ରୋହିତଙ୍କ ବିଶ୍ବକପ୍ କୀର୍ତ୍ତିମାନ, ସେମିରେ ଭାରତ-ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ

ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ହରାଇଲା ଭାରତ, ରୋହିତଙ୍କ ପଞ୍ଚମ ଓ ରାହୁଲଙ୍କ ପ୍ରଥମ ଶତକ

ଲିଡସ: ଚଳିତ ବିଶ୍ବକପ୍‌ରେ ଭାରତର ହିଟ୍‌-ମ୍ୟାନ୍ ରୋହିତ ଶର୍ମାଙ୍କର ସ୍ବପ୍ନର ଉଡ଼ାଣ ଜାରି ରହିଛି। ଆଜି ଶେଷ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ରୋହିତ ଶ୍ରୀଲଙ୍କା ବିପକ୍ଷରେ ଶତକୀୟ ଇନିଂସ୍ ଖେଳି ଗୋଟିଏ ବିଶ୍ବକପ୍‌ରେ ୫ଟି ଶତକ ଅର୍ଜନ କରିବାର ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ନାଁରେ ଥିବା ୪ଟି ଶତକ ରେକର୍ଡ଼କୁ ଭଙ୍ଗ କରି ସାରା ବିଶ୍ବର କ୍ରିକେଟପ୍ରେମୀଙ୍କ ହୃଦୟ ଜୟ କରିଛନ୍ତି ରୋହିତ। ଆଉ ରୋହିତ ଓ ରାହୁଲଙ୍କ ଶତକ ବଳରେ ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ଅତି ସହଜରେ ହରାଇ ଭାରତ ବିଶ୍ବକପ୍‌ ସେମିଫାଇନାଲ୍‌ ପୂର୍ବରୁ ଜବରଦସ୍ତ ଆତ୍ମବିଶ୍ବାସ ଅର୍ଜନ କରିଛି। ଏଥି ସହିତ ଲିଗ୍ ପର୍ଯ୍ୟାୟରେ ସପ୍ତମ ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରି‌‌ ନେଇଛି। ବିଳମ୍ବିତ ରାତିରେ ଅନ୍ୟ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୦ ରନ୍‌ରେ ହରାଇ ଦେବାରୁ ସେମିଫାଇନାଲରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ୧୫ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋ‌ଇଥିବା ଭାରତ ଏବେ ସେମିଫାଇନାଲରେ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ। ଆସନ୍ତା ୯ ତାରିଖରେ ଭାରତ ମଞ୍ଚେଷ୍ଟରରେ ଏହି ସେମିଫାଇନାଲ ଖେଳିବ। ଅନ୍ୟପକ୍ଷରେ ୧୪ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ୧୧ ତାରିଖରେ ବର୍ମିଂହାମରେ ହେବାକୁ ଥିବା ଦ୍ବିତୀୟ ସେମିଫାନାଲରେ ଇଂଲଣ୍ଡକୁ ଭେଟିବ।

ଆଜି ପ୍ରଥମେ ଫିଲ୍ଡିଂ କରି ଭାରତୀୟ ବୋଲରମାନେ ବୁମରାଙ୍କ ନେତୃତ୍ବରେ ଶ୍ରୀଲଙ୍କାକୁ ୨୬୪ ରନ୍‌ରେ ରୋକିଥିଲେ। ଏହା ପରେ ରୋହିତ ଏବଂ ରାହୁଲଙ୍କ ଶତକୀୟ ଭାଗୀଦାରି (୧୮୯ ରନ୍‌, ୩୦.୧ ଓଭର) ବଳରେ ଅନାୟାସରେ ବିଜୟୀ ହୋଇଥିଲା। ଭାରତର ବିଜୟରେ ରୋହିତ ଶର୍ମାଙ୍କ କୀର୍ତ୍ତିମାନ ଭରା ପାଳି ସବୁଠୁ ଉଲ୍ଲେଖନୀୟ ଥିଲା। ବିଶ୍ବକପ୍‌ ଇତିହାସରେ ସର୍ବାଧିକ‌ ମୋଟ ଶତକ ହାସଲରେ ସେ ସଚିନ ତେନ୍ଦୁଲକର (୬)ଙ୍କ ସମକକ୍ଷ ହୋଇଥିଲେ। ଏ କ୍ଷେତ୍ରରେ ସେ କୁମାର ସାଙ୍ଗାକାରା ଏବଂ ରିକି ପଣ୍ଟିଂ (ଉଭୟ ୫ ଲେଖାଏଁ ଶତକ) ପ୍ରମୁଖଙ୍କୁ ପଛରେ ପକାଇଥିଲେ। ‌ସେହିଭଳି ଗୋଟିଏ ସଂସ୍କରଣ ବିଶ୍ବକପ୍‌ରେ ୫ ଶତକ ମାରିବାରେ ବିଶ୍ବର ପ୍ରଥମ ଖେଳାଳି ହୋଇଥିଲେ। ଏ କ୍ଷେତ୍ରରେ ସେ କୁମାର ସାଙ୍ଗାକାରା (୪ ଶତକ, ୨୦୧୫)ଙ୍କୁ ପଛରେ ପକାଇ ଦେଇଥିଲେ। ରୋହିତଙ୍କ ଲଗାତାର ତୃତୀୟ ଶତକ ମଧ୍ୟ ବହୁ ଅନ୍ୟ କୀର୍ତିମାନକୁ ପଛରେ ଛାଡ଼ି ଦେଇଥିଲା। ଚଳିତ ବିଶ୍ବକପ୍‌ରେ ରୋହିତଙ୍କ ପାଳି କ୍ରମ ରହିଛି ଏମିତି-୧୨୨*, ୫୭, ୧୪୦, ୧, ୧୮, ୧୦୨, ୧୦୪, ୧୦୩। ସେ ଏଯାଏ ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଇଂଲଣ୍ଡ, ବାଂଲାଦେଶ ଏବଂ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିବା ସହ ଚଳିତ ସଂସ୍କରଣ ବିଶ୍ବକପ୍‌ରେ ଅଗ୍ରଣୀ ରନ୍ ସଂଗ୍ରହକାରୀ ତାଲିକାରେ ମଧ୍ୟ ଶୀର୍ଷକୁ (୬୪୭ ରନ୍) ଉଠିଛନ୍ତି। ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହ କ୍ଲବ୍‌ରେ ତାଙ୍କ ଉପରେ କେବଳ ସଚିନ ତେନ୍ଦୁଲକର (୬୭୩ ରନ୍‌, ୨୦୦୩), ମାଥ୍ୟୁ ହେଡେନ୍ (୬୫୯ ରନ, ୨୦୦୭) ରହିଛନ୍ତି। ଭାରତ ଫାଇନାଲ ଖେଳିବାର ଗୌରବ ଅର୍ଜନ କଲେ ରୋହିତଙ୍କ ପାଇଁ ଆହୁରି ଦୁଇଟି ପାଳି ଖେଳିବାର ସୁଯୋଗ ମିଳିବ ଏବଂ ସେ ଅନାୟାସରେ ଏ ଦୁଇ କିମ୍ବଦନ୍ତୀ ଖେଳାଳିଙ୍କୁ ମଧ୍ୟରେ ପଛରେ ପକାଇ ପାରିବେ।

ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରି ରୋହିତ ଶନିବାର ମାତ୍ର ୯୨ ବଲରୁ ତାଙ୍କ ଶତକ ପୂର୍ଣ୍ଣ କରିଥିଲେ। ଛକାରେ ଅର୍ଧଶତକ ଏବଂ ଚୌକାରେ ଶତକ ପୂର୍ଣ୍ଣ କରିବାର ଗୌରବ ମଧ୍ୟ ଆଣିଥିଲେ। ତେବେ ଶତକ ହାସଲ ପରେ କ୍ଲାନ୍ତ ଅନୁଭବ କରିବା ପରେ ରୋହିତ (୧୦୩, ୯୪ ବଲ, ୧୪ ଚୌକା, ୨ ଛକା) ରଜିଥାଙ୍କ ବୋଲିଂରେ ମାଥ୍ୟୁସଙ୍କ କ୍ୟାଚ୍‌ ଦେଇ ଫେରି ଆସିଥିଲେ। ୨୨ ଶତକ ସହ ରୋହିତଙ୍କ ତିନି ଅଙ୍କ ସ୍କୋର୍ ସଂଖ୍ୟା ଏବେ ୨୭ରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ଲୋକେଶ ରାହୁଲ ମଧ୍ୟ ନିଜ ବ୍ୟକ୍ତିଗତ ସର୍ବାଧିକ ବିଶ୍ବକପ୍‌ ପାଳି ଖେଳିଥିଲେ। ମାଲିଙ୍ଗାଙ୍କ ବଲକୁ ଥାର୍ଡମ୍ୟାନ୍ ଅଞ୍ଚଳକୁ ପଠାଇ ଏକ ରନ୍ ସହ ସେ ପ୍ରଥମ ବିଶ୍ବକପ୍‌ ଶତକ (୧୧୧, ୧୧୮ ବଲ, ୧୧ ଚୌକା, ୧ ଛକା) ହାସଲ କରିଥିଲେ। ବିରାଟ କୋହଲି (୩୪*) ଏବଂ ହାର୍ଦିକ ପାଣ୍ଡ୍ୟା (୭*) ଭାରତକୁ ୬.୩ ଓଭର ପୂର୍ବରୁ ୭ ୱିକେଟ୍‌ର ସହଜ ବିଜୟ ଦେଇଥିଲେ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଯଶପ୍ରୀତ୍‌ ବୁମରାଙ୍କ ଘାତକ ବୋଲିଂ ଆଗରେ ହାର ମାନି ୫୫/୪ରେ ସଂଘର୍ଷ କରିଥିଲା। ତେବେ ପୂର୍ବତନ ଅଧିନାୟକ ଅଞ୍ଜେଲୋ ମାଥ୍ୟୁସଙ୍କ ‌ଧୈର୍ଯ୍ୟପୂର୍ଣ୍ଣ ଶତକ (୧୧୩, ୧୨୮ ବଲ, ୧୦‌ ଚୌକା, ୨ ଛକା) ଏବଂ ଲାହିରୁ ଥିରିମାନେ (୫୩) ଙ୍କ ସହ ୧୨୪ ରନ୍ ଭାଗୀଦାରି ଦଳର ସମ୍ମାନ ରକ୍ଷା କରିଥିଲା। ମାଥ୍ୟୁସ ନିଜ ‌ଦିନିକିଆ ଜୀବନର ତୃତୀୟ ଏବଂ ବିଶ୍ବକପ୍‌ରେ ପ୍ରଥମ ଶତକ ହାସଲ କରିଥିଲେ। ମାଥ୍ୟୁସଙ୍କ ପ୍ରତିଟି ଶତକ ମଧ୍ୟ ଭାରତ ବିପକ୍ଷରେ ରହିଛି। ଶ୍ରୀଲଙ୍କା ୪୦ ଓଭରରେ ୫ ୱିକେଟ୍‌ ହରାଇ ୨୦୦ ରନ୍ କରିଥିଲା। କିନ୍ତୁ ଶେଷ ୧୦ ଓଭରରେ ମାତ୍ର ୬୪ ରନ୍ ‌ଯୋଡ଼ି ପାରିଥିଲା। ବୁମରାଙ୍କ ବିସ୍ଫୋରଣ (୧୦-୨-୩୭-୩) ଏବଂ ରବୀନ୍ଦ୍ର ଜାଦେଜାଙ୍କ ମିତବ୍ୟୟୀ ବୋଲିଂ (୧୦-୦-୪୦-୧) ଶ୍ରୀଲଙ୍କାକୁ ବଡ଼ ସ୍କୋର କରିବାରୁ ରୋକି ଦେଇଥିଲା। ମ୍ୟାଚ୍‌ରେ ୩ଟି ୱିକେଟ୍‌ ନେଇ ମହମ୍ମଦ ସାମି (୫୬ ମ୍ୟାଚ)ଙ୍କ ପରେ ଦ୍ବିତୀୟ ଦ୍ରୁତତମ ଭାବେ ୧୦୦ ୱିକେଟ୍‌ ପୂର୍ଣ୍ଣ କରିଥିଲେ ବୁମରା।

ସମ୍ବନ୍ଧିତ ଖବର