ରୋହିତଙ୍କ ବିଶ୍ବ କୀର୍ତ୍ତିମାନ, ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ଛକାରେ ଗପ୍ଟିଲଙ୍କୁ ଟପିଲେ

ସର୍ବାଧିକ ମ୍ୟାଚ୍‌ ଶ୍ରେଷ୍ଠ ଖେଳାଳି ଭାବେ ଗାଙ୍ଗୁଲିଙ୍କ ସମକକ୍ଷ

ନାଗପୁର : ଶୁକ୍ରବାର ଏଠାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ‌ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୦ ବଲ୍‌ରୁ ଅପରାଜିତ ୪୬ ରନ୍‌ କରିଥିଲେ। ବର୍ଷା ଯୋଗୁଁ ୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ରୋହିତ ତାଙ୍କ ବିସ୍ଫୋରକ ପାଳିରେ ୪ ଲେଖାଏଁ ଚୌକା ଓ ଛକା ମାରିଥିଲେ। ଭାରତ ଏହି ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିଥିଲା। ତେବେ ଏହି ମ୍ୟାଚ୍‌ ଅବସରରେ ରୋହିତ ଏକ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ସଂଖ୍ୟକ ଛକା ମାରିବାର କୀର୍ତ୍ତିମାନ ନ୍ୟୁଜିଲାଣ୍ଡ୍‌ ଓପ୍‌ନର ମାର୍ଟିନ୍‌ ଗପ୍ଟିଲଙ୍କ ନାମରେ ରହିଥିଲା। ଗପ୍ଟିଲ ୧୭୨ ଛକା ମାରି କୀର୍ତ୍ତିମାନକୁ ନିଜ ନାମରେ ଅତୁଟ ରଖିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ମ୍ୟାଚ୍‌ ପୂର୍ବରୁ ରୋହିତ ମଧ୍ୟ ୧୭୨ ଛକା ସହ ଗପ୍ଟିଲଙ୍କ ସମକକ୍ଷ ଥିଲେ। ଫଳରେ ନାଗପୁରରେ ୪ ଛକା ମାରିଥିବା‌ ରୋହିତ ତାଙ୍କ ସଂଖ୍ୟାକୁ ୧୭୬ରେ ପହଞ୍ଚାଇ ବିଶ୍ବ କୀର୍ତ୍ତିମାନକୁ ନିଜ ନାମକୁ ନେଇଯାଇଥିଲେ। ରୋହିତ (୧୭୬) ଏବଂ ଗପ୍ଟିଲ (୧୭୨)ଙ୍କ ପଛକୁ ଏହି ତାଲିକାରେ ଏବେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୧୨୪), ଇଂଲଣ୍ଡର ଇଅନ୍‌ ମୋର୍ଗାନ (୧୨୦) ଏବଂ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ (୧୧୯) ରହିଛନ୍ତି।

ନାଗପୁର ମ୍ୟାଚ୍‌ରେ ରୋହିତ ମଧ୍ୟ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଭାରତୀୟ ଭାବେ ରୋହିତଙ୍କର ଏହା ୩୭ତମ ଥିଲା। ଏକ୍ଷେତ୍ରରେ ସେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (୩୭)ଙ୍କ ସମକକ୍ଷ ହୋଇଥିଲେ। ଭାରତୀୟ ଭାବେ ସର୍ବାଧିକ ମ୍ୟାଚ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର (୭୬) ସର୍ବାଗ୍ରେ ରହିଥିଲା ବେଳେ ବିରାଟ କୋହଲି (୫୮) ଏବେ ବି ରୋହିତ ଓ ଗାଙ୍ଗୁଲିଙ୍କ ଉପରକୁ ରହିଛନ୍ତି।

ସମ୍ବନ୍ଧିତ ଖବର