ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା : ବିଶ୍ୱ ମୁକୁଟ ରଖିଲେ ରୋଜାସ୍‌

ଦୋହା : ମହିଳା ଟ୍ରିପଲ୍ ଜମ୍ପ୍‌ରେ ଭେନେଜୁଏଲାର ୟୁଲିମର ରୋଜାସ୍‌ ତାଙ୍କ ବିଶ୍ବ ଦୌଡ଼କୁଦ ମୁକୁଟକୁ ବଜାୟ ରଖିଛନ୍ତି। ଦୁଇ ଥର ୧୫ ମିଟର୍ ଅତିକ୍ରମ କରି ପ୍ରାଧାନ୍ୟ ବିସ୍ତାର କରିଥିବା ୨୩ ବର୍ଷୀୟା ରୋଜାସ୍‌ ୧୫.୩୭ ମିଟର୍ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ମାତ୍ର ୪ ସେଣ୍ଟିମିଟର୍ ପାଇଁ ସେ ବଞ୍ଚିତ ହୋଇଥିଲେ। ପ୍ରଥମ ଭେନେଜୁଏଲା କ୍ରୀଡ଼ାବିତ୍ ଭାବେ ବିଶ୍ବ ପଦକ ଜିତି ଦେଶ ପାଇଁ ନୂଆ ଅଧ୍ୟାୟ ସଂଯୋଗ କରିଛନ୍ତି। ‘ମୁଁ ମୋ ଦେଶ ପାଇଁ ଲଢ଼ିଥିଲି, ଏ ବିଜୟ ନିଶ୍ଚିତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ’ ବୋଲି ରୋଜାସ୍ କହିଛନ୍ତି। ଜାମାଇକାର ସାନିଏକା ରିକେଟ୍ସ (୧୪.୯୨ ମିଟର୍) ଏବଂ ଅଲିମ୍ପିକ୍ ବିଜୟିନୀ କଲମ୍ବିଆର କାଟେରିନ୍‌ ଇବାରଗୁଏଁ (୧୪.୭୩ ମିଟର୍‌) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ଆମେରିକାର ରିଲେ ସ୍ବପ୍ନ ସାକାର
ଦୀର୍ଘ ୧୨ ବର୍ଷର ପ୍ରତୀକ୍ଷା ପରେ ଆମେରିକା ବିଶ୍ବ ଦୌଡ଼କୁଦର ୧୦୦ ମିଟର ପୁରୁଷ ରିଲେ ସ୍ବର୍ଣ୍ଣ ପଦକ ସ୍ବପ୍ନକୁ ସାକାର କରିଛି। ୧୦୦ ମିଟର୍ ବିଜେତା କ୍ରିଷ୍ଟିଆନ୍ କୋଲମ୍ୟାନ୍‌, ୨୦୦ ମିଟର୍ ବିଜେତା ନୋଆ ଲାଇଲ୍ସଙ୍କ ସହିତ ୨ ଥର ବିଶ୍ବ ବିଜେତା ଜଷ୍ଟିନ୍ ଗଟଲିନ୍ ଏବଂ ୩୪ ବର୍ଷୀୟ ମାଇକ୍ ରୋଜର୍ସ ଏହି ସ୍ବର୍ଣ୍ଣିମ ସଫଳତା ଆଣିଥିଲେ। ବିଶ୍ବ ଦୌଡ଼କୁଦ ଇତିହାସରେ ଦ୍ବିତୀୟ ଦ୍ରୁତତମ ସମୟ (୩୭.୧୦ ସେକେଣ୍ଡ୍‌) ସହିତ ଏମାନେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ରୋଜର୍ସଙ୍କ ପାଇଁ ଏହା ପ୍ରଥମ ପ୍ରମୁଖ ପଦକ ଥିଲା। ପୂର୍ବରୁ ସେ କେବେ ବିଶ୍ବ କିମ୍ବା ଅଲିମ୍ପିକ୍ସ ପୋଡିୟମ୍ ଉଠି ପାରିନଥିଲେ।

ଜାମାଇକାକୁ ମହିଳା ରିଲେ ସ୍ବର୍ଣ୍ଣ
ମହିଳା ବର୍ଗର ୧୦୦ ମିଟର୍ ରିଲେ ସ୍ବର୍ଣ୍ଣ ପଦକ ଜାମାଇକା ଜିତିଛି। ୨୦୦୫ ମସିହାଠାରୁ ଏହି ସ୍ବର୍ଣ୍ଣକୁ ଆମେରିକା କିମ୍ବା ଜାମାଇକା ଜିତୁଥିଲା। ଏଥର କିନ୍ତୁ ଲଢ଼େଇ ଜାମାଇକା ଏବଂ ବ୍ରିଟେନ୍ ମଧ୍ୟରେ ହୋଇଥିଲା। ୧୦୦ ଏବଂ ୨୦୦ ମିଟର୍ ବିଜୟିନୀ ସେଲି ଆନ୍‌ ପ୍ରେଜର୍‌ ପ୍ରାଇସ୍‌ ଏବଂ ଡିନା ଆସର୍‌ ସ୍ମିଥଙ୍କ ବ୍ରିଟେନ୍‌କୁ ପଛରେ ପକାଇ ଜାମାଇକା ୪୧.୪୪ ସେକେଣ୍ଡ୍ ସମୟ ସହିତ ବାଜି ମାରି ନେଇଥିଲା। ବ୍ରିଟେନ୍ (୪୧.୮୫) ଏବଂ ଆମେରିକା (୪୨.୧୦) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର