ପ୍ୟାରିସ୍‌: ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତାର ଫ୍ରେଞ୍ଚ୍‌ ଓପନ୍‌ ଆରମ୍ଭରୁ ବିପର୍ଯ୍ୟୟ ଘଟିଛି। ରବିବାରଠୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନ ମହିଳା ଏକକ ପ୍ରଥମ ରାଉଣ୍ଡ୍‌ରେ ହିଁ ରୁଷୀୟ ଯୁବା ଖେଳାଳି ଆନାସ୍ତେସିଆ ପୋଟାପୋଭା ଏହି ବିପର୍ଯ୍ୟୟ ଘଟାଇଛନ୍ତି। ରୋଲାଁ ଗ୍ୟାରସ୍‌ରେ ଅଣମାନ୍ୟତା ତଥା ୧୮ ବର୍ଷ ବୟସ୍କା ପୋଟାପୋଭା ସିଧାସଳଖ ୬-୪ ଓ ୬-୨ ସେଟ୍‌ରେ ପଞ୍ଚମ ମାନ୍ୟତା ତଥା ୱିମ୍ବଲଡନ୍‌ ବିଜୟିନୀ ଜର୍ମାନି ଲଳନା ଆଞ୍ଜେଲିକ୍‌ କେର୍‌ବରଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ନିଜର ଫ୍ରେଞ୍ଚ୍‌ ଓପନ୍‌ ପଦାର୍ପଣରେ ପୋଟାପୋଭା ବୃହତ୍‌ ବିପର୍ଯ୍ୟୟ ଘଟାଇ ଦ୍ବିତୀୟ ରାଉଣ୍ଡ୍‌ ପ୍ରବେଶ କରିଥିଲା ବେଳେ କେର୍‌ବରଙ୍କ କ୍ୟାରିୟର ଗ୍ରାଣ୍ଡ୍‌ସ୍ଲାମ୍‌ ଆଶା ଧୂଳିସାତ୍‌ ହୋଇଯାଇଛି। ସେହିପରି ବିଶ୍ବ ମାନ୍ୟତାର ଶୀର୍ଷ-୧୦ ମଧ୍ୟର ଜଣେ ଖେଳାଳିଙ୍କ ବିପକ୍ଷରେ ପୋଟାପୋଭାଙ୍କର ଏହା ପ୍ରଥମ ବିଜୟ।

Advertisment

ମହିଳା ଏକକ ପ୍ରଥମ ରାଉଣ୍ଡ୍‌ରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚଦଶ ମାନ୍ୟତା ବେନିନ୍ଦା ବେନ୍‌ସିକ୍‌, ୧୯ତମ ମାନ୍ୟତା ଗାର୍ବିନେ ମୁଗୁରୁଜା, ୩୧ତମ ମାନ୍ୟତା ପେଟ୍ରା ମାର୍ଟିକ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ଅଭିଜ୍ଞ ସ୍ବେତ୍‌ଲାନା କୁଜେଁତ୍ସୋଭା ସିଧାସଳଖ ସେଟ୍‌ ପରାଜୟ ସହ ବିଦାୟ ନେଇଛନ୍ତି। ପୁରୁଷ ଏକକ ପ୍ରଥମ ରାଉଣ୍ଡ୍‌ରେ ତୃତୀୟ ମାନ୍ୟତା ରୋଜର ଫେଡେରର୍‌, ଷଷ୍ଠ ମାନ୍ୟତା ଷ୍ଟିଫାନୋସ୍‌ ସିସିପାସ୍‌, ସପ୍ତମ ମାନ୍ୟତା କେଇ ନିଶିକୋରି, ଏକାଦଶ ମାନ୍ୟତା ମାରିନ୍‌ ସିଲିକ୍‌ ଏବଂ ୨୯ତମ ମାନ୍ୟତା ମାଟିଓ ବେରେଟିନି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ ଷୋଡ଼ଶ ମାନ୍ୟତା ମାର୍କୋ ସେଚିନାଟୋ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି।