ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ବିସିସିଆଇ ଚୟନ ସମିତି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ମଧ୍ୟରେ ଗୋଟିଏ ଦୃଢ଼ ତଥା ମୌଳିକ ବିଶ୍ବାସ ଯେ ତାରକା‌ ଖେଳାଳିଙ୍କୁ ନେଇ ଭଲ ଦଳ ଗଢ଼ି ହେବ ନାହିଁ, ବରଂ ଭଳ ଦଳ ତାରକା‌ ଖେଳାଳି ସୃଷ୍ଟି କରିପାରିବ। ଏହି ଦୃଢ଼ମନା ବ୍ୟକ୍ତି ଏକାଠି ହୋଇଥିବାରୁ ଭାରତୀୟ କ୍ରିକେଟ୍ ଠିକଣା ପଥରେ ରହିଛି ବୋଲି ବିଶ୍ବାସ ଆସିଛି। ଏପରିକି ଏହା ଅଷ୍ଟ୍ରେଲୀୟ ସଂସ୍କୃତିର ବିଶ୍ବାସ ବୋଲି ଧାରଣା ଜନ୍ମିଛି। ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ଦିନିକିଆ ଦଳରେ ରୋହିତ ଶର୍ମାଙ୍କୁ ନେତୃତ୍ବରୁ ହଟାଇ ଦିଆଯାଇଛି। ଅନ୍ୟତମ ପୂର୍ବତନ ଅଧିନାୟକ ବିରାଟ କୋହଲି ଦଳରେ ରହିଛନ୍ତି। ଅର୍ଥାତ୍ ଉଭୟ ମହାନ ବ୍ୟାଟର୍‌ ଶୁବମନ ଗିଲ୍‌ଙ୍କ ଅଧୀନରେ ଖେଳିବେ। ଏହି ଦୃଢ଼ ନିଷ୍ପତ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି, ‘ରୋକୋ’ ନାମରେ ପରିଚିତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପରୋକ୍ଷରେ ଚେତାବନୀ ଦିଆଯାଇଛି। ଭଲ ପ୍ରଦର୍ଶନ ଜାରି ରଖିଲେ ଉଭୟ ୨୦୨୭ ଦିନିକିଆ ବିଶ୍ବକପ୍‌ରେ ଖେଳିପାରିବେ। ନହେଲେ ଏହି ଦୁଇ ବର୍ଷ ଭିତରେ ବି ସେମାନେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅପସରିଯିବେ। କାରଣ ପୂର୍ବରୁ ଉଭୟ ‌ଟେଷ୍ଟ୍ ଓ ‌ଟ୍ବେଣ୍ଟି-୨୦ କ୍ରିକେଟ୍‌ ଛାଡ଼ି ସାରିଛନ୍ତି। ୨୦୨୩ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ହାରିଯିବା ପରେ ଉଭୟଙ୍କ ଏହି ଫର୍ମାଟ୍‌ର ବିଶ୍ବ ମୁକୁଟ ସ୍ବପ୍ନ ଅଧୁରା ରହିଛି। କେବଳ ସେହି ଅପେକ୍ଷାରେ ଦିନିକିଆ କ୍ରିକେଟ୍‌ ଛାଡ଼ି ନଥିବା ବିଶ୍ବାସ ରହିଛି। 

Advertisment

ଅନ୍ୟପକ୍ଷରେ ଗମ୍ଭୀର-ଅଗରକରଙ୍କ ନିଷ୍ପତ୍ତିରୁ ଏ ସଙ୍କତ ମଧ୍ୟ ମିଳୁଛି ଯେ ‘ରୋକୋ’ ଏବେ ଆଉ ୨୦୨୭ ବିଶ୍ବକପ୍‌ ଯୋଜନାରେ ନାହାନ୍ତି। ଉଭୟ ସେ ପର୍ଯ୍ୟନ୍ତ ଫର୍ମ ବଜାୟ ରଖିବେ ବୋଲି ମଧ୍ୟ ବିଶ୍ବାସ ହେଉନାହିଁ। ଅନ୍ୟ କାରଣଟି ହେଉଛି ପରବର୍ତ୍ତୀ ଦଶନ୍ଧି ପାଇଁ ନେତୃତ୍ବ ଗଢ଼ିବା କାମ ବି ଆରମ୍ଭ କରିଦିଆଯାଇଛି। ଶୁବମନ ଗିଲ୍‌ ବି ଖୁବ୍ ଶୀଘ୍ର ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ନେବାର ସମ୍ଭାବନା ରହିଛି। ଭାରତରେ ୩ ଫର୍ମାଟ୍ ପାଇଁ ଅଲଗା ଅଲଗା ଅଧିନାୟକ ଅସମ୍ଭବ ବୋଲି ଗମ୍ଭୀର ମଧ୍ୟ ଗତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରି ଦେଇଛନ୍ତି। ଭାରତୀୟ କ୍ରିକେଟର୍‌ ଭବିଷ୍ୟତ ସ୍ବାର୍ଥକୁ ନଜରରେ ରଖି ନିଷ୍ପତ୍ତି ନିଆଯାଉଛି ବୋଲି ସେ କହିଛନ୍ତି। ଏବେ କିନ୍ତୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ କିଭଳି ରନ୍ ବାହାରୁଛି ତାହା ସବୁକିଛି ନିର୍ଣ୍ଣୟ କରିବ। ବିଶେଷ କରି ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ‘ରୋକା’ଙ୍କ କ୍ୟାରିୟର୍ ପାଇଁ ନୂଆ ଜୀବନରେଖା ହେବ ବୋଲି ବିଶ୍ବାସ କରାଯାଉଛି। ସୂଚନା‌‌‌ଯୋଗ୍ୟ, ୨୦୨୭ ଦିନିକିଆ ବିଶ୍ବକପ୍‌ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟାରେ ଖେଳାଯିବ।