରା (୯୪୯)ଙ୍କ ପରେ ତୃତୀୟ ଦ୍ରୁତ ବୋଲର ହୋଇଛନ୍ତି। ମୋଟ ଉପରେ ସେ ମଧ୍ୟ ଷଷ୍ଠ ବୋଲର ହୋଇଛନ୍ତି। ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ (୧୩୪୭) ଶୀର୍ଷରେ ରହିଥିଲା ବେଳେ ଅଷ୍ଟ୍ରେଲିଆର ସେନ୍‌ ୱର୍ଣ୍ଣ (୧୦୦୧) ଦ୍ବିତୀୟ ଓ ଭାରତର ଅନିଲ କୁମ୍ବଲେ (୯୫୬) ତୃତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର